www.samajalive.in
Sunday, December 7, 2025
15.1 C
Bhubaneswar

ରାଜ୍ୟରେ ପ୍ରଥମ: ଡିଜିଟାଲ ପଦ୍ଧତିରେ ଖାତା ମୂଲ୍ୟାୟନ କରିବ ଓପିଏସ୍‌ସି

କଟକ : ସ୍ବଚ୍ଛତା ଓ ତ୍ରୁଟି ରୋକିବାକୁ ନୂଆ ବର୍ଷରେ ନୂତନ ପଦକ୍ଷେପ ନେଇଛି ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)। ଆଗକୁ ଆହୁରି ସୁଦୃଢ଼ ହେବ ପରୀକ୍ଷା ପରିଚାଳନା ପ୍ରକ୍ରିୟା। ମୂଲ୍ୟାୟନ ବ୍ୟବସ୍ଥାରେ ହେବ ପରିବର୍ତ୍ତନ। ଏଣିକି ଡିଜିଟାଲ ପଦ୍ଧତିରେ ଖାତା ମୂଲ୍ୟାୟନ କରିବ ଓପିଏସ୍‌ସି। ପୂର୍ବରୁ ରାଜ୍ୟରେ ଓଏମ୍‌ଆର (ଅବଜେକ୍ଟିଭ) ଖାତା ଡିଜିଟାଲ ପଦ୍ଧତିରେ ମୂଲ୍ୟାୟନ ହେଉଥିବାବେଳେ ବିଷୟଭିତ୍ତିକ ଉତ୍ତରଖାତା ବା ସବ୍‌ଜେକ୍ଟିଭ ଉତ୍ତରଖାତା ଡିଜିଟାଲ ପଦ୍ଧତିରେ ମୂଲ୍ୟାୟନ ହେବ। ରାଜ୍ୟରେ ପ୍ରଥମ ସଂସ୍ଥା ଭାବେ ଓପିଏସ୍‌ସି ଏଭଳି ପଦକ୍ଷେପ ଗ୍ରହଣ କରିଛି। ପ୍ରତିବର୍ଷ ଆୟୋଗ ଦ୍ବାରା ପରିଚାଳିତ ହେଉଥିବା ସମସ୍ତ ପରୀକ୍ଷାର ବିଷୟଭିତ୍ତିକ ପ୍ରଶ୍ନ ଉତ୍ତରଖାତାକୁ ସ୍କାନିଂ କରାଯିବା ସହ ପରୀକ୍ଷାର୍ଥୀଙ୍କୁ ମାର୍କ ପ୍ରଦାନ କରାଯିବ। ଏହି ମୂଲ୍ୟାୟନ ନିମନ୍ତେ ସ୍ବତନ୍ତ୍ର ସ୍କ୍ରିନିଂ ସେଣ୍ଟରର ବ୍ୟବସ୍ଥା କରାଯିବା ସହ ଏକ ଘରୋଇ ସଂସ୍ଥାକୁ ଦାୟିତ୍ବ ଦିଆଯିବ। ଓପିଏସ୍‌ସିର ତତ୍ତ୍ବାବଧାନରେ ସମସ୍ତ ପ୍ରକ୍ରିୟା ହେବ। ପରୀକ୍ଷା ପରେ ଠିକ୍‌ରେ ମୂଲ୍ୟାୟନ ହୋଇଛି କି ନାହିଁ ତାହାର ମଧ୍ୟ ତର୍ଜମା ହେବ। ଏଥିପାଇଁ ସ୍ବତନ୍ତ୍ର ଭାବେ ନିରୀକ୍ଷକ ନିୟୋଜିତ ହେବେ। ତର୍ଜମା ପରେ ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇବ। ପରୀକ୍ଷା ଫଳକୁ ନେଇ ଏକ ପ୍ରୋଭିଜନାଲ ଲିଙ୍କ ଜାରି କରାଯିବ। ଯଦି କୌଣସି ପରୀକ୍ଷାର୍ଥୀ ନିଜ ଉତ୍ତରଖାତାର ନକଲ ନେବାକୁ ଚାହିଁବେ, ତାହା ସେମାନଙ୍କୁ ପ୍ରଦାନ କରାଯିବ; କିନ୍ତୁ ଏଥିନିମନ୍ତେ ସେମାନଙ୍କୁ ନିର୍ଦ୍ଧାରିତ ଦେୟ ଦେବାକୁ ପଡ଼ିବ। ଏବେ ଏହି ପଦକ୍ଷେପକୁ କାର୍ଯ୍ୟକାରୀ କରିବା ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଜରି ରହିଛି। ଆସନ୍ତା ୨୭ ତାରିଖ ଟେଣ୍ଡର ଆହ୍ବାନର ଶେଷ ଅବଧି ଥିବାବେଳେ ୨୮ରେ ଟେଣ୍ଡର ଖୋଲାଯିବ। ଯୋଗ୍ୟ ବିବେଚିତ ସଂସ୍ଥାକୁ ଏହି ଡିଜିଟାଲ ମୂଲ୍ୟାୟନ ପଦ୍ଧତି ପାଇଁ ଦାୟିତ୍ବ ଦିଆଯିବ ବୋଲି ସୂଚନା ମିଳିଛି।
ଓପିଏସସି ପକ୍ଷରୁ ସିଭିଲ ସର୍ଭିସ ପରୀକ୍ଷା ସହ ବିଭିନ୍ନ ବିଭାଗର ଗ୍ରୁପ- ଏ ଏବଂ ଗ୍ରୁପ- ବି ବର୍ଗର ପଦ ପୂରଣ ନିମନ୍ତେ ନିଯୁକ୍ତି ପରୀକ୍ଷା କରିଥାଏ। ରାଜ୍ୟର ଅନ୍ୟ ନିଯୁକ୍ତି ପରୀକ୍ଷା କରୁଥିବା ସଂସ୍ଥା ମଧ୍ୟରୁ ଓପିଏସ୍‌ସିର ପରୀକ୍ଷା ପରିଚାଳନାରେ ଅଧିକ ସ୍ବଚ୍ଛତା ଅବଲମ୍ବନ କରାଯାଇଥାଏ। ପରୀକ୍ଷା ଆରମ୍ଭରୁ ମୂଲ୍ୟାୟନ ପର୍ଯ୍ୟନ୍ତ ଯେଭଳି ସବୁ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ଏବଂ ସ୍ବଚ୍ଛତା ରହିବ ତାହାକୁ କର୍ତ୍ତୃପକ୍ଷ ଗୁରୁତ୍ବ ଦେଇଛନ୍ତି। ସବୁ ପରୀକ୍ଷାର ବିଷୟଭିତ୍ତିକ ଉତ୍ତରଖାତାକୁ ଡିଜିଟାଲ ମୂଲ୍ୟାୟନ କରିବାକୁ ନିଷ୍ପତ୍ତି ହୋଇଛି। ଯୋଜନା ଅନୁଯାୟୀ ଡିଜିଟାଲ ମୂଲ୍ୟାୟନ ୩ଟି ପର୍ଯ୍ୟାୟ ଭାଗ କରାଯାଇଛି। ପ୍ରଥମେ ପରୀକ୍ଷାର୍ଥୀଙ୍କ ଉତ୍ତରଖାତାର ସ୍କାନିଂ, ଦ୍ବିତୀୟ ଅନସ୍କ୍ରିନ ମାର୍କିଂ ଏବଂ ମୂଲ୍ୟାୟନ ପରବର୍ତ୍ତୀ ପଦକ୍ଷେପ ଆଦି ୩ଟି ଭାଗ କରାଯାଇଛି। ନିର୍ଦିଷ୍ଟ ପଦରେ ନିଯୁକ୍ତି ପରୀକ୍ଷା ଶେଷ ହେବା ପରେ ଓପିଏସ୍‌ସି ନିକଟରୁ ସମ୍ପୃକ୍ତ ସଂସ୍ଥା ସମସ୍ତ ଉତ୍ତରଖାତା ସଂଗ୍ରହ କରିବ। ଓପିଏସ୍‌ସିର ତତ୍ତ୍ବାବଧାନରେ ସ୍କାନିଂ ସେଣ୍ଟରରେ ଉତ୍ତରଖାତାକୁ ସ୍କାନ୍‌ କରିବା ପରେ ଏହାକୁ ପୁଣିଥରେ ଫେରସ୍ତ କରାଯିବ। ସୁରକ୍ଷିତ ଭାବେ ସମସ୍ତ ତଥ୍ୟ ଅପଲୋଡ ହେବ। ଏହାପରେ ଅନ୍‌ ସ୍କ୍ରିନ ମାର୍କ ଦିଆଯିବ। ପରୀକ୍ଷା ମୂଲ୍ୟାୟନକାରୀ ସେମାନଙ୍କ ପଞ୍ଜୀକରଣ କରିବା ସହ ସମ୍ପୃକ୍ତ ସଂସ୍ଥା ଦ୍ବାରା ତାଲିମ୍‌ ପ୍ରଦାନ କରାଯିବ। ମୂଲ୍ୟାୟନ ବେଳେ ସଫ୍ଟୱେୟାର ଠିକ୍‌ରେ କାମ୍‌ କରୁଛି କି ନାହିଁ ତାହାକୁ ମଧ୍ୟ ଗୁରୁତ୍ବ ଦିଆଯାଉଥିବା ଓପିଏସସି ପକ୍ଷରୁ କୁହାଯାଇଛି। ଯଦି ୫ଟି ପ୍ରଶ୍ନରୁ ୩ଟି ପ୍ରଶ୍ନର ଉତ୍ତର ଦେବାକୁ ପରୀକ୍ଷାରେ କୁହାଯାଇଥିବ;କିନ୍ତୁ ପରୀକ୍ଷାର୍ଥୀ ୪ଟି ପ୍ରଶ୍ନର ଉତ୍ତର ଦେଇଥିବେ, ତାହେଲେ ସେଥିରୁ ସବୁଠାରୁ ଭଲ ଲେଖା ହୋଇଥିବା ଉତ୍ତରର ଉପରେ ମାର୍କ ପ୍ରଦାନ କରାଯିବ। ଏହାକୁ ସମ୍ପୃକ୍ତ ସଫ୍ଟୱେୟାର ଚିହ୍ନଟ କରିବାରେ ସକ୍ଷମ ହେଉଛି କି ନାହିଁ ତାହାକୁ ଗୁରୁତ୍ବ ଦିଆଯାଇଛି। ମୂଲ୍ୟାୟନ ପରେ ପୁଣି ଥରେ ଯାଞ୍ଚ କରାଯାଇ ଚୂଡ଼ାନ୍ତ ଫଳ ପ୍ରକାଶ କରାଯିବ ବୋଲି ଓପିଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଏ ସଂକ୍ରାନ୍ତରେ ଓପିଏସ୍‌ସି ଅଧ୍ୟକ୍ଷ ଅରୁଣ ଷଡ଼ଙ୍ଗୀ କହିଛନ୍ତି ଯେ, ସରକାରୀ ନିଯୁକ୍ତି ପରୀକ୍ଷା କରୁଥିବା ରାଜ୍ୟ ବାହାରର ବହୁ ସଂସ୍ଥା ସବ୍‌ଜେକ୍ଟିଭ ପେପରର ଡିଜିଟାଲ ମୂଲ୍ୟାୟନକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଛନ୍ତି। ଓଡ଼ିଶାରେ ଓପିଏସ୍‌ସି ଏକମାତ୍ର ଆୟୋଗ ଏଭଳି ପଦକ୍ଷେପ ନେଇଛି। ଟେଣ୍ଡର ପ୍ରକ୍ରିୟା ପରେ ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories