ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟର ରିଜଓନାଲ ସତ୍ୟନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଗତ ୨୦୧୪ ମସିହାରେ ଆଇଟିଡିଏ ଦ୍ଵାରା ନିର୍ମିତ ୧ ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦଘାଟିତ ହୋଇଥିଲା। ଇତି ମଧ୍ୟରେ ଉଦଘାଟନକୁ ୧୦ ବର୍ଷ ପୁରି ଗଲାଣି। ଛାତ୍ରୀ ନିବାସର ଦୋହରା ରଙ୍ଗ କାମ ବିଦ୍ୟୁତ୍ ମରାମତି କାର୍ଯ୍ୟ ମଧ୍ୟ ସରିଲାଣି କିନ୍ତୁ ଛାତ୍ରୀ ନିବାସଟି ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ । ସରକାରୀ ନିୟମ ଅନୁଯାୟୀ ଆଦିବାସୀ ଓ ଅନୁସୂଚିତ ଜାତିର ୧ ଶହ ଛାତ୍ରୀ ନହେଲେ ଏହା ଚଳାଇ ହେବ ନାହିଁ । ଏ ଦୃଷ୍ଟିରୁ ଚିନ୍ତା କଲେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି ସଂଖ୍ୟକ ଏହି ବର୍ଗର ଛାତ୍ରୀ ନଥିବାରୁ ଛାତ୍ରୀ ନିବାସ ଆଉ ଚାଲି ପାରିବନାହିଁ। ତାହା ସ୍ପଷ୍ଟ ହୋଇଗଲାଣି। ଏଠାରେ କେବଳ +୨ କଳା ଥିବାରୁ ଏହାହିଁ ଛାତ୍ରୀଙ୍କ ସଂଖ୍ୟା ନବଢିବାର କାରଣ ହୋଇଛି। ଏଠାରେ କେବେ +୨ ବିଜ୍ଞାନ ଅଥବା ବାଣିଜ୍ୟ ଖୋଲିବ ତାହାର ଆଶା ମଧ୍ୟ ନିକଟ ଭବିଷ୍ୟତରେ ନାହିଁ ଜାଣି ଏଠାରେ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ବେକାର ଯୁବକଯୁବତୀମାନଙ୍କୁ ଦକ୍ଷତା ବୃଦ୍ଧି ତାଲିକା ଦେବାକୁ ଅନୁଧ୍ୟାନ କରାଯାଇଥିଲା। ତାହା ମଧ୍ୟ କାର୍ଯ୍ୟକାରୀ ହେଉ ନଥିବାରୁ ଏହି ଛାତ୍ରୀ ନିବାସ ଗୃହର ସଦ ବ୍ୟବହାର ପାଇଁ ଜିଲ୍ଲା ପ୍ରଶାସନ ବିକଳ୍ପ ଚିନ୍ତା କରିବାକୁ ଦାବି ହେଉଛି।
Popular Categories



