ସନ୍ଥ ରବି ଦାସଙ୍କ ବାଣୀ ଓ ଶିକ୍ଷା ଯୁବ ପିଢ଼ୀଙ୍କୁ ଅନୁପ୍ରାଣିତ କରିବ – ପ୍ରଧାନମନ୍ତ୍ରୀ

ବାରଣାସୀ: ସନ୍ଥ ରବି ଦାସଙ୍କର ବାଣୀ ଓ ଶିକ୍ଷା ଯୁବ ପିଢ଼ୀଙ୍କୁ ଅନୁପ୍ରାଣିତ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଗୁରୁ ରବି ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ କହିଛନ୍ତି ବାଛ ବିଚାର ବିନା ସମସ୍ତଙ୍କ ପ୍ରତି ଧ୍ୟାନ ଦିଆଗଲା ଭଳି ଏକ ଭାରତବର୍ଷ ଗଠନ ପାଇଁ ରବି ଦାସଙ୍କର ଯେଉଁ ଦୂରଦୃଷ୍ଟି ଥିଲା ତାହାକୁ ସମସ୍ତେ ପାଳନ କରିବା ଉଚିତ୍। ପ୍ରଧାନମନ୍ତ୍ରୀ ମଙ୍ଗଳବାରଦିନ ବାରଣାସୀର ଡିଜେଲ ଲୋକୋମୋଟିଭ ୱାର୍କସପ୍ ଡି.ଏଲ୍.ଡବ୍ଲ୍ୟୁ ପରିସରରେ ଡିଜେଲ ଇଞ୍ଜିନକୁ ବିଦ୍ୟୁତ୍ଚାଳିତ ଦୈତ୍ୟ ଇଞ୍ଜିନଯୁକ୍ତ ୧୦ହଜାର ହର୍ଷପାୱାର କ୍ଷମତାସମ୍ପନ୍ନ ପ୍ରଥମ ରେଳ ଇଞ୍ଜିନର ଶୁଭାରମ୍ଭ କରିଛନ୍ତି। ଡି.ଡବ୍ଲ୍ୟୁ ପରିସରରେ ରେଳ ଇଞ୍ଜିନ ପ୍ରଦର୍ଶନୀକୁ ମଧ୍ୟ ସେ ବୁଲି ଦେଖିଛନ୍ତି। ତା’ପରେ ଶ୍ରୀ ମୋଦି ସିଏର୍ ଗୋବର୍ଦ୍ଧନଠାରେ ସନ୍ଥ ରବି ଦାସ ମନ୍ଦିରରେ ପହଞ୍ଚି ରବି ଦାସ ଜନ୍ମସ୍ଥାନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇଥିଲେ। । ଏହି ଅବସରରେ ସେଠାରେ ଉଦବୋଧନ ଦେଲାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଉନ୍ନତି ପାଇଁ ତାଙ୍କ ସରକାର କାମ କରୁଛି।