www.samajalive.in
Sunday, December 7, 2025
16.1 C
Bhubaneswar

ଟଙ୍କା ଗଚ୍ଛିତ କୋଠରି ବିଚାରପତି ବର୍ମା ଓ ତାଙ୍କ ପରିବାରର ନିୟନ୍ତ୍ରଣରେ ଥିଲା

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଯଶବନ୍ତ ବର୍ମାଙ୍କ ବାସଭବନରୁ ବିପୁଳ ପରିମାଣର ଅଧାପୋଡା ୫୦୦ ଟଙ୍କିଆ ନୋଟ୍ ଜବତ ହେବା ଘଟଣାରେ ତଦନ୍ତ କମିଟି ରିପୋର୍ଟ ପଦାକୁ ଆସିବାରେ ଲାଗିଛି। ତଦନ୍ତ ରିପୋର୍ଟ ସାର୍ବଜନୀନ ହୋଇ ନଥିଲେ ମଧ୍ୟ ଏହା କେତେକ ଗଣମାଧ୍ୟମର ହସ୍ତଗତ ହୋଇଛି। ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଶୀଲ ନାଗୁଙ୍କ ଅଧ୍ୟକ୍ଷତାରେ ତିନିଜଣିଆ ବିଚାରପତି କମିଟି ଏହି ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିସାରିଛନ୍ତି। କମିଟି ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିଥିବା ୬୪ ପୃଷ୍ଠାର ତଦନ୍ତ ରିପୋର୍ଟରେ ବିଚାରପତି ବର୍ମାଙ୍କୁ ବହିଷ୍କାର କରିବାକୁ ପ୍ରସ୍ତାବ ଦେଇଥିବା ଜଣାଯାଇଛି। ସୁପାରିସ ଆଧାରରେ ସୁପ୍ରିମକୋର୍ଟ ବିଚାରପତି ବର୍ମାଙ୍କୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଥିଲେ। ମାତ୍ର ସେ ଏହି ସୁପାରିସକୁ ଅଗ୍ରାହ୍ୟ କରିଥିଲେ। ଫଳରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପତ୍ର ଲେଖି ବିଚାରପତି ବର୍ମାଙ୍କୁ ବହିଷ୍କାର ନିମନ୍ତେ ମହାଭିଯୋଗ ପ୍ରକ୍ରିୟା ଅନୁସରଣ କରିବାକୁ ସୁପାରିସ କରିଥିଲେ। ଏହି ସୁପାରିସ ଆଧାରରେ ବିଚାରପତି ବର୍ମାଙ୍କୁ ବହିଷ୍କାର ନିମନ୍ତେ ଆଗାମୀ ସଂସଦ ଅଧିବେଶନ କାଳରେ ମହାଭିଯୋଗ ପ୍ରସ୍ତାବ ଆଗତ ଲାଗି ଏକପ୍ରକାର ସ୍ଥିର ହୋଇଛି।
ଗଣମାଧ୍ୟମର ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ ବିଚାରପତି ବର୍ମାଙ୍କ ବାସଭବନର ଯେଉଁ କୋଠରି (ଆଉଟ୍ ହାଉସ୍‌)ରୁ ଟଙ୍କା ଜବତ ହୋଇଥିଲା ତାହା ତାଙ୍କର ଓ ତାଙ୍କ ପରିବାରର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଥିଲା। ବାସଭବନ ଆଉଟ୍ ହାଉସ୍‌ ସୁରକ୍ଷା କର୍ମଚାରୀ ଓ ଅନ୍ୟ ସହାୟକଙ୍କ ବ୍ୟବହାର ନିମନ୍ତେ ଉପଯୋଗ ହୋଇଥାଏ। ଏଠାକୁ କର୍ମଚାରୀଙ୍କ ଆତଯାତ ହୋଇଥାଏ। ମାତ୍ର ବିଚାରପତି ବର୍ମାଙ୍କ ଆଉଟ୍ ହାଉସ ତାଙ୍କ ପରିବାର ନିୟନ୍ତ୍ରଣରେ ରହିଥିଲା ଏଠାକୁ ଅନ୍ୟମାନଙ୍କ ପ୍ରବେଶ ନିଷିଦ୍ଧ ଥିଲା। ବିଚାରପତି ବର୍ମାଙ୍କ ଆଉଟ୍ ହାଉସ୍‌ରେ ନିଆଁ ଲାଗିବା ପରେ ଏଠାରୁ ବିପୁଳ ପରିମାଣର ଅଧାପୋଡା ୫୦୦ ଟଙ୍କିଆ ନୋଟ୍ ଜବତ କରାଯାଇଥିଲା। ଯାହା ପରବର୍ତ୍ତୀ ସମୟରେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ତଦନ୍ତ କମିଟି ଏହାର ତଦନ୍ତ ସମୟରେ ୫୫ ଜଣ ସାକ୍ଷୀଙ୍କ ମତାମତ ନେଇଥିଲେ। ଏହା ସହିତ ସେମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ତଦନ୍ତ ସମୟରେ ବିଚାରପତି ବର୍ମା କମିଟିକୁ ସହଯୋଗ କରି ନଥିଲେ। କମିଟିର ପ୍ରଶ୍ନକୁ ସେ ପ୍ରାୟତଃ ଏଡାଇ ଯାଇଥିଲେ। ଟଙ୍କା ଜବତ ହେବା ଘଟଣା ପଛରେ ଷଡଯନ୍ତ୍ର ରହିଥିବା ନେଇ ବିଚାରପତି ବର୍ମାଙ୍କ ସଫେଇକୁ ତଦନ୍ତ କମିଟି ଅଗ୍ରାହ୍ୟ କରିଛନ୍ତି। ଘଟଣା ପଛରେ ଷଡଯନ୍ତ୍ର ରହିଥିବା ନେଇ ବିଚାରପତି ବର୍ମା ଅଭିଯୋଗ କରିଥିବାବେଳେ ଏ ସମ୍ପର୍କରେ ପୁଲିସ ନିକଟରେ ମାମଲା ରୁଜୁ କରି ନଥିଲେ। ଏପରି କି ଏ ସମ୍ପର୍କରେ ସେ ହାଇକୋର୍ଟ ମୁଖ୍ୟ ବିଚାରପତି କିମ୍ବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଜଣାଇ ନଥିଲେ। ବିଚାରପତି ବର୍ମାଙ୍କ ଘରେ ନିଆଁ ଲାଗିବା ସମୟରେ ସେ ବାହାରେ ଥିଲେ। ଘରକୁ ଫେରିବା ପରେ ସେ ନିଆଁ ଲାଗିଥିବା କୋଠରିକୁ ଥରେ ମଧ୍ୟ ଦେଖିବାକୁ ଯାଇ ନଥିଲେ।
ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ନିଆଁ ଲାଗିଥିବା ସ୍ଥାନକୁ ଯାଇ ନିଜର କ୍ଷୟକ୍ଷତିକୁ ଆକଳନ କରିଥାନ୍ତି। ଘରୁ ଟଙ୍କା ଜବତ ଘଟଣା ପରେ ବିଚାରପତି ବର୍ମାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଥିଲା। ଏହି ବଦଳିକୁ ନେଇ ବିଚାରପତି ବର୍ମା କୌଣସି ପ୍ରକାର ଆପତ୍ତି ନ ଉଠାଇବାକୁ ନେଇ ତଦନ୍ତ କମିଟି ଆଶ୍ଚର୍ଯ୍ୟ ପ୍ରକାଶ କରିଛି। ଆଉ ମଧ୍ୟ ଯେଉଁ କୋଠରିରେ ନିଆଁ ଲାଗିଥିଲା ତା’ର ପ୍ରବେଶ ପଥରେ ଲାଗିଥିବା ସିସିଟିଭି କ୍ୟାମେରା ଅଚଳ ଥିଲା। ସିସିଟିଭି କାହିଁକି ଅଚଳ ଥିଲା ବୋଲି କମିଟି ପ୍ରଶ୍ନ କରିଥିଲା। ଉତ୍ତରରେ ବିଚାରପତି ବର୍ମା କହିଥିଲେ ଯେ ସିସିଟିଭି କ୍ୟାମେରା ସୁରକ୍ଷାକର୍ମୀଙ୍କ ଦାୟିତ୍ବରେ ଥିଲା ତେଣୁ ଏହା ବାବଦରେ ସେ ଅବଗତ ନଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories