ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମାଙ୍କୁ ବହିଷ୍କାର କରିବା ଲାଗି ଆବଶ୍ୟକ ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ଲୋକସଭା ଓ ରାଜ୍ୟସଭାରେ ନୋଟିସ୍ ଦିଆଯାଇଛି। ସୋମବାର ସଂସଦର ମୌସୁମି ଅଧିବେଶନ ଆରମ୍ଭ ହୋଇଥିବାବେଳେ ମହାଭିଯୋଗ ପ୍ରସ୍ତାବ ଆଗତ ପାଇଁ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଏକଜୁଟ୍ ହୋଇ ନୋଟିସ୍ ଦେଇଛନ୍ତି। ଲୋକସଭାରେ ଶାସକ ଓ ବିରୋଧୀ ଦଳର ୧୫୨ ଜଣ ସଦସ୍ୟଙ୍କ ସ୍ବାକ୍ଷର ସମ୍ବଳିତ ଚିଠା ନୋଟିସ ବାଚସ୍ପତି ଓମ୍ ବିର୍ଲାଙ୍କୁ ପ୍ରଦାନ କରାଯାଇଛି। ନୋଟିସ ପାଇବା ପରେ ମହାଭିଯୋଗ ପ୍ରସ୍ତାବ ଉପରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ବାଚସ୍ପତି ଲୋକସଭାର ମହାସଚିବଙ୍କୁ ନିର୍ଦେଶ ଦେଇଛନ୍ତି। ସେହିପରି ରାଜ୍ୟସଭାରେ ୬୩ଜଣ ସଦସ୍ୟଙ୍କ ସ୍ବାକ୍ଷର ସମ୍ବଳିତ ନୋଟିସ୍ ଅଧ୍ୟକ୍ଷ ଜଗଦୀପ ଧନକଡଙ୍କୁ ଦିଆଯାଇଛି। ନୋଟିସରେ ସ୍ବାକ୍ଷରକାରୀଙ୍କ ମଧ୍ୟରେ ବିରୋଧୀ ଦଳର ସଦସ୍ୟ ରହିଛନ୍ତି। ନୋଟିସ୍ରେ ବିଚାରପତି ବର୍ମାଙ୍କୁ ବହିଷ୍କାର କରିବା ଲାଗି ସମ୍ବିଧାନର ଧାରା ୧୨୪, ୨୧୭ ଓ ୨୧୮ ଅନୁଯାୟୀ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିବାକୁ ଅଧ୍ୟକ୍ଷଙ୍କୁ ନିବେଦନ କରାଯାଇଛି। ତେେବ ଅଧ୍ୟକ୍ଷ କହିଛନ୍ତି ଯେ ନୋଟିସ୍ରେ ସ୍ବାକ୍ଷର କରିଥିବା ସାଂସଦଙ୍କ ଦସ୍ତଖତକୁ ଯାଞ୍ଚ କରିବା ପରେ ସେ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିବେ।
ବିଚାରପତି ବର୍ମାଙ୍କୁ ବହିଷ୍କାର କରିବା ଲାଗି ଯେଉଁ ନୋଟିସ ଦିଆଯାଇଛି ସେଥିରେ ବିଜେପି, କଂଗ୍ରେସ, ଟିଡିପି, ଜେଡିୟୁ, ଜେଡିଏସ୍, ଜନସେନା, ଏଜିପି, ଶିବସେନା, ଏଲଜେଏସ୍ପି, ଏସକେପି, ସିପିଏମ୍ର ସଦସ୍ୟମାନେ ସ୍ବାକ୍ଷର କରିଛନ୍ତି। ସ୍ବାକ୍ଷରକାରୀ ସଦସ୍ୟଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ରବିଶଙ୍କର ପ୍ରସାଦ, ଅନୁରାଗ ଠାକୁର, ରାଜୀବ ପ୍ରତାପ ରୁଡ୍ଡି, ସୁପ୍ରିୟା ସୁଲେ, କେସି ବେଣୁଗୋପାଳ ଓ ପିପି ଚୌଧୁରୀ। ରିପୋର୍ଟ ଅନୁଯାୟୀ ବାଚସ୍ପତି ବିର୍ଲା ମଙ୍ଗଳବାର ବିଚାରପତି ବର୍ମାଙ୍କ ବିରୋଧରେ ତଦନ୍ତ କମିଟି ଗଠନ ଲାଗି ଘୋଷଣା କରିବେ। ଏହି କମିଟିରେ ସୁପ୍ରିମକୋର୍ଟର ଜଣେ ବିଚାରପତି, ହାଇକୋର୍ଟର ଜଣେ ମୁଖ୍ୟ ବିଚାରପତି ଓ ପ୍ରମୁଖ ବିଚାରପତିଙ୍କୁ ସାମିଲ କରାଯିବ। ବିଚାରପତି ତଦନ୍ତ ଆଇନ ଅନୁଯାୟୀ କମିଟି ଗଠନ କରାଯିବ। ତଦନ୍ତ ରିପୋର୍ଟ ମିଳିବା ପରେ ବିଚାରପତି ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ କି ନାହିଁ ତାହା ଆଗାମୀ ସଂସଦ ଅଧିବେଶନ କାଳରେ ସ୍ଥିର ହେବ। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ବିଚାରପତିଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ଉଭୟ ଲୋକସଭା ଓ ରାଜ୍ୟସଭାରେ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନରେ ଗୃହୀତ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ।
ଗୃହୀତ ପ୍ରସ୍ତାବ ଆଧାରରେ ରାଷ୍ଟ୍ରପତି ସମ୍ପୃକ୍ତ ବିଚାରପତିଙ୍କୁ ବହିଷ୍କାର ପାଇଁ ନିର୍ଦେଶ ଦେବେ। ଗତ ମାର୍ଚ୍ଚ ୧୪ ତାରିଖ ରାତିରେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ବର୍ମାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ସମୟରେ ତାଙ୍କ ବାସଭବନରୁ ବିପୁଳ ପରିମାଣର ଅଧାପୋଡା ୫୦୦ ଟଙ୍କିଆ ନୋଟ ମିଳିଥିଲା। ଏହି ଘଟଣା ସମୟରେ ଜଷ୍ଟିସ ବର୍ମା ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟରତ ଥିଲେ। ପରେ ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଥିଲା। ଏହା ସହିତ ଘଟଣାର ତଦନ୍ତ ପାଇଁ ତତ୍କାଳୀନ ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖାନ୍ନା ତଦନ୍ତ କମିଟି ବସାଇଥିଲେ। ତଦନ୍ତ କମିଟି ବିଚାରପତି ବର୍ମାଙ୍କୁ ଏହି ଘଟଣାରେ ଏକପ୍ରକାର ଦୋଷୀ ସାବ୍ୟସ୍ତ କରିଥିଲେ। ତଦନ୍ତ କମିଟି ରିପୋର୍ଟ ଆଧାରରେ ଜଷ୍ଟିସ ବର୍ମାଙ୍କୁ ଇସ୍ତଫା ଦେବା ଲାଗି ତତ୍କାଳୀନ ସିେଜଆଇ ପ୍ରସ୍ତାବ ଦେଇଥିଲେ। ମାତ୍ର ଜଷ୍ଟିସ ବର୍ମା ଇସ୍ତଫା ଦେବାକୁ ମନା କରିଥିଲେ। ଫଳରେ ଜଷ୍ଟିସ ବର୍ମାଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୂର୍ବତନ ସିଜେଆଇ ଖାନ୍ନା ସରକାରଙ୍କୁ ସୁପାରିସ କରିଥିଲେ। ଅନ୍ୟପଟେ ବିଚାରପତି ବର୍ମା ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତି ତଦନ୍ତ କମିଟି ଦେଇଥିବା ରିପୋର୍ଟର ବୈଧତାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି। ଆହୁରି ମଧ୍ୟ ବିଚାରପତି ବର୍ମାଙ୍କ ବିରୋଧରେ ଏତଲା ରୁଜୁ ପାଇଁ ଦାବି କରି ହୋଇଥିବା ଏକ ପିଟିସନକୁ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି।



