ଭୁବନେଶ୍ୱର : ରାଜ୍ୟରେ ବୁଧବାରଠୁ ରବି ଧାନ ସଂଗ୍ରହ ଆରମ୍ଭ ହୋଇଛି। ଧାନ ସଂଗ୍ରହ ସମୟରେ ଅନିୟମିତତାର ଅଭିଯୋଗ ଆସିଲେ ତ୍ୱରିତ ପଦକ୍ଷେପ ନେବାକୁ ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିଷଦରେ ନିର୍ଦେଶ ନିୟନ୍ତ୍ରଣ ଏବଂ ଅଭିଜ୍ଞତା କେନ୍ଦ୍ର ଚାଲୁ ରହିଛି । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି କେନ୍ଦ୍ରକୁ ଆଜି ବୁଲି ଦେଖିବା ସହ ମଣ୍ଡିରେ ଧାନ କିଣା ପ୍ରକ୍ରିୟା, ସିସିଟିଭି ବ୍ୟବସ୍ଥାର ଅନୁଧ୍ୟାନ, ମଣ୍ଡିରୁ ମିଲ୍ ଯାଉଥିବା ଗାଡ଼ିର ଟ୍ରାକିଂ ଏବଂ ଏ ସମ୍ପର୍କିତ ଲାଇଭ୍ ଫୁଟେଜ୍ର ବ୍ୟବସ୍ଥା ସମ୍ପର୍କରେ ତଦାରଖ କରିଥିଲେ। ଚାଷୀ ଏବଂ ମଣ୍ଡିରେ ନିୟୋଜିତ ନୋଡାଲ ଅଫିସରଙ୍କ ସହ ମନ୍ତ୍ରୀ କଥା ହୋଇଥିଲେ। କୌଣସି ଅଭିଯୋଗ ଥିଲେ ଟୋଲ୍ ଫ୍ରି ନଂ ୧୯୬୭ ମାଧ୍ୟମରେ ଏହି କେନ୍ଦ୍ର ସହ ଯୋଗାଯୋଗ କରାଯାଇପାରିବ। ଧାନକିଣା ନେଇ ଚାଷୀଙ୍କଠୁ ଅଭିଯୋଗ ଆସିଲେ ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ରାଜ୍ୟ ଖାଦ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ କେନ୍ଦ୍ରର କାର୍ଯ୍ୟକାରିତା ଓ ଅଭିଯୋଗର ତ୍ୱରିତ ସମାଧାନ ନିମନ୍ତେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ।
Popular Categories



