www.samajalive.in
Monday, December 8, 2025
14.1 C
Bhubaneswar

ଦୁର୍ନୀତିଖୋରଙ୍କୁ ତ୍ରାହି ନାହିଁ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରୁ ଦୁର୍ନୀତି ମୂଳୋତ୍ପାଟନ ପାଇଁ ମୋହନ ସରକାର ଅଭିଯାନ ଆରମ୍ଭ କରିଛନ୍ତି। ବିଜେପି ସରକାର ଗଠନ ପରଠାରୁ ବହୁ ସରକାରୀ ଦୁର୍ନୀତିଗ୍ରସ୍ତ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଲେଣି। ରାଜ୍ୟ ସରକାର କୌଣସି ପ୍ରକାର ଦୁର୍ନୀତିକୁ ବରଦାସ୍ତ କରିବେ ନାହିଁ। ଦୁର୍ନୀତି ଉପରେ ଶୂନ ସହନଶୀଳତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଭିମୁଖ୍ୟ ରହିଛି। ଏବେବି ସମୟ ଅଛି, ଦୁର୍ନୀତିଗ୍ରସ୍ତ ଅଧିକାରୀ ସତର୍କ ହୋଇଯାଆନ୍ତୁ, ନଚେତ୍‌ ଯେ କୌଣସି ପ୍ରଭାବଶାଳୀ ତଥା କ୍ଷମତାଶାଳୀ ବ୍ୟକ୍ତି ହେଲେ ବି ସେମାନଙ୍କୁ ଆଦୌ ଛଡ଼ାଯିବ ନାହିଁ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି।
ସମ୍ବଲପୁର ଡିଏସ୍‌ଆର୍‌ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି। ଯାହାଙ୍କ ବିରୋଧରେ ମୃତ ମଣିଷକୁ ଜୀବିତ ଦର୍ଶାଇ ତା’ର ଦରମା ପ୍ରସ୍ତୁତ କରିଥିବା ଅଭିଯୋଗ ରହିଛି। ଜିଲାର ମାନେଶ୍ବର ଅତିରିକ୍ତ ତହସିଲଦାର ବି ଜେଲ୍‌ରେ ଅଛନ୍ତି। ଏବେ ଧର୍ମଗଡ଼ ଉପଜିଲାପାଳ ଜଣେ କ୍ରସର ମାଲିକ ଠାରୁ ୧୦ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଆଜି ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ଦୁର୍ନୀତି କଲେ ନିଶ୍ଚିତ ଭାବେ ଜେଲ୍‌ ଯିବ ବୋଲି ମନ୍ତ୍ରୀ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି।
ଲୋକମାନେ ସରକାରଙ୍କୁ ସହଯୋଗ କରନ୍ତୁ। କେହି ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦିଅନ୍ତୁ ନାହିଁ। କାର୍ଯ୍ୟ ହାସଲ ପାଇଁ ଲାଞ୍ଚ ଦେବା ଅର୍ଥ ସରକାରୀ ଅଧିକାରୀଙ୍କୁ ଲାଞ୍ଚୁଆ କରିବା। ଲାଞ୍ଚ ନେବା ଯେତେବଡ଼ ଅପରାଧ ଲାଞ୍ଚ ଦେବା ମଧ୍ୟ ସମପରିମାଣ ଅପରାଧ। ଏହା ସମାଜକୁ କ୍ଷତିଗ୍ରସ୍ତ କରୁଛି। ଲୋକେ ଲାଞ୍ଚ ଦିଅନ୍ତୁ ନାହିଁ, ବରଂ ଲାଞ୍ଚ ମାଗୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜସ୍ବ ବିଭାଗକୁ ସୂଚନା ଦିଅନ୍ତୁ ବୋଲି ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ପୂଜାରୀ।
ଦୁର୍ନୀତିଖୋର ଓ ଲାଞ୍ଚୁଆ ଅଧିକାରୀଙ୍କୁ ଚିହ୍ନଟ କରି କାରାଗାରକୁ ପଠାଇବା ପ୍ରକ୍ରିୟାକୁ ଭିଜିଲାନ୍ସ ତ୍ବରିତ କରିଛି। ଭିଜିଲାନ୍ସ ତଥ୍ୟ ଅନୁଯାୟୀ, ୨୦୨୪ ଜୁନ୍‌ ୧୨ରୁ ୨୦୨୫ ଆଜି ପର୍ଯ୍ୟନ୍ତ ୨୨୩ଟି ମାମଲା ରୁଜୁ ହୋଇଛି। ୯୩ଟି ଲାଞ୍ଚ ମାମଲା, ୬୩ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା, ୬୭ଟି ଆର୍ଥିକ ଅନିୟମିତତା ମାମଲା ରୁଜୁ ହୋଇଛି। ଏହି ମାମଲା‌େ‌ର ୨୧୮ଜଣଙ୍କୁ ଗିରଫ କରାଯାଇଛି। ୬୩ଟି ମାମଲାରେ ୧୫୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ଜବତ କରିଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ (ସଡ଼କ ଯୋଜନା)ର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ୧୫ କୋଟିର ଅଧିକ ଟଙ୍କାର ସମ୍ପତ୍ତି ମିଳିଥିଲା। ବ୍ରହ୍ମପୁର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲୀପ ଚୌଧୁରୀଙ୍କ ଠାରୁ ୧୦ କୋଟିରୁ ଅଧିକ ସମ୍ପତ୍ତି ଠାବ ହୋଇଥିଲା। ସେହପରି ପରିବହନ ବିଭାଗର ଉପ-ଆୟୁକ୍ତ ପ୍ରଦୀପ କୁମାର ମହାନ୍ତିଙ୍କଠାରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା। ତାଙ୍କ ଆୟ ତୁଳନାରେ ୧୪୩ ପ୍ରତିଶତ କଳାଧନ ମିଳିଥିଲା। ମାଲକାନଗିରି ଜଳସମ୍ପଦ ବିଭାଗର ପ୍ରକଳ୍ପ ଉପନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଠାରୁ ନଗଦ ୧.୯୮ କୋଟି ଟଙ୍କା ଜବତ ହୋଇଥିଲା। ଲାଞ୍ଚୁଆ ଓ ସରକାରୀ ଅର୍ଥ ଆତ୍ମସାତ୍‌ କରିଥିବା ଦୁର୍ନୀତିଖୋର ଅଧିକାରୀ ଭିଜିଲାନ୍ସ ପଞ୍ଝାରେ ପଡ଼ୁଛନ୍ତି। ଏଥିସହ ଗୋଟିଏ ବର୍ଷରେ ୧୩ଜଣ ଲାଞ୍ଚୁଆ ପୁଲିସ ବି ଧରାପଡ଼ିଛନ୍ତି। ବିଶେଷକରି ବିଭିନ୍ନ ଜିଲାର ଗ୍ରାମାଞ୍ଚଳରେ ପୋଖରୀ ଖନନ, ଚାରାରୋପଣ ସହ ଅନ୍ୟାନ୍ୟ କାର୍ଯ୍ୟରେ ଆସିଥିବା ସରକାରୀ ଅର୍ଥକୁ ଆତ୍ମସାତ୍‌ କରାଯାଇଛି। ମିଛ ବିଲ୍‌ ଓ କାଗଜପତ୍ର କରି ସରକାରୀ ଅର୍ଥକୁ ଆତ୍ମସାତ କରି ନେଇଥିବା ସରକାରୀ କର୍ମଚାରୀ ଧରାପଡ଼ୁଛନ୍ତି। କେବଳ ଏତିକି ନୁହନ୍ତି, ଗ୍ରୁପ୍‌ ଏ, ଗ୍ରୁପ୍‌ ବି, ଗ୍ରୁପ୍‌ ସି, ଗ୍ରୁପ୍‌ ଡି, ଅନ୍ୟ ସରକାରୀ କର୍ମଚାରୀ ଓ ବେସରକାରୀ ବ୍ୟକ୍ତିବିଶେଷ ବି ଏହି ଦୁର୍ନୀତିରେ ରହିଛନ୍ତି। ବିଭିନ୍ନ ବିଭାଗରେ ଚାକିରି କରି ସରକାରୀ ଅର୍ଥ ଆତ୍ମସାତ୍‌ କରି କଳାଧନ ଠୁଳ କରୁଥିବା ଅଧିକାରୀ ଓ କର୍ମଚାରୀ ଭିଜିଲାନ୍ସ ସ୍କାନରରେ ଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories