www.samajalive.in
Friday, December 5, 2025
27.1 C
Bhubaneswar

ଓଡିଶାର କନ୍ୟାକୁମାରୀ- ମୋଟୁ

ଭୁବନେଶ୍ଵର:   ତାମିଲନାଡ଼ୁ ରାଜ୍ୟର ସମୁଦ୍ର ଉପକୂଳରେ ଥିବା କନ୍ୟାକୁମାରୀ ସହର ଦେଶର ଦକ୍ଷିଣ ପଟେ ଭାରତ ମହାସାଗର ଭିତରକୁ ଗୋଜିଆ ହୋଇ ପଶିଯାଇଥିବା ସ୍ଥଳଭାଗର ଶେଷାଂଶ। ମାତା କନ୍ୟାକୁମାରୀଙ୍କ ନାମରେ ନାମିତ ଏହି ସହର। ସହରର ପ୍ରାନ୍ତଭାଗ ବଙ୍ଗୋପସାଗର, ଆରବସାଗର ଓ ଭାରତ ମହାସାଗରର ସଂଗମ ସ୍ଥଳ। ଯେଉଁଠାରୁ ଉଭୟ ସୂ​‌େ​‌ର୍ଯ୍ୟାଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ଉପଭୋଗ କରିହୁଏ। ବ୍ରିଟିଶ ରାଜତ୍ବ କାଳରେ ଏହି ସହରକୁ ‘କେପ କୋମାରିନ୍‌’ କୁହାଯାଉଥିଲା। ଠିକ୍‌ ସେହି ପରି ଏକ ଆକର୍ଷଣୀୟ ଭୂଖଣ୍ଡ ରହିଛି ଆମ ଓଡ଼ିଶାର ମାଲ୍‌କାନଗିରି ଜିଲାରେ। ଜିଲାର ଦକ୍ଷିଣ-ପଶ୍ଚିମ ପଟକୁ ଶେଷ ଭାଗରେ ଅବସ୍ଥିତ ‘ମୋଟୁ’। ସଂପ୍ରତି ମାଲକାନଗିରି ଜିଲାର ଏକ ତହସିଲ। ମାଲକାନଗିରିର ଏକମାତ୍ର ସବଡିଭିଜନ୍‌ ବା ଉପଖଣ୍ଡ ହେଉଛି ମାଲକାନଗିରି। ଏହା ବିଭକ୍ତ ହୋଇଛି ସାତଗୋଟି ତହସିଲ୍‌ରେ। ମୋଟୁ ବ୍ୟତୀତ ଅନ୍ୟ ତହସିଲଗୁଡ଼ିକ ହେଉଛି, ମାଥିଲି, ମାଲକାନାଗିରି, ଚିତ୍ରକୋଣ୍ଡା, ଖଇରପୁଟ, କୁଡୁମୁଲୁଗୁମା ଓ କାଲିମେଳା। ୧୯୩୬ ମସିହାରେ ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟ ରୂପେ ଘୋଷିତ ହେବା ପୂର୍ବରୁ ମାଲକାନଗିରି, କୋରାପୁଟ ଜିଲା ନବରଙ୍ଗପୁର ଉପଖଣ୍ଡର ଏକ ତାଲୁକା ବା ପ୍ରଗଣା ଥିଲା, ଆରସିବେଲ୍‌ଙ୍କ ସଂପାଦିତ ୧୯୪୧ କୋରାପୁଟ ଜିଲା ଗେଜେଟିୟରରୁ ସେଠାରେ ରହୁଥିବା ବଣ୍ଡା, କନ୍ଧ, ଗଡ଼ବା, କୋୟା, ପରଜା, ଦିଦାୟୀ ଆଦି ଆଦିବାସୀ ସଂପ୍ରଦାୟଙ୍କ ବିଷୟରେ ସୂଚନା ମିଳେ। ପରେ ୧୯୫୮ ମସିହାରେ ଦଣ୍ଡକାରଣ୍ୟ ପ୍ରକଳ୍ପ ସ୍ଥାପିତ ହୋଇ ପୂର୍ବ ପାକିସ୍ତାନରୁ ଆସିଥିବା ଆଦିବାସୀ ଶରଣାର୍ଥୀଙ୍କ ଥଇଥାନ କାର୍ଯ୍ୟକାରୀ କରାଗଲା। ପରବର୍ତ୍ତୀ ପର୍ଯ୍ୟାୟରେ ୧୯୬୨ ମସିହାରେ ମାଲକାନାଗିରିକୁ କୋରାପୁଟ ଜିଲାର ଏକ ସବ୍‌ଡିଭିଜନ ବା ଉପଖଣ୍ଡର ମାନ୍ୟତା ଦିଆଗଲା। ୧୯୯୨ ମସିହାରେ, ଯେବେ ଓଡ଼ିଶା ରାଜ୍ୟର ଜିଲାଗୁଡ଼ିକ ପୁନର୍ଗଠନ କରାଯାଇ ୧୩ଟି ଜିଲାରୁ ୩୦ଟି ଜିଲାରେ ପରିଣତ ହେଲା, ସେତେବେଳେ ମାଲକାନଗିରି ଏକ ସ୍ବତନ୍ତ୍ର ଜିଲା ଭାବେ ଗଠିତ ହେଲା। ଜିଲା ସଦର ମହକୁମାଠାରୁ ମୋଟୁର ଦୂରତା ୮୦ରୁ ୮୫ କିଲୋମିଟର। ମାଲକାନାଗିରିରୁ ଦକ୍ଷିଣ- ପଶ୍ଚିମ ଦିଗରେ ମୋଟୁ ଆଡ଼କୁ ଗଲେ ଡାହାଣ ପଟେ ପଡ଼ିବ ଛତିଶଗଡ଼ ରାଜ୍ୟ ଓ ପୂର୍ବ ପଟେ ତେଲେଙ୍ଗାନା (ଆନ୍ଧ୍ରପ୍ରଦେଶ)।
କୋରାପୁଟ ଜିଲାର ଦକ୍ଷିଣ ପଶ୍ଚିମ ଦିଗରେ ଓଡ଼ିଶାର ଶେଷତମ ଜିଲା ମାଲକାନଗିରି ଏକଦା ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ଆଦବାସୀ ବହୁଳ ଜିଲା ଥିଲା। ଜିଲାର ଶେଷ ଆଡ଼କୁ ନିମ୍ନାଂଶରେ ଥିବା ମୋଟୁ ତହସିଲର ଗୋଜିଆ ଅଂଶଟି ସିଲେରୁ ଓ ସାବେରୀ ନଦୀର ସଂଗମ ସ୍ଥଳକୁ ସ୍ପର୍ଶ କରିଛି। ଛତିିଶଗଡ଼ ରାଜ୍ୟ, ଓଡ଼ିଶା ଓ ତେଲେଙ୍ଗାନା ରାଜ୍ୟର ଟ୍ରାଇଜଙ୍କ୍‌ସନ ପଏଣ୍ଟ ବା ତ୍ରିଜଟା ବିନ୍ଦୁକୁ କୁହାଯାଏ ‘ମୁଗି’ ପଏଣ୍ଟ। ଏଇଠି ଶେଷ ହୋଇଛି ଓଡ଼ିଶାର ସ୍ଥଳ ଭାଗ। ଏହି ଶେଷ ବିନ୍ଦୁ ପାଖାପାଖି ଠିଆ ହୋଇରହିଛି ଏକ ବିରାଟକାୟ ଶମୀ ବୃକ୍ଷ। ଓଡ଼ିଶା ରାଜ୍ୟର ଦକ୍ଷିଣ-ପଶ୍ଚିମ ପଟକୁ ଶେଷ ବୃକ୍ଷ କୁହାଯାଇପାର। ମାଲକାନାଗିରିରେ ପ୍ରବାହିତ ସିଲେରୁ ନଦୀ, ସାବେରୀ ନଦୀର ଏକ ଉପନଦୀ। ଏହି ନଦୀ ତତ୍‌କାଳୀନ ଆନ୍ଧ୍ରପ୍ରଦେଶରୁ ସୃଷ୍ଟି ହୋଇ ଓଡ଼ିଶା ମଧ୍ୟରେ ପ୍ରବାହିତ ହୋଇ ପୁନର୍ବାର ସାବେରୀ ନଦୀରେ ମିଶିଛି। ସାବେରୀ ନଦୀ ପବିତ୍ର ଗୋଦାବରୀ ନଦୀର ଅନ୍ୟତମ ମୁଖ୍ୟ ଉପନଦୀ। ଏହା ପୂର୍ବଘାଟ ପର୍ବତ ମାଳାର ପଶ୍ଚିମ ପଟେ ଥିବା ଶିଙ୍କାରାମ ପର୍ବତାଞ୍ଚଳରୁ ବାହାରିଛି। ଓଡ଼ିଶାରେ ଏହି ନଦୀ କୋଲାବ ନଦୀ ଭାବେ ମଧ୍ୟ ବିଦିତ। ଓଡ଼ିଶା ଓ ଛତିଶଗଡ଼ର ସୀମା ନିର୍ଦ୍ଧାରିତ କରୁଥିବା ଏହି ନଦୀଟି ପରେ ଆନ୍ଧ୍ର ପ୍ରଦେଶରେ ପ୍ରବେଶ କରି ଗୋଦାବରୀ ନଦୀରେ ମିଶିଛି। ସିଲେରୁ, ସାବେରୀ ଓ ଗୋଦାବରୀ ନଦୀର ସଂଗମ ସ୍ଥଳରେ ମୋଟୁ ଅର୍ଥାତ୍‌ ଦକ୍ଷିଣକୁ ଓଡ଼ିଶାର ସ୍ଥଳଭାଗ ଶେଷ ହୋଇଛି।
ତିନିପଟେ ଆଦିଗନ୍ତ ଜଳପ୍ରବାହ ପରିବେଷ୍ଟିତ ମୋଟୁର ଅଗ୍ରଭାଗ ଓ ଶେଷ ବିନ୍ଦୁର ପ୍ରାକୃତିକ ଶୋଭା ଅନନ୍ୟ, ଅବର୍ଣ୍ଣନୀୟ। ଯେ କୌଣସି ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କୁ ବିମୋହିତ କରିବ। ଏଠାରୁ ଉପଭୋଗ କରିହେବ, ଉଭୟ ସୂ​‌େ​‌ର୍ଯ୍ୟାଦୟ ଓ ସୂର୍ଯ୍ୟାସ୍ତର ବର୍ଣ୍ଣାଢ଼୍ୟ ଦୃଶ୍ୟ। ଯାହା ଦେଖାଯାଏ ଉଭୟ ସିଲେରୁ ଓ ସାବେରୀ ନଦୀର ପ୍ରଖର ଜଳସ୍ରୋତ ମୋଟୁର ସ୍ଥଳଭାଗକୁ ଉଭୟ ପଟୁ କ୍ଷୟ କରିବାରେ ଲାଗିଛି। ପଥର ବନ୍ଧ ବା ସ୍ପର ନିର୍ମାଣ କରି ଏବଂ ସେହି ଅଞ୍ଚଳରେ ପର୍ଯ୍ୟାପ୍ତ ଚାରାରୋପଣ କରି, ଦୁଇକଡ଼ର ସୁରକ୍ଷା ଅତ୍ୟନ୍ତ ଜରୁରୀ।
ଓଡ଼ିଶାର ସୀମାବର୍ତ୍ତୀ ଇଲାକାକୁ ସୂଚିତ କରୁଥିବା ମୋଟୁର ନିମ୍ନଭାଗରେ ରହିଛି ମଧୁସୂଦନ ପାର୍କ। ପାର୍କ ଭିତରେ ରହିଛି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳ ଗୌରବ ମଧୁସୂଦନ, କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଆବକ୍ଷ ପ୍ରତିମୂର୍ତ୍ତି। ରକ୍ଷଣାବେକ୍ଷଣ ଅଭାବରୁ ମଧୁସୂଦନ ପାର୍କ ତା’ର ସ୍ବତନ୍ତ୍ରତା ଓ ରମଣୀୟତା ହରାଇବାକୁ ବସିଲାଣି। ଉଭୟ ପାର୍କ ଏବଂ ଉତ୍କଳୀୟ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତିର ପୁନରୁଦ୍ଧାର ତଥା ଉନ୍ନତିକରଣର ଆବଶ୍ୟକତା ଅନୁଭବ କରିହୁଏ। ଆଦିବାସୀ ବହୁଳ ମାଲକାନଗିରି ଜିଲାର ଖଇରପୁଟ ଅଞ୍ଚଳରେ ବଣ୍ଡା ପାହାଡ଼ରେ ରହିଛନ୍ତି ଏକ ଅତି ପ୍ରାଚୀନ ଆଦିବାସୀ ସଂପ୍ରଦାୟ- ବଣ୍ଡା। ଆଚାର ବ୍ୟବହାର, ଚାଲିଚଳଣ, ବେଶପୋଷାକ, ଖାଦ୍ୟ, ବାସଗୃହ ଏବଂ ପରମ୍ପରା ଦୃଷ୍ଟିରୁ ଏମାନଙ୍କର ସ୍ବାତନ୍ତ୍ର୍ୟ ବାରି ହୋଇପଡ଼େ। ଗତବର୍ଷ ବଣ୍ଡା ସଂପ୍ରଦାୟର ପୁଅଟିଏ, ସର୍ବଭାରତୀୟ ପରୀକ୍ଷା ଦେଇ ଡାକ୍ତରୀ ପଢ଼ିବାର ଯୋଗ୍ୟତା ହାସଲ କରିଛି। ମୋଟୁ ତହସିଲର ପ୍ରମୁଖ ସଂକଟାପନ୍ନ ଆଦିମ ଜନଜାତି ହେଉଛନ୍ତି ‘କୋୟା’। ସେମାନଙ୍କର ମୁଖ୍ୟ ଜୀବିକା ପୋଡ଼ୁଚାଷ ଏବଂ ‘ମୋଟୁ’ ପ୍ରଜାତିର ଗୋପାଳନ। ମୋଟୁ ଅଞ୍ଚଳର ସ୍ଥାନୀୟ ପ୍ରଜାତି ହୋଇଥିବାରୁୁ, ସେମାନଙ୍କର ନାମକରଣ ହୋଇଛି ‘ମୋଟୁ’। ଏହି ପ୍ରଜାତିର ଗାଈ, ବଳଦ ଦେଖିବାକୁ ବାଙ୍ଗରା, ହୃଷ୍ଟପୁଷ୍ଟ ଏବଂ ଦୁର୍ଗମ, ପାହାଡିଆ, ଖାଲଢ଼ିପ ରାସ୍ତାରେ ଭାର ସହ ଗାଡ଼ି ଟାଣିବା ଓ କୃଷି କାର୍ଯ୍ୟରେ ବ୍ୟବହୃତ ହୋଇଥାନ୍ତି।
କୋୟା ସଂପ୍ରଦାୟର ପ୍ରମୁଖ ପର୍ବ ଚଇତି ପର୍ବ। ସାଧାରଣତଃ ମାର୍ଚ୍ଚ-ଏପ୍ରିଲ ମାସରେ ଅନୁଷ୍ଠିତ ହେଉଥିବା ଏହି ପର୍ବରେ ସଂପ୍ରଦାୟର ସମସ୍ତ ପୁରୁଷ ବ୍ୟକ୍ତି ଅଖଣ୍ଡ ଶିକାର ଉଦ୍ଦେଶ୍ୟରେ ବାହାରି ପଡ଼ନ୍ତି। ବିମୁଦ ପାଣ୍ଡୁ ସେମାନଙ୍କର ଅନ୍ୟ ଏକ ଉତ୍ସବ। ଯେଉଁଦିନ ସେମାନେ ଇନ୍ଦ୍ରଦେବଙ୍କୁ ପୂଜା କରି ଡଙ୍ଗରରେ ମଞ୍ଜି ବୁଣିବା କାର୍ଯ୍ୟ ଆରମ୍ଭ କରନ୍ତି। ଦଶହରା ପର୍ବରେ ଫସଲ ଅମଳ କରି ନୂଆଧାନ ଖାଆନ୍ତି। କୋୟା ଜନଜାତି ସଂପ୍ରଦାୟର ଜୀବନ ଜୀବିକା ହେଉଛି, ପୋଡ଼ୁଚାଷ, ଗୋପାଳନ, ଜଙ୍ଗଲରୁ ଫଳ, ମୂଳ, କନ୍ଦ ସଂଗ୍ରହ ଏବଂ ମାଂସ ପାଇଁ ପଶୁ ଶିକାର। ମାଲକାନଗିରି ଜିଲା ସଦର ମହକୁମାରେ, ଯେପରି ଜିଲାର ଆଦିବାସୀ ଜନଜାତିଙ୍କର ସଂସ୍କୃତି, ଚାଲିଚଳଣ, ବେଶପୋଷାକ, ଘରଦ୍ବାର, ପରମ୍ପରା ତଥା ଜୀବନ ଜୀବିକାକୁ ଆଧାର କରି ପ୍ରତିବର୍ଷ ‘ମାଲ୍ୟବନ୍ତ’ ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି, ସେହିପରି କେବଳ କୋୟ​‌​‌ା ଜନଜାତିଙ୍କର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନେଇ ମୋଟୁରେ ଏକ ମହୋତ୍ସବର ଆୟୋଜନ କରାଯାଇପାରନ୍ତା। ଏହା ବ୍ୟତୀତ ଏକ ଆଦିବାସୀ ସଂଗ୍ରହାଳୟ ପ୍ରତିଷ୍ଠା କରି ଆଦିବାସୀମାନଙ୍କର ଧରୋହରକୁ ପ୍ରଦର୍ଶନ କରିପାରିଲେ ତାହା ମଧ୍ୟ ପର୍ଯ୍ୟଟକମାନଙ୍କର ଦୃଷ୍ଟିଆକର୍ଷଣ କରନ୍ତା। କୋୟା ଜନଜାତି ମୁଣ୍ଡରେ ପିନ୍ଧୁଥିବା ଶିରସ୍ତ୍ରାଣ ଦେଖିବାକୁ ସୁନ୍ଦର ଓ ଆକର୍ଷଣୀୟ। ଅନ୍ୟ କୌଣସି ଆଦିବାସୀ ସଂପ୍ରଦାୟ ଏପରି ଶିରସ୍ତ୍ରାଣ ବ୍ୟବହାର କରନ୍ତି ନାହିଁ। ସିଲେରୁ ଓ ସାବେରୀ ନଦୀର ସଂଗମ ସ୍ଥଳରେ ଅବସ୍ଥିତ ମୋଟୁ, ତାର ପ୍ରାକୃତିକ ହ୍ୟାଣ୍ଡସ୍କେପ, ପାହାଡ଼, ଜଙ୍ଗଲ, ଜନଜାତି ଓ ଝରଣା ତଥା ନଦୀନାଳକୁ ନେଇ ଋଦ୍ଧିମନ୍ତ। ଗମନାଗମନର ସୁବିଧା ହୋଇପାରିଲେ ମୋଟୁ ଏବଂ ସିଲେରୁ ନଦୀର ଉପରିଭାଗରେ ସୃଷ୍ଟ କୃତ୍ରିମ ବାଲିମେଳା ଜଳଭଣ୍ଡାର, ମାଛକୁଣ୍ଡ ଜଳପ୍ରପାତକୁ କେନ୍ଦ୍ରକରି ଏକ ସୁନ୍ଦର, ମନୋରମ ପ୍ରକୃତି ପର୍ଯ୍ୟଟନ କେନ୍ଦ୍ର ଗଢ଼ି ଉଠନ୍ତା। ଯେଉଁଥିରୁ ସ୍ଥାନୀୟ ଜନଜାତି ସଂପ୍ରଦାୟଙ୍କୁ ଆର୍ଥିକ ସହାୟତା ମିଳିପାରନ୍ତା।
ବାଲିମେଳା ଜଳଭଣ୍ଡାର ଉପରେ ଚିତ୍ରକୋଣ୍ଡା ଓ ଜାନବାଇ ଗ୍ରାମ ସମୂହ (ଯାହାକୁ ସ୍ବାଭିମାନ ଅଞ୍ଚଳ କୁହାଯାଉଛି)କୁ ସଂଯୁକ୍ତ କରି ନିକଟ ଅତୀତରେ ୯୧୦ ମିଟର ଲମ୍ବ ଗୁରୁପ୍ରିୟା ସେତୁ ନିର୍ମାଣ କରାଯାଇଛି। ଏହି ସେତୁ ମଧ୍ୟ ପର୍ଯ୍ୟଟକଙ୍କ ନିମନ୍ତେ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଅନ୍ୟପଟେ ସାବେରୀ ଓ ସିଲେରୁ ନଦୀ ଉପରେ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼କୁ ସଂଯୁକ୍ତ କରିବା ପାଇଁ ଦୁଇଟି ସେତୁ ନିର୍ମାଣ କରାଯାଉଛି। ଓଡ଼ିଶାର ମୋଟୁର ଅନ୍ୟ ଏକ ସେତୁ ସାବେରୀ ନଦୀ ଉପରେ ନିର୍ମାଣ କରାଯାଇପାରିଲେ, ଏହା ତେଲଙ୍ଗାନାର ପ୍ରସିଦ୍ଧ ସହର ଭଦ୍ରାଚଳମ୍‌କୁ ସଂଯୁକ୍ତ କରିପାରନ୍ତା। ସେଠି ଏକ ଦର୍ଶନୀୟ ପ୍ରାଚୀନ ରାମମନ୍ଦିର ରହିଛି। ରେଳପଥରେ ମଧ୍ୟ କୋରାପୁଟ-ଜଗଦଳପୁରଲାଇନ୍‌ରେ, ଜୟପୁରଠାରୁ ମାଲକାନାଗିରି ଦେଇ ମୋଟୁକୁ ଯୋଡ଼ି ହୁଅନ୍ତା। ଗମନାଗମନର ସୁବିଧା କରି ମାଲକାନଗିରି ସହିତ ମୋଟୁକୁ ଏକ ଆକର୍ଷଣୀୟ ପ୍ରକୃତି ପର୍ଯ୍ୟଟନ ସ୍ଥଳୀ ରୂପେ ଗଢ଼ିବାକୁ ହେଲେ ଏକ ସୁଚିନ୍ତିତ ଯୋଜନା ଦରକାର। ଏହାର ବିବିଧତା କନ୍ୟାକୁମାରୀଠାରୁ କୌଣସି ଗୁଣରେ କମ୍‌ ହେବନାହିଁ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories