ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଟେଷ୍ଟ ଶୃଙ୍ଖଳାର ତୃତୀୟ ମ୍ୟାଚ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଚଳିତ ଜୁଲାଇ ୧୦ରୁ ଖେଳାଯିବ। ଶୃଙ୍ଖଳାର ପ୍ରଥମ ମ୍ୟାଚକୁ ଇଂଲଣ୍ଡ ୫ ୱିକେଟରେ ଜିତିଥିବାବେଳେ ଦ୍ବିତୀୟ ମ୍ୟାଚକୁ ଭାରତ ୩୩୬ରନରେ ଜିତି ଶୃଙ୍ଖଳାକୁ ୧-୧ ବରାବର କରିଛି। ପ୍ରଥମ ଦୁଇ ଟେଷ୍ଟରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ଙ୍କ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଏବେ ଇଂଲଣ୍ଡ ବୋଲରଙ୍କ ନିଦ ହଜାଇ ଦେଇଛି। ଗିଲ୍ ପ୍ରଥମ ଦୁଇ ଟେଷ୍ଟର ୪ଟି ଇନିଂସରୁ ୫୮୫ରନ କରିଛନ୍ତି। ଗିଲ୍ ହେଡିଂଲିରେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୧୪୭ ଓ ଦ୍ବିତୀୟ ଇନିଂସରେ ୮ ଓ ଏଜବାଷ୍ଟନରେ ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୨୬୯ରନ ଓ ଦ୍ବିତୀୟ ଇନିଂସରେ ୧୬୧ରନ କରିଥିଲେ। ଗିଲଙ୍କ ବ୍ୟାଟିଂକୁ ଇଂଲଣ୍ଡ କ୍ରିକେଟର ଜୋଶ ବଟ୍ଲର ଓ ପୂର୍ବତନ ଦ୍ରୁତ ବୋଲର ଷ୍ଟିୱାଟ୍ ବ୍ରଡ୍ ପ୍ରଶଂସା କରିଛନ୍ତି। ଲର୍ଡସ ଟେଷ୍ଟରେ ଗିଲ୍ଙ୍କ ୱିକେଟ କିଏ ନେବ ବୋଲି ବଟ୍ଲର ଇଂଲଣ୍ଡ ବୋଲରଙ୍କୁ ପ୍ରଶ୍ନ କରିଛନ୍ତି।
ଲଭ ଅଫ କ୍ରିକେଟ ପୋଡକାଷ୍ଟରେ ଆଲୋଚନାବେଳେ ବ୍ରଡ୍ କହିଛନ୍ତି ଯେ,ଗିଲ୍ଙ୍କ ନିକଟରେ ୱେଷ୍ଟଇଣ୍ଡିଜ୍ର ପୂର୍ବତନ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରାଙ୍କ ରେକର୍ଡକୁ ଭାଙ୍ଗିବାର ଦକ୍ଷତା ରହିଛି। ଏଜବାଷ୍ଟନରେ ତାଙ୍କର ୨୬୯ରନର ଇନିଂସ ଏହା ପ୍ରମାଣିତ କରିଛି। ଏଜବାଷ୍ଟନରେ ଗିଲ୍ ଇଂଲଣ୍ଡ ବୋଲରଙ୍କୁ ବିନା ବାଧାରେ ଖେଳିଥିଲେ। ପୂର୍ବରୁ ଗିଲ ଓପନିଂ ଓ ଦ୍ବିତୀୟ ଡାଉନରେ ଟେଷ୍ଟ କ୍ରିକେଟରେ ଖେଳୁଥିଲେ। ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଗିଲ ଏବେ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରୁଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଗିଲ୍ ଅଧିନାୟକ ସହ ୪ ନମ୍ବର ସ୍ଥାନରେ ଚମତ୍କାର ବ୍ୟାଟିଂ କରୁଛନ୍ତି। ଯାହା ଭାରତ ପାଇଁ ଫଳପ୍ରଦ ହେଉଛି ବୋଲି ବ୍ରଡ୍ କହିଛନ୍ତି। ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ବେଳକୁ ଅନେକ ସମୟରେ ବଲ୍ ପୁରୁଣା ହୋଇଯାଇଥାଏ। ଯାହା ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ। ଗିଲ୍ଙ୍କ କ୍ଷେତ୍ରରେ ତାହା ଦେଖିବାକୁ ମିଳିଛି। କାରଣ ଚଳିତ ଶୃଙ୍ଖଳାର ପ୍ରଥମ ଦୁଇ ଟେଷ୍ଟରେ ଭାରତୀୟ ଓପନର ରନ କରୁଥିବାବେଳେ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସୁଥିବା ଗିଲ୍ଙ୍କ ବେଳକୁ ଚାପ ହଟିବା ସହ ବଲ ମଧ୍ୟ ପୁରୁଣା ହୋଇଯାଇଥିଲା। ଯାହା ଫଳରେ ଗିଲ୍ ବିନା ଚାପରେ ଲମ୍ବା ଇନିଂସ ଖେଳିବାରେ ସଫଳ ହୋଇଥିଲେ ବୋଲି ବଟ୍ଲର କହିଛନ୍ତି। ଅଧିନାୟକ ଚାପ ଗିଲ୍ଙ୍କ ନିକଟରେ ଦେଖିବାକୁ ମିଳୁନାହିଁ। ଯାହା ଭଲ ବ୍ୟାଟିଂ କରିବାରେ ଗିଲଙ୍କ ପାଇଁ ସହାୟକ ହେଉଛି।
ଅବଶିଷ୍ଟ ୩ ଟେଷ୍ଟ ମ୍ୟାଚରେ ଗିଲଙ୍କ ୱିକେଟ ପାଇଁ ଇଂଲଣ୍ଡ ବୋଲରମାନଙ୍କୁ ଯୋଜନା ସହ ବୋଲିଂ କରିବାକୁ ପଡ଼ିବ। ନଚେତ ଇଂଲଣ୍ଡକୁ ଟେଷ୍ଟ ଶୃଙ୍ଖଳା ଜିତିବା ସହଜ ହେବ ନାହିଁ । ବିଶେଷ କରି ଲର୍ଡସରେ ଗିଲ୍ଙ୍କୁ କିଏ ଆଉଟ୍ କରିବ ତାହା ଏବେ ଇଂଲଣ୍ଡ ବୋଲରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି ବୋଲି ବଟ୍ଲର କହିଛନ୍ତି। ବୋଲିଂ ବିଭାଗରେ ଇଂଲଣ୍ଡ ବେଶ ଦୁର୍ବଳ ରହିଛି। ପ୍ରଥମ ଦୁଇ ଟେଷ୍ଟରେ ଇଂଲଣ୍ଡ ବୋଲରମାନେ ସେଭଳି ଭଲ ପ୍ରଦର୍ଶନ କରିପାରିନାହାନ୍ତି। ଲର୍ଡସ ଟେଷ୍ଟକୁ ଜେଫ୍ରା ଆର୍ଚର ଇଂଲଣ୍ଡର ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ଜରୁରୀ ବୋଲି ବଟ୍ଲର କହିଛନ୍ତି।



