ପାରାଦ୍ବୀପରେ ହେବ ଜାହାଜ ଭଙ୍ଗା କେନ୍ଦ୍ର
ଭୁବନେଶ୍ବର : ପାରାଦ୍ବୀପ ବନ୍ଦର ନିକଟରେ ପ୍ରତିଷ୍ଠା ହେବ ଜାହାଜ ପୁନଃପ୍ରକ୍ରିୟାକରଣ କେନ୍ଦ୍ର ବା ଜାହାଜ ଭଙ୍ଗା କେନ୍ଦ୍ର । ଏଥିପାଇଁ ୪ ହଜାର କୋଟି ଟଙ୍କା ବିନିଯୋଗ କରାଯିବ। ଏହାଦ୍ବାରା ଓଡ଼ିଶାର ସାମୁଦ୍ରିକ ଓ ଶିଳ୍ପ ପରିଦୃଶ୍ୟରେ ପରିବର୍ତ୍ତନ ଆସିବ। ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ପୁରୁଣା ଜାହାଜ ଗୁଡିକୁ ଭଙ୍ଗାଯାଇ ସେଥିରୁ ଇସ୍ପାତ, ଆଲୁମିନିୟମ ଓ ତମ୍ବା ଆଦି ବାହାର କରାଯାଇ ସେଥିରୁ ବିଭିନ୍ନ ଯନ୍ତ୍ରପାତି ପ୍ରସ୍ତୁତ କରାଯିବ। ତେବେ ଏହି ଜାହାଜ ଭଙ୍ଗା କେନ୍ଦ୍ର ପ୍ରତିଷ୍ଠା କ୍ଷେତ୍ରରେ ବୈଶ୍ବିକ ପରିବେଶଗତ ସୁରକ୍ଷା ଓ ମାନକକୁ ଗ୍ରହଣ କରାଯିବ। ଏହାବ୍ୟତୀତ ବାଲେଶ୍ବର ଜିଲାର ‘ଇଞ୍ଚୁଡ଼ି’ ଓ ଗଞ୍ଜାମ ଜିଲାର ‘ବାହୁଦା’ରେ ଦୁଇଟି ନୂଆ ବନ୍ଦର ନିର୍ମାଣ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ପାରାଦ୍ବୀପ ବନ୍ଦର ପୁନଃପ୍ରକ୍ରିୟାକରଣ ଏବଂ ଦୁଇଟି ନୂତନ ବନ୍ଦର ନିର୍ମାଣ କରାଯିବା ଦ୍ବାରା ଭାରତର ପୂର୍ବ ଉପକୂଳ ବିଶେଷକରି ଓଡ଼ିଶା ଲାଗି ବ୍ୟାପକ ଅର୍ଥନୈତିକ ଓ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇପାରିବ। ଇସ୍ପାତ ରି-ରୋଲିଂ ମିଲ୍, ଲଜିଷ୍ଟିକ୍ ଓ ଯନ୍ତ୍ରପାତି ଉତ୍ପାଦନ କାରଖାନା ଆଦି କରାଯାଇ ଏକ ବାଣିଜ୍ୟକ ପେଣ୍ଠସ୍ଥଳ ପାଲଟିବ ବୋଲି କୁହାଯାଇଛି। ସଂପ୍ରତି ଦେଶରେ ଗୁଜରାଟ ଓ ମହାରାଷ୍ଟ୍ରର ଦୁଇଟି ଜାହାଜ ଭଙ୍ଗା କାରଖାନା ରହିଛି। ଓଡ଼ିଶାରେ ଏହା ନିର୍ମାଣ କରାଗଲେ ରାଜ୍ୟର ଆର୍ଥିକ ମାନଦଣ୍ଡ ବଢିବ।ଏହି ଜାହାଜ ପୁନଃପ୍ରକ୍ରିୟାକରଣ ହବ୍ ଯୋଗୁଁ ନୂତନ ରେଳଲାଇନ ନିର୍ମାଣ ହେବ। ଏହା ଦ୍ବାରା ପାରାଦ୍ବୀପ ବନ୍ଦର ସହିତ ଇଞ୍ଚୁଡ଼ି ଓ ବାହୁଦା ବନ୍ଦରରେ କୋଇଲା ଓ ଅନ୍ୟାନ୍ୟ ଖଣିଜ ସମ୍ପଦ ପରିବହନ ଜାହାଜ ଚଳାଚଳ କ୍ଷେତ୍ରକୁ ଆହୁରି ବିକଶିତ କରିପାରିବ। ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଗଣମାଧ୍ୟମକୁ କହିଥିଲେ ଯେ, ରାଜ୍ୟ ସରକାର ଖଣିଜ ସମ୍ପଦ ପରିବହନ ସୁବିଧାକୁ ଅଗ୍ରଗତି କରିବା ପାଇଁ ଏଠାରେ ରେଳ ଲାଇନ ସ୍ଥାପନ କରିବାକୁ ଯୋଜନା କରୁଛନ୍ତି। ୨୦୨୬ ସୁଦ୍ଧା ରାଜ୍ୟରେ ହାଇଡ଼୍ରୋଜେନ୍ ଉତ୍ପାଦନ କେନ୍ଦ୍ର ଏବଂ ରାଜ୍ୟରେ ଡାଟା ସେଣ୍ଟର ବିକାଶକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି। ସରକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଅଧିକ ନିବେଶ କରିବାକୁ ପ୍ରସ୍ତୁତ ଅଛନ୍ତି। ରେଳ କରିଡର ବର୍ତ୍ତମାନର କୋଇଲା କ୍ଷମତା ପରିବହନ ପାଇଁ ଯଥେଷ୍ଟ। ଏହି ଜାହାଜ ପୁନଃପ୍ରକ୍ରିୟାକରଣ ହବ୍ ଦ୍ବାରା ରାଜ୍ୟର ସାମୁଦ୍ରିକ ଶିଳ୍ପ କ୍ଷମତା ବୃଦ୍ଧି ଦିଗରେ ସହାୟକ ହେବ। ପାରାଦ୍ବୀପ ବନ୍ଦର ପ୍ରାଧିକରଣ, ଜାହାଜ ନିର୍ମାଣ ଓ ମରାମତି କାରଖାନା କାର୍ଯ୍ୟ ପାଇଁ ଯଥେଷ୍ଟ ସହାୟକ ହୋଇପାରିବ। କେବଳ ସେତିକି ନୁହେଁ, ଇଞ୍ଚୁଡ଼ି ଓ ବାହୁଦା ଦୁଇଟି ନୂଆ ବନ୍ଦର ନିର୍ମାଣ, ଭୁବନେଶ୍ୱରରେ ଆନ୍ତର୍ଜାତିକସ୍ତରରେ ଡାଟା କେନ୍ଦ୍ର ଏବଂ ବିଶ୍ୱସ୍ତରୀୟ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପଦକ୍ଷେପ ଦୀର୍ଘସ୍ଥାୟୀ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି ପ୍ରତି ଓଡ଼ିଶାର ପ୍ରତିବଦ୍ଧତା, ସବୁଜ ଶକ୍ତି ଏବଂ ଭିତ୍ତିଭୂମି କ୍ଷେତ୍ରରେ ରାଷ୍ଟ୍ରୀୟ ପ୍ରାଥମିକତାକୁ ଯୋଡ଼ି ପାରିଛି।
Comments are closed.