ଟିଟିଲାଗଡ଼: ଟିଟିଲାଗଡ଼ ବନାଞ୍ଚଳ ଅନ୍ତର୍ଗତ ବେଲଗାଁ ଫରେଷ୍ଟ ବିଟ୍ ଅଞ୍ଚଳରେ ଗୁରୁବାର ରାତିଠାରୁ ହାତୀ ପଲ ପଶି ବ୍ୟାପକ ଧାନ ଫସଲ ଖାଇବା ସହ ଅନେକଙ୍କ ପନିପରିବା ବାଡ଼ିରେ ଦଳାଚକଟା କରିଛନ୍ତି। ଖବର ପାଇ ଟିଟିଲାଗଡ଼ ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧି, ବେଲଗାଁ ବନପାଳ ଏବଂ ପୁଲିସ ହାତୀଙ୍କ ପିଛା ଜାରି ରଖିଛନ୍ତି। ବନାଞ୍ଚଳ ଅଧିକାରୀଙ୍କ ସୂଚନାମତେ, ୫ ପୁରୁଷ, ୨୬ ମାଈ ହାତୀ, ୧୫ ଶାବକ ଗତକାଲି ରାତିରେ କଲାହାଣ୍ଡି ଜିଲା ପଟରୁ ତେଲ ନଦୀ ଡେଇଁ ଟିଟିଲାଗଡ଼ ବନାଞ୍ଚଳରେ ପ୍ରବେଶ କରିଛନ୍ତି। ଶିଶକେଲା ପଞ୍ଚାୟତ ତଥା ଆଖପାଖ ଅଞ୍ଚଳରେ ହାତୀ ପଲ ଅନେକଙ୍କ ଧାନ ଫସଲ ଖାଇବା ପରେ ଚିତାମରା ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିଛନ୍ତି। ଡ୍ରୋନ କ୍ୟାମେରା ସହାୟତାରେ ହାତୀପଲଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି। ଗାଁଗୁଡ଼ିକରେ ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଯାଉଛି। ଶିଶକେଲା ପଞ୍ଚାୟତର କଡ଼ି ମାଝୀ, ଶେଷଦେବ ଭୋଇ, ଗୁର ରଣା, ଯୁଗଲାଲ ରଣା ପ୍ରମୁଖ ଅନେକ ଚାଷୀଙ୍କ ଖଳାରେ ମଡାଇବାକୁ ଥିବା ତିନି ହଜାରରୁ ଊର୍ଦ୍ଧ୍ବ ଭରା ଧାନ ଖାଇବା ସହ ପନିପରିବା ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି।
Popular Categories



