କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଡାକ୍ତରଖାନାରେ ଅବ୍ୟବସ୍ଥାକୁ ନେଇ ବିଭିନ୍ନ ଥର ଦାବି ହୋଇ ଆସୁଥିବା ଥିବା ବେଳେ ଏହାର ସମାଧାନ ହୋଇ ପାରିନାହିଁ। କଣ୍ଟାବାଞ୍ଜି ବିକାଶ ପରିଷଦର ସଭାପତି ଅଜୟ ଦାସଙ୍କ ନେତୃତ୍ୱରେ ଆଜି ଡାକ୍ତରଖାନା ସମ୍ମୁଖରେ ଦୁଇ ଘଣ୍ଟା ଯାଏ ଧାରଣାରେ ବସିଥିଲେ କଣ୍ଟାବାଞ୍ଜି ବିକାଶ ପରିଷଦର କର୍ମୀମାନେ।
କିଛି ମାସ ତଳେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ ମଧ୍ୟ ଡାକ୍ତରଖାନା ପରିଦର୍ଶନ କରି ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଆଜି ବିକାଶ ପରିଷଦ ସଭାପତିଙ୍କ ନେତୃତ୍ୱରେ ୭ ଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉପଦେଶରେ ଡାକ୍ତରଖାନା କାର୍ଯ୍ୟବାହୀ ଅଧିକ୍ଷକ ଡ଼ା ରାକେଶ ପଣ୍ଡିତଙ୍କ ଜରିଆରେ ଦେଇଥିଲେ।
ଦାବିପତ୍ର ଦେବା ସମୟରେ ଆଇନଜୀବୀ ସଙ୍ଘର ସଭାପତି ପ୍ରଫୁଲ୍ଲ ନାୟକ, ଛୋତୁ ଖାଁ, ରାଜେଶ ଶର୍ମା, ସୁରଥ ବେହେରା, ବିଶାଳ ବେହେରା, ମହିଳା ନେତ୍ରୀ କୁର୍ତ୍ତିକା ମାଝୀ, ସସ୍ମିତା ଦଣ୍ଡସେନା, ୱାର୍ଡ ମେମ୍ବର ଯଜ୍ଞସିନୀ ନାଗ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରମୁଖ ଦାବିଗୁଡିକ ମଧ୍ୟରେ ଉପଖଣ୍ଡ ସ୍ତରୀୟ ମାନ୍ୟତା ଦିଆଯାଉ, ବିଗତ ଏକ ବର୍ଷ ପୁର୍ବରୁ ଏଠାରେ ସି.ଏସ୍ କରାଯାଉଥୁଲା, ବର୍ତମାନ ନିଶ୍ଚେତକ ବିଶେଷଜ୍ଞ ନ ଥିବାରୁ ଏଠାରେ ଆବଶ୍ୟକ ଥିଲେ ପ୍ରସୂତି ମହିଳାଙ୍କୁ ସି.ଏସ୍ କରାଯାଇ ପାରୁନାହିଁ, ଏଣୁ ବାଧ୍ୟହୋଇ ଗର୍ଭବତୀ ମହିଳାମାନେ ବଲାଙ୍ଗୀର ହସ୍ପିଟାଲକୁ ରେଫର୍ ହୋଇଯାଉଛନ୍ତି, ଏଣୁ ଜଣେ ଡାକ୍ତର ନିଯୁକ୍ତ କରାଯାଉ, ଦାନ୍ତ ଡାକ୍ତର ଅଛନ୍ତି ଅଥଚ ଡାକ୍ତରଖାନାରେ ଦାନ୍ତ ଚିକିତ୍ସାର ଉପକରଣ ନାହିଁ, ଯାହା ଫଳରେ ଦାନ୍ତ ରୋଗୀମାନେ ଚିକିତ୍ସାରୁ ବଂଚିତ ହେଉଛନ୍ତି, ବହୁତ ଦିନ ହେଲା ସ୍ଥାୟୀ ମେଡିକାଲ ଅଫିସର ନଥିବାରୁ ସ୍ଵାସ୍ଥ୍ୟ କେନ୍ଦ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି, ଯଥାଶିଘ୍ର ଜଣେ ବରିଷ୍ଠ ମେଡିକାଲ ଅଫିସର ଇନଚାର୍ଜଙ୍କୁ ନିଯୁକ୍ତି ଦିଆଯାଉ, ବହୁ ଦିନରୁ ଖାଲି ଥିବା ୨ ଜଣ ଶିଶୁରୋଗ ବିଶେଶଜ୍ଞରୁ ଜଣେ ମାତ୍ର ଡାକ୍ତର ଅଛନ୍ତି, ଆଉ ଜଣେ ନିଯୁକ୍ତି କରାଯାଉ, ଜଣେ ଚକ୍ଷୁ ରୋଗ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯାଉ, ଦୀର୍ଘ ଦିନ ଧରି ଡାକ୍ତରଖାନା ପରିସରରେ ଓବର ହେଡ଼ ଟାଙ୍କିର ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ପି.ଏଚ୍.ଡି ବିଭାଗ ତରଫରୁ ଜଳ ଯୋଗାଣ ହୋଇପାରି ନାହିଁ, ଯାହା ଫଳରେ ପାଣି ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି, ଏଣୁ ଯଥାଶିଘ୍ର ଜଳ ଯୋଗାଣ ବ୍ୟବସ୍ଥା କରାଯାଉ।
ଉପରୋକ୍ତ ସମସ୍ୟାଗୁଡିକର ତୁରନ୍ତ ସମାଧାନ ପାଇଁ “ କଣ୍ଟାବାଞ୍ଜି ବିକାଶ ପରିଷଦ” ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର କାର୍ଯ୍ୟବାହୀ ଡାକ୍ତରଖାନା ଅଧିକ୍ଷକଙ୍କ ଜରିଆରେ ଦିଆଯିବା ପରେ ଧାରଣାରୁ ବିକାଶ ପରିଷଦ ସଦସ୍ୟ ଗଣ ଓହରି ଥିଲେ।


