ଚନ୍ଦନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର ବାଲେଶ୍ୱର ଜିଲାର ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ସମୀକ୍ଷା ବୈଠକ କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳକୁ ୭ ଦିନର ରିଲିଫ ଚାଉଳ ଯୋଗାଣ ସହିତ ଗୃହପାଳିତ ପଶୁଙ୍କୁ ଖାଦ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟାରେ ପ୍ରାଣହାନି ଘଟିଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପା ସହାୟତା ମିଳିବ। ଅପରପକ୍ଷରେ ଚାଷର କ୍ଷୟକ୍ଷତି ସମ୍ପର୍କରେ ଏସ୍ଆରସିଙ୍କୁ ଅବଗତ କରାଯିବା ପରେ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ। ସେହିପରି ଝାଡ଼ଖଣ୍ଡର ଚାନ୍ଦିଲ ଜଳଭଣ୍ଡାରରୁ ଅଧିକ ପାଣି ଛଡ଼ାଯିବାରୁ ସୁବର୍ଣ୍ଣରେଖାରେ ୨ ଥର ବଡ଼ ବନ୍ୟା ଆସିଲା। ଏହି କୃତ୍ରିମ ବନ୍ୟାକୁ ରୋକିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେ ରାଜ୍ୟର ସରକାରଙ୍କ ସହ କଥା ହେବେ ବୋଲି ଶ୍ରୀମତୀ ପରିଡ଼ା କହିଥିଲେ। ତେବେ ବନ୍ୟା ବିପନ୍ନଙ୍କୁ ସରକାର ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଥିବାବେଳେ ପ୍ରଶାସନର ଅବ୍ୟବସ୍ଥାକୁ ନେଇ ବୈଠକରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ କହିଥିଲେ। ଏଥିସହିତ ଜଳ ନିଷ୍କାସନ ପଥ ଅବରୋଧ ହଟାଇବାକୁ ପ୍ରଶାସନିକ ଅଧିକାରୀଙ୍କୁ ତାଗିଦ କରିଥିଲେ।
ଆକାଶ ମାର୍ଗରୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ବସ୍ତା, ଜଳେଶ୍ୱର, ବାଲିଆପାଳ ଓ ଭୋଗରାଇ ବ୍ଲକର ବିଭିନ୍ନ ଅଞ୍ଚଳର ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ସହ ବୋଟରେ ମଧ୍ୟ କେତେକ ଅଞ୍ଚଳକୁ ଯାଇ ବିପନ୍ନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଭୋଗରାଇର ତାଳସାରି ନିକଟ ବିନ୍ଧା ପଦ୍ମପୁରରେ ଓହ୍ଲାଇ ପରେ ଭୋଗରାଇ ଲକ୍ ନିକଟରୁ ସ୍ୱତନ୍ତ୍ର ବୋଟ ଦ୍ବାରା ଭରା ନଈରେ ବାଉଁଶଖଣା ପ୍ରାଥମିକ ବିଦ୍ୟାଳୟ ନିକଟରେ ପହଞ୍ଚିଥିଲେ। ସେଠାରେ ବାଉଁଶଖଣା, କୁହ୍ଲା, କୁମ୍ଭୀରଗଡ଼ି ଆଦି ଗାଁର ଲୋକଙ୍କୁ ଭେଟି ଦୁର୍ଦ୍ଦଶା ସମ୍ପର୍କରେ ପଚାରି ବୁଝିଥିଲେ। ସେଠାରୁ କାରରେ ବାଲିଆପାଳକୁ ଯିବା ସହ ବୋଟରେ ଯାଇ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ପରେ ତାଳସାରି ପାନ୍ଥ ନିବାସରେ ସ୍ଥିତି ସମୀକ୍ଷା କରିଥିଲେ। ପ୍ରଥମେ ଜିଲାପାଳ ସୁବର୍ଣ୍ଣରେଖାରେ ହୋଇଥିବା ୨ଟି ବନ୍ୟାର ମୁକାବିଲା ସମ୍ପର୍କିତ ତଥ୍ୟକୁ ଉପସ୍ଥାପନ କରିଥିଲେ।
ବୈଠକରେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ବ୍ଲକର ୧୩ ପଞ୍ଚାୟତ ବନ୍ୟା ପାଣି ଘେରରେ ରହିଥିବା ବେଳେ ପ୍ରଶାସନ ପୂର୍ବ ପ୍ରସ୍ତୁତି ନେବାରେ ଅସଫଳ ହୋଇଥିବା କହିଥିଲେ। ସେ କହିଥିଲେ ଯେ ୨ଟି ବନ୍ୟା ଲୋକେ ଅତିବାହିତ କଲେ, କିନ୍ତୁ ରିଲିଫ ମିଳିଲା ନାହିଁ। ଏଫଡିଆର ଅର୍ଥରେ ରାସ୍ତା ମରାମତି, ରିଲିଫ କୋଡ ଅନୁଯାୟୀ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନରେ ଅବ୍ୟବସ୍ଥା ବିଷୟରେ କହିବା ସହ ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ କରିବା ନେଇ ଦାବି ଉପସ୍ଥାପନ କରିଥିଲେ। ବସ୍ତା ବିଧାୟିକା ସୁବାସିନୀ ଜେନା ବସ୍ତା, ବାଲିଆପାଳ ବ୍ଲକରେ ୩ ଜଣ ବନ୍ୟାରେ ମୃତ୍ୟୁବରଣ କରିଥିବା ସୂଚନା ଦେବା ସହ ଜରୁରୀକାଳୀନ ବୋଟ ନ ଥିବାରୁ ଏଭଳି ଅଘଟଣ ଘଟିଲା ବୋଲି କହିଥିଲେ। ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର ଜଳ ଆୟୋଗ କମିଟିର ଭୁଲ ବୁଝାମଣା ପାଇଁ ଏଭଳି ସମସ୍ୟା ଉପୁଜିଥିବା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଦର ବିଧାୟକ ମାନସ ଦତ୍ତ, ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ, ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଏସପି ରାଜ ପ୍ରସାଦ, ପ୍ରକଳ୍ପ ନିର୍ଦ୍ଦେଶକ ସଞ୍ଜୟ କୁମାର ପାଢ଼ୀ, ଅତିରିକ୍ତ ଜିଲାପାଳ ସୁଧାକର ନାୟକ, ଉପ ଜିଲାପାଳ ମଧୁସ୍ମିତା ସାମନ୍ତରାୟ, ଭୋଗରାଇ ବିଡିଓ ପ୍ରଶାନ୍ତ କୁମାର ମହାରଣା, ତହସିଲଦାର ସୂର୍ଯ୍ୟ କୁମାର ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ବିଜେପି ନେତା ଆଶିଷ କୁମାର ପାତ୍ର, ସଞ୍ଜୀବ ସାହୁ, ଅଂଶୁମାନ ମହାନ୍ତି, ଦିଲ୍ଲୀପ କୁମାର କାମିଳାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।



