ଆଠଗଡ : ଆଠଗଡ ବ୍ଲକର କଟକିଆସାହି ପଞ୍ଚାୟତ ଅନ୍ତର୍ଗତ ପଟେଣିଗାଁର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଙ୍ଗଣରେ ଗୋଡିସାହିର ଶ୍ରୀ ଶ୍ରୀ ୟୁନିଭର୍ସିଟି ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପଟେଣୀ ଗାଁ ମିଳିତ ସହଯୋଗରେ ଯକ୍ଷ୍ମା(ଟିବି)ମୁକ୍ତ ଅଭିଯାନ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଆୟୋଜିତ ଏହି ଶିବିରରେ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କର ରକ୍ତ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବିତରଣ କରାଯାଇଥିଲା। ଯକ୍ଷ୍ମା ରୋଗର କାରଣ, ଲକ୍ଷଣ, ନିରାକରଣ ଓ ଚିକିତ୍ସା ସମ୍ପର୍କରେ ଉପସ୍ଥିତ ଡାକ୍ତରମାନେ ବୁଝାଇବା ସହ ଏଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଯୋଗ ଶିକ୍ଷା ଦେବା ସହିତ ନିୟମିତ ଯୋଗ ଅଭ୍ୟାସ ଦ୍ୱାରା କିଭଳି ସୁସ୍ଥ ଜୀବନଯାପନ କରିପାରିବେ ସେ ସମ୍ବନ୍ଧରେ ଶିକ୍ଷା ଦିଆଯାଇଛି। ଏହି ସ୍ୱାସ୍ଥ୍ୟ ଶିବିରରେ ଶ୍ରୀ ଶ୍ରୀ ୟୁନିଭର୍ସିଟି ଚିକିତ୍ସା କେନ୍ଦ୍ରର ମୁଖ୍ୟ ଡ଼ାକ୍ତର ପ୍ରଦୀପ କୁମାର ପଣ୍ଡା ଯୋଗଦେଇଥିଲେ । ଡ଼ାକ୍ତର ଉମାକାନ୍ତ ରାଉତ, ଡ଼ାକ୍ତର ଧ୍ରୁବ ପ୍ରସାଦ, ଗୁଲସମନ ଖାତୁନ ପ୍ରମୁଖ ଉପସ୍ଥିତ ରହି ସେବା କାର୍ଯ୍ୟ କରିଥିଲେ। ଏହି ଶିବିରରେ ସରପଞ୍ଚ ଶ୍ରୀମତୀ ମାନସୀ ରାଉତ, ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ପଟେଣୀ ଗାଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଚିକିତ୍ସକ ଡ଼ାକ୍ତର ପ୍ରଦୀପ୍ତ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



