‘ଦେବିନି ଶକ୍ତିମାନ ରାଇଟ୍ସ’, ମୁକେଶ ଖାନ୍ନା କହିଲେ- ରଣବୀର ସିଂହ ନୁହେଁ ଅଲ୍ଲୁ ଅର୍ଜୁନ ଯୋଗ୍ୟ
ସମାଜ ଡିଜିଟାଲ ଡେସ୍କ: ଅଭିନେତା ମୁକେଶ ଖାନ୍ନାଙ୍କ ଅଭିନୀତ ଲୋକପ୍ରିୟ ସୁପରହିରୋ ଚରିତ୍ର ‘ଶକ୍ତିମାନ’ ଉପରେ ଚଳଚ୍ଚିତ୍ର ନିର୍ମାଣ ବିଷୟରେ ଦୀର୍ଘ ଦିନ ଧରି ଆଲୋଚନା ଚାଲିଛି। ଏହାର ରାଇଟ୍ସ କିଣିବା ପାଇଁ ୟଶରାଜ ଫିଲ୍ମସ ଟିମ୍ ତାଙ୍କ ସହ ଯୋଗାଯୋଗ ମଧ୍ୟ କରିଥିଲେ, କିନ୍ତୁ ମୁକେଶ ସଫା ସଫା ମନା କରିଦେଇଥିଲେ। ଅଭିନେତା ଚାହୁଁନାହାଁନ୍ତି ଯେ ରଣବୀର ସିଂହ ଏହି ଚରିତ୍ରରେ ଅଭିନୟ କରନ୍ତୁ। ତେବେ ଏହି ଚରିତ୍ର ପାଇଁ ସେ ଅଲ୍ଲୁ ଅର୍ଜୁନଙ୍କ ନାଁରେ ମୋହର ମାରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ଏନେଇ ଆଲୋଚନା କରିଛନ୍ତି।
ମୁକେଶ କହିଛନ୍ତି, କେବଳ ରଣବୀର ସିଂହ ନୁହଁନ୍ତି, ‘ଶକ୍ତିମାନ’ ରାଇଟ୍ସ କିଣିବାକୁ ଆଦିତ୍ୟ ଚୋପ୍ରାଙ୍କ ଟିମ୍ ମଧ୍ୟ ତାଙ୍କ ସହ ଯୋଗାଯୋଗ କରିଥିଲେ। ଦୀର୍ଘ ବର୍ଷେ ତଳେ ୟଶରାଜ ପିଲ୍ମସ ପକ୍ଷରୁ ତାଙ୍କୁ ଏହି ଅଫର ମିଳିଥିଲା। କିନ୍ତୁ ସେ ତୁରନ୍ତ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ।
ମୁକେଶ କହିଛନ୍ତି, ‘‘ଦଶ ବର୍ଷ ପୂର୍ବେ ଆଦିତ୍ୟ ଚୋପ୍ରାଙ୍କ ଗ୍ରୁପ୍ ମୋ ସହ ଯୋଗାଯୋଗ କରିଥିଲେ। ସେମାନେ ମୋତେ ପଚାରିଥିଲେ ଯେ, କ’ଣ ମୁଁ ତାଙ୍କୁ ‘ଶକ୍ତିମାନ’ର ରାଇଟ୍ସ ଦେବି। ସଂଯୋଗବଶତଃ ସେହି ସମୟରେ ରଣବୀର ସିଂହଙ୍କ ପ୍ରଶଂସକମାନଙ୍କ ଦ୍ୱାରା ପ୍ରସ୍ତୁତ ତାଙ୍କର ଶକ୍ତିମାନ ରୂପ ସାମାଜିକ ଗଣମାଧ୍ୟରେ ସାମ୍ନାକୁ ଆସିଥିଲା ଏବଂ ଠିକ୍ ଏହାପରେ ହଠାତ୍ ମୁଁ ରାଇଟ୍ସ ପାଇଁ ଏକ କଲ ପାଇଲି, ତେଣୁ ମୁଁ କହିଲି, ମୁଁ ଅଧିକାର ଦେବି ନାହିଁ। ମୁଁ ତାଙ୍କୁ କହିଲି, ଆଦିତ୍ୟଙ୍କୁ କୁହ, ସେ ଯିଏ ବି ହୁଅନ୍ତୁ, ଯଦି ତୁମେ ଏହାକୁ ନିର୍ମାଣ କରିବାକୁ ଚାହୁଁଛ ତେବେ ମୋ ସହ ମିଶି ନିର୍ମାଣ କର। ମୁଁ ତାଙ୍କୁ ଡିସ୍କୋ ଡ୍ରାମା ପାଇଁ ଅଧିକାର ଦେବାକୁ ଚାହୁଁ ନଥିଲି। ମୁଁ ମନା କରିଦେଲି।’’
ଅଲ୍ଲୁ ଅର୍ଜୁନଙ୍କୁ ନେଇ ନିଜର ପସନ୍ଦ ବ୍ୟକ୍ତ କରି ସାରିଛନ୍ତି ମୁକେଶ। ସେ କହିଥିଲେ, ‘‘ମୋତେ ଲାଗୁଛି ମୁଁ ଅଲ୍ଲୁ ଅର୍ଜୁନଙ୍କ ଅଧିକ ଫିଲ୍ମ ଦେଖିବା ଉଚିତ୍। ଏଥିସହ ଏହା ମଧ୍ୟ କହିବାକୁ ଚାହିଁବି ଯେ, ଶକ୍ତିମାନ ଚରିତ୍ର ପାଇଁ ସେ ଯୋଗ୍ୟ। ତାଙ୍କର ସେ କ୍ଷମତା ଅଛି। ମୁଁ କହୁନାହିଁ ଯେ, ସେ ଏମିତି କିଛି ଯୋଜନା କରୁଛନ୍ତି କି ଆଉ କ’ଣ। ମୁଁ କେବଳ ପରାମର୍ଶ ଦେଉଛି ଯେ, ଏହି ଚରିତ୍ରରେ ସେ ଭଲ ଲାଗିବେ। ଏହି ଚରିତ୍ର ପାଇଁ ସେ ଉପଯୁକ୍ତ ବ୍ୟକ୍ତିତ୍ବ।’’
ସୂଚନାଯୋଗ୍ୟ, ରଣବୀର ସିଂହଙ୍କୁ ନେଇ ମୁକେଶ ଖାନ୍ନା କହି ସାରିଛନ୍ତି ଯେ, ସେ ତାଙ୍କୁ ଶକ୍ତିମାନ ରୂପରେ ଦେଖନ୍ତି ନାହିଁ। ମୁକେଶ କହିଥିଲେ ଯେ, ‘‘ଜଣେ ଅଭିନେତା ସମସ୍ତ ପ୍ରକାର ଭୂମିକାରେ ଅଭିନୟ କରିପାରେ, କିନ୍ତୁ ଶକ୍ତିମାନ କୌଣସି ଭୂମିକା ନୁହେଁ। ଶକ୍ତିମାନ ଚରିତ୍ରରେ ଅଭିନୟ କରିବା ପାଇଁ କେବଳ ଅଭିନେତା ହେବା ଯଥେଷ୍ଟ ନୁହେଁ। ଆପଣଙ୍କର ସଠିକ୍ ଚେହେରା ଥିବା ଆବଶ୍ୟକ। ମୁଁ ତାଙ୍କ(ରଣବୀରଙ୍କ) ଚେହେରାରେ ଅଟକିଛି, ତାଙ୍କ ପ୍ରତିଭାରେ ନୁହେଁ। ଲୋକ ମୋତେ ମନେ ପକାଇ ଦିଅନ୍ତି ଯେ, ସେ ବହୁତ କମା କରିଛନ୍ତି। ସେ ଖିଲଜୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ମୁଁ ସେମାନଙ୍କୁ କହିଲି, ‘‘ସେ ଜଣେ ଭଲ ଅଭିନେତା କିନ୍ତୁ ମୁଁ ତାଙ୍କ ଚେହେରା ଓ ମୁହଁକୁ ନେଇ ସନ୍ତୁଷ୍ଟ ନୁହେଁ।’’ ତେବେ ଏତେ ସବୁ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟରେ ଖବର ଆସିଥିଲା ଯେ, ଶକ୍ତିମାନ ନିର୍ମାଣ ନିଷ୍ପତ୍ତି ବାତିଲ କରାଯାଇଛି।
Comments are closed.