www.samajalive.in
Friday, December 5, 2025
26.1 C
Bhubaneswar

ଶିଶୁକନ୍ୟାର କରୁଣ ନିବେଦନକୁ ଭୁଲିଗଲା ପ୍ରଶାସନ; କିଛି ବଦଳିନି ପଦୁଗୁଡ଼ା

କୋରାପୁଟ(ମନୋଜ କୁମାର ପଟ୍ଟନାୟକ): ସେଦିନ ଥିଲା ୨୦୨୩ ଅଗଷ୍ଟ ୧୫ ତାରିଖ। ୭୬ତମ ସ୍ବାଧୀନତା ଦିବସ। ପତାକା ଉଡ଼ାଇବା ସହ ଆମର ଉନ୍ନତିର କଥା ଓ ଗାଥା ଗାଇବାକୁ ମଞ୍ଚରେ ଉପସ୍ଥିତ ଥିଲେ ତତ୍କାଳୀନ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ତାଙ୍କ ସହ ଜିଲାର ବହୁ ବିଧାୟକ ଓ ଆଗଧାଡ଼ିର ପ୍ରଶାସନିକ ଅଧିକାରୀ। ସମସ୍ତଙ୍କ ସାମ୍ନାରେ କୁନି ଝିଅଟିଏ ଅଭିନୟ ଛଳରେ ବଖାଣିଥିଲା ନିଜ ଗଁା ପଦୁଗୁଡ଼ାର ଦୁଃଖ ଓ ଦୁର୍ଦ୍ଦଶା। ଦରୋଟି କଣ୍ଠରେ କହିଥିଲା- ‘ବାବୁ ଆମର ଗାଁ କେ ଯିବା କେ ରାସ୍ତା ନାଏଁ , ପିଇବା କେ ପାନି ନାଏଁ, ଚୁଆ ତଳୁ ପାନି ଆନି ପିଉଛେ କେ ବାବୁ, ଖଟିଆ ଲୋକେ ବୁହା ହୋଇ ମେଡିକାଲ ଆସୁଛେ ବାବୁ, ଆମେ ବଡ଼ ଦୁଃଖରେ ଅଛୁ ବାବୁ, ଆମର ଗାଁ କେ ବିକାଶ ନାଇଁ ବାବୁ’ ….। ଜଣେ କୁନି ଝିଅର କଅଁଳ କଣ୍ଠରେ ଏଇ କେଇପଦ କଡ଼ାଶବ୍ଦ ତତ୍କାଳୀନ ସରକାରଙ୍କ ଗ୍ରାମ ବିକାଶର ବିକଳ ଚିତ୍ରକୁ ପଦାରେ ପକାଇଥିଲା। ସେହି ସମୟରେ ଏହା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। କୋରାପୁଟ ଜିଲାର ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲା ପଞ୍ଚାୟତସ୍ଥିତ ପଦୁଗୁଡା ଗାଁ ସମସ୍ୟାକୁ ନେଇ କୁନି ଝିଅ ଅଭିନୟ ମାଧ୍ୟମରେ ପଦୁଗୁଡାର କଷ୍ଟକୁ କଅଁଳ କଣ୍ଠରେ ପ୍ରଶାସନକୁ ଗୁହାରି କରିଥିଲା। ସାହେବମାନଙ୍କୁ ଦେଖାଇଥିଲା ପ୍ରଚାର ସର୍ବସ୍ବ ବିକାଶର ପ୍ରହେଳିକା। କୁନି ଝିଅର ଏଭଳି ନିବେଦନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଚେଇଁ ଉଠିଥିଲା ପ୍ରଶାସନ। ୨୦୨୩ ଅଗଷ୍ଟ ୧୫ ପରେଡ ଦିବସରେ ମୁଖ୍ୟଅତିଥି ଥିବା ତତ୍କାଳୀନ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜିଲାର ସମସ୍ତ ବିଧାୟକ ଓ ଜିଲାପାଳଙ୍କ ସମ୍ମୁଖରେ ଏହିପରି ଗୁହାରି କରିଥିଲା କୁନି ଝିଅଟି। କୁନି ପାପୁଲିର ଶକ୍ତ ଚାପୁଡ଼ା ବାଜିବା ପରେ ଗାଁରେ ପହଞ୍ଚିଥିଲା ଜିଲା ପ୍ରଶାସନ। ଜିଲା ପ୍ରଶାସନର ନିର୍ଦେଶ କ୍ରମେ ବ୍ଲକ ପ୍ରଶାସନ ପଦୁଗୁଡାରେ ପହଞ୍ଚି ସ୍ଥିତି ପରଖିଥିଲା। ପ୍ରଶାସନିକ ଅଧିକାରୀମାନେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଗାଁର ମୌଳିକ ସମସ୍ୟାର ସମାଧାନ କିପରି ହେବ ମୁଁ ଜିଲାପାଳଙ୍କୁ ଜଣାଇବି ବୋଲି ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତତ୍କାଳୀନ ବିଧାୟକ ପ୍ରଭୁ ଜାନି
ମଧ୍ୟ ପଦୁଗୁଡା ପରିଦର୍ଶନରେ ଯାଇ ଗାଁର ରାସ୍ତା ଓ ପାଣି ଭଳି ମୁଖ୍ୟ ମୌଳିକ ସମସ୍ୟା ଦୂର କରିବା ସହିତ ପଦୁଗୁଡାକୁ ଏକ ଆଦର୍ଶ ଗ୍ରାମରେ ପରିଣତ କରିବାକୁ ପ୍ରତିଶୃତି ଦେଇଥିଲେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ଏତେସବୁ ସୁନେଲି ସ୍ବପ୍ନ କେବଳ ସ୍ବପ୍ନରେ ହିଁ ରହିଯାଇଛି। ମେଞ୍ଚା ମେଞ୍ଚା ମୌଳିକ ସମସ୍ୟା ଭୋଗୁଥିବା ପଦୁଗୁଡାର ସ୍ଥିତି ଯଥା ପୂର୍ବଂ ତଥା ପରଂ। କାହାକୁ କହିବେ, କିଏ ଶୁଣିବ ଗୁହାରି। ରାଜ୍ୟରେ ସରକାର ବଦଳିଛି। ୧୩ମାସ ଧରି ନୂତନ ସରକାର ଚାଲିଛି। ତଥାପି ବଦଳିନି ପଦୁଗୁଡାର ସ୍ଥିତି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ ଭଳି ମୌଳିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଚର୍ଚ୍ଚିତ ପଦୁଗୁଡ଼ାବାସୀ। ଶିଶୁକନ୍ୟାର ଏଭଳି ଆକୁଳ ନିବେଦନ ସତେ ଯେମିତି ସମୟ ସ୍ରୋତରେ ମିଳେଇ ଯାଇଛି।
କୁନି ଝିଅର କେଇପଦ କଥାକୁ ଗୁରୁତର ଭାବେ ବିଚାର କରି ପଦୁଗୁଡାକୁ ମାଳ ମାଳ ରାଜନୈତିକ ନେତା ଓ ପ୍ରଶାସନିକ ଅଧିକାରୀ ଗସ୍ତ କରି ବାସ୍ତବ ଚିତ୍ର ପରଖିଥିଲେ। ଗାଁର ମୁଖ୍ୟ ସମସ୍ୟା ରାସ୍ତା ଓ ପାଣି ସମସ୍ୟା ଦୂର କରିବା ପାଇଁ ପ୍ରତିଶ୍ରୁତିର ଅଜାଡି ଦେଇଥିଲେ। ଏ ପର୍ଯ୍ୟନ୍ତ ପ୍ରତିଶ୍ରୁତିର ବର୍ଷାରେ ପଦୁଗୁଡା ଗାଁ ଓଦା ହୋଇନାହିଁ। ହେଲେ ଏଥିପାଇଁ ଦାୟୀ କିଏ ? ସରକାର ନା ଜିଲା ପ୍ରଶାସନ ? ନା ସରକାରଙ୍କ ବ୍ୟବସ୍ଥା। ଗତ ନିର୍ବାଚନରେ ପଦୁଗୁଡା ଗ୍ରାମବାସୀ ଭୋଟ ବର୍ଜନ କରିଥିଲେ। ଦୁଇମାସ ମଧ୍ୟରେ ଗାଁର ସମସ୍ୟା ଦୂର କରାଯିବ ବୋଲି ରାଜନୈତିକ ନେତା ଓ ଜିଲା ପ୍ରଶାସନ ସେତେବେଳେ ପ୍ରତିଶ୍ରୁତି ଦେଇଥିଲେ। ତଥାପି କିଛି ହୋଇନଥିଲା।
ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲା ପଞ୍ଚାୟତ ସଦରମହକୁମାଠାରୁ ପଦୁଗୁଡା ଗ୍ରାମର ଦୂରତା ମାତ୍ର ୩ କିମି । ପାହାଡ଼ ପାଦ ଦେଶରେ ଥିବା ଏହି ଗ୍ରାମରେ ୯୦ ଆଦିବାସୀ କନ୍ଧ ସମ୍ପ୍ରଦାୟର ପରିବାର ବସବାସ କରନ୍ତି। ଜୀବିକା କହିଲେ ପୋଡୁ ଚାଷ। ଗ୍ରାମବାସୀ ବିକାଶର ସ୍ବାଦ ଚାଖି ନାହାନ୍ତି ବୋଲି ଗାଁର ରାଜୀବ ସାଉନ୍ତା, ନିରଞ୍ଜନ ସାଉନ୍ତା ପ୍ରକାଶ କରିଛନ୍ତି। ଏହି ଗ୍ରାମରେ ପାନୀୟ ଜଳ ଏବଂ ରାସ୍ତା ବଡ ସମସ୍ୟା ହୋଇ ରହିଛି। ଗାଁର କୌଣସି ଗୁରୁତର ରୋଗୀ ଓ ଗର୍ଭବତୀଙ୍କୁ ଡାକ୍ତରଖାନା ନେବାକୁ ହେଲେ ଗାଁ ଠାରୁ ଲୁଲା ଛକ ଯାଏଁ ୩ କିମି ପାହାଡ଼ ଚଢି ଯିବାକୁ ପଡୁଛି। ଗାଁରେ ନଳକୂଅ ନାହିଁ। ଗୋଟିଏ ଘରୋଇ ସଂସ୍ଥା ଦ୍ବାରା ଗୋଟିଏ ନଳକୂଅ ଖୋଳା ଯାଇଛି। ସେଥିରୁ ମଧ୍ୟ ଭଲ ପାଣି ବାହାରୁ ନାହିଁ। ମୁରାନ ନଦୀରେ ଚୁଆ ଖୋଳି ଦୂଷିତ ପାଣିକୁ ପାନୀୟ ଜଳ ଭାବେ ଗ୍ରାମବାସୀ ବ୍ୟବହାର କରୁଛନ୍ତି। ଗଁାକୁ ଲମ୍ବିଥିବା ଆବଡାଖାବଡା ରାସ୍ତା ଚାଲିବା ଉପଯୋଗୀ ନଥିବାରୁ ଗ୍ରାମର ବୃଦ୍ଧବୃଦ୍ଧାମାନେ ଭତ୍ତା ସଂଗ୍ରହ ପାଇଁ ପଞ୍ଚାୟତ ଦପ୍ତରକୁ ଯାଇପାରୁ ନାହାନ୍ତି। ପରିବାର ପ୍ରତିପୋଷଣ ପାଇଁ ବ୍ୟବସ୍ଥା ନଥିବାରୁ ଯୁବ​‌େ​‌ଗାଷ୍ଠୀ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ଗାଁ ପିଲାଙ୍କ ପାଠ ପଢିବା ପାଇଁ ଇଚ୍ଛା ଶକ୍ତି ରହିଛି। କିନ୍ତୁ ଯାତାୟାତ ପାଇଁ ରାସ୍ତା ନଥିବାରୁ କିଛି ପିଲା ଗାଁରେ ହିଁ ରହି ଯାଉଛନ୍ତି। କାହାକୁ ହେଲେ ଆବାସ ଯୋଜନାରେ ଘର ମିଳିନି। ଏବେ ନୂତନ ସରକାର ଗଠନ ହୋଇ ୧୩ ମାସ ବିତିଗଲାଣି। କିନ୍ତୁ ପଦୁଗୁଡା ଗାଁର ସମସ୍ୟା ପୂର୍ବବତ୍‌ ରହିଛି। ନୂତନ ସରକାର ରାଜ୍ୟରେ ଥିବା ଗାଁର ମୌଳିକ ସମସ୍ୟା ଦୂର କରିବାକୁ ବାରମ୍ବାର କହି ଆସୁଛନ୍ତି। ଏବେ ଦେଖିବାକୁ ବାକି ରହିଲା ସରକାର ପଦୁଗୁଡାର ବିକାଶ ଚିତ୍ରରେ କେବେ ପରିବର୍ତ୍ତନ ଆଣୁଛନ୍ତି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories