ଆଠଗଡ: ଆଠଗଡ ବ୍ଲକର ସମସରପୁରସ୍ଥିତ ପିଏମଶ୍ରୀ ସାବିତ୍ରୀ ରଥ ନୋଡାଲ ବିଦ୍ୟାପୀଠରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଶଙ୍କର୍ଷଣ ସାହୁ ଏଥିରେ ଉଦବୋଧନ ଦେଇ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମାନବସେବାକୁ ଜୀବନର ବ୍ରତ ଗ୍ରହଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଗୋପବନ୍ଧୁଙ୍କ ମାନବସେବା, ସମାଜସେବା ଓ ଜାତୀୟତାବାଦ ଚିନ୍ତାଧାରା ବିଷୟରେ ଅବତାରଣା କରିଥିଲେ। ଛାତ୍ରଛାତ୍ରୀ ଗୋପବନ୍ଧୁଙ୍କ ଜୀବନୀ ପୁସ୍ତକ ପଠନ କରି ସେହି ମହାନ ବ୍ୟକ୍ତିଙ୍କ ବିଷୟରେ ଅବଗତ ହେବା ଲାଗି ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ସମସ୍ତେ ସ୍କୁଲ ପରିସରରେ ପ୍ରତିଷ୍ଠିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଆଠଗଡ ବ୍ଲକର ଖୁଣ୍ଟକଟାସ୍ଥିତ ଗୋପବନ୍ଧୁ ବାଳିକା ହାଇସ୍କୁଲରେ ମହାନ ଜନସେବକ, ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ ଓ ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ୯୭ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ମମତା ପଣ୍ଡା ନିଜ ବକ୍ତବ୍ୟରେ ଗୋପବନ୍ଧୁ ହେଉଛନ୍ତି ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଏବଂ ତାଙ୍କ ପରି ନିସ୍ୱାର୍ଥପର ତଥା ସମର୍ପିତ ଜନସେବକ ସାରା ବିଶ୍ବରେ ବିରଳ ବୋଲି ମତବ୍ୟକ୍ତ କରିଥିଲେ। ବରିଷ୍ଠ ଶିକ୍ଷକ ଅଶୋକ କୁମାର ମିଶ୍ର ଗୋପବନ୍ଧୁଙ୍କୁ ଅମୁଲ୍ୟ ମଣି ବୋଲି କହିବା ସହ ତାଙ୍କ ଆଦର୍ଶକୁ ପାଥେୟ କରି ଛାତ୍ରଛାତ୍ରୀ ନିଜ ଜୀବନକୁ ସେବାରେ ଉତ୍ସର୍ଗ କରିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷୟିତ୍ରୀ ସବିତା ଭୋଳ, ଜୟଶ୍ରୀ ଜେନା, ପ୍ରତିକ୍ଷା ପରିଡା, ମଞ୍ଜୁଶ୍ରୀ ବେହେରା, ଶିକ୍ଷକ ବୈଦ୍ୟନାଥ ରଣା, ଶ୍ରୀକାନ୍ତ ନନ୍ଦ, କ୍ରୀଡା ଶିକ୍ଷୟିତ୍ରୀ ବିନୋଦିନୀ ସାହୁ ପ୍ରମୁଖ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରାରମ୍ଭରେ ସ୍କୁଲ ପରିସରରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା।
ଆଠଗଡ ବ୍ଲକର ଜେନାପଦା ପଞ୍ଚାୟତ ଅନ୍ତର୍ଗତ ଜେନାପଦା ନୋଡାଲ ହାଇସ୍କୁଲରେ ମହାନ ଜନସେବକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୯୭ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ଚିନ୍ମୟୀ ନାୟକ ଏଥିରେ ପୌରୋହିତ୍ୟ କରି ପଣ୍ଡିତ ଗୋପବନ୍ଧୁଙ୍କ ତ୍ଯାଗପୁତ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କ ନିସ୍ୱାର୍ଥପର ସେବା ମନୋଭାବରେ ଅଭିମନ୍ତ୍ରିତ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସ୍କୁଲ ପରିସରରେ ପ୍ରତିଷ୍ଠିତ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପ୍ରଧାନଶିକ୍ଷୟତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ମାଲ୍ୟାର୍ପଣ କରି ଶ୍ରଦ୍ଧାଞଳି ଅର୍ପଣ କରିଥିଲେ। ଶିକ୍ଷକ ମନମୋହନ ଖଟୁଆ, ମୁରଲୀଧର ସାହୁ, କୈବଲ୍ୟ ଦେହୁରୀ, ବିଜୟ କୁମାର ସାହୁ, ସଂଗ୍ରାମ କେଶରୀ ନାୟକ, ସୁଶୋଭିତ ନାୟକ, ଶିକ୍ଷୟିତ୍ରୀ ମଧୁସ୍ମିତା ମହାପାତ୍ର ଓ ପ୍ରିୟଙ୍କା ମିଶ୍ର ପ୍ରମୁଖ ଉତ୍କଳମଣିଙ୍କ ସ୍ମୃତିଚାରଣ କରିଥିଲେ।



