ଆଠଗଡ: ଆଠଗଡ ବନାଞ୍ଚଳରଃ ଏକ ଅସୁସ୍ଥ ଦନ୍ତା ହାତୀକୁ ଉପଯୁକ୍ତ ଚିକିତ୍ସା ପାଇଁ କପିଳାସ ହାତୀ ଉଦ୍ଧାର ଓ ଥଇଥାନ କେନ୍ଦ୍ରକୁ ପଠାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ଯ ଆଠଗଡ ବନଖଣ୍ଡ ଅଧିନ ଆଠଗଡ ବନାଞ୍ଚଳ ଅନ୍ତର୍ଗତ ସୁକାଶନ ଓ ବୌଦା-ବନଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଏକ ୧୨ ରୁ ୧୫ ବର୍ଷ ବୟସର ଦନ୍ତା ହାତୀ ଗତ ଦୁଇ ତିନିଦିନ ହେଲା ଏକାକି ଇତଃସ୍ତତଃ ହୋଇ ବୁଲୁଥିଲା । ଉକ୍ତ ହାତୀଟି ଠିକ୍ ଭାବେ ଖିଆପିଆ କରିପାରୁନଥିବା ଦେଖି ବନ କର୍ମଚାରୀ ଓ ହାତୀ ଜଗୁଆଳି ଡିଏଫଓଙ୍କୁ ସୂଚନା ଦେଇଥିଲେ । ଏପରିକି ସୋମବାର ରାତି ଓ ମଙ୍ଗଳବାର ସକାଳେ ନିକଟସ୍ଥ ଜନବସତି ଧାଇପୁର ଅଞ୍ଚଳ ଓ ମୁଖ୍ଯ ରାସ୍ତାରେ ଏଣେତେଣେ ବୁଲିବା ବେଳେ ଲୋକେ ଭୟଭୀତ ହୋଇପଡିଥିଲେ । ମଙ୍ଗଳବାର ସଂପୃକ୍ତ ଦନ୍ତାଟି ସକାଳ ହେବା ପରେ ନିକଟବର୍ତ୍ତୀ ଜଙ୍ଗଲକୁ ଯାଇନପାରି ଛତାବର ନିକଟ ଏକ ପଟାସ ଓ କାଜୁ ବଣ ମଧ୍ୟରେ ଆଶ୍ରୟ ନେଇଥିଲା ।
ହାତୀଟିର ଗତିବିଧି ଓ ଅବସ୍ଥା ଅନୁଧ୍ୟାନ କରିବା ପରେ ତାର ପାଟିର ଡାହାଣ ପାର୍ଶ୍ବ ଭିତରକୁ ଗଭୀର କ୍ଷତ ହୋଇଥିବା ଜଣେ ପ୍ରାଣୀ ଚିକିତ୍ସା ବିଶେଷଜ୍ଞ ଭାବେ ଆଠଗଡ ଡିଏଫଓ ଯଜ୍ଞଦତ୍ତ ପତି ଜଣି ପାରିଥିଲେ । ଫଳରେ ଦୁଇଦିନ ହେବ ହାତୀଟି ଠିକ୍ ଭାବେ ଖିଆପିଆ କରି ପାରୁନଥିଲା ବୋଲି ଡିଏଫଓ କହିଛନ୍ତି । ଏ ସମ୍ପର୍କରେ ଡିଏଫଓ ଡାକ୍ତର ପତି ରାଜ୍ଯ ପ୍ରଧାନ ମୁଖ୍ଯ ବନ ସଂରକ୍ଷକ (ବନ୍ୟଜନ୍ତୁ)ଙ୍କୁ ଅବଗତ କରାଇଥିଲେ। ବନ୍ୟଜନ୍ତୁ ପିସିସିଏଫଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ଵରରୁ ବନବିଭାଗର ପ୍ରାଣୀ ଚିକିତ୍ସା ବିଶେଷଜ୍ଞ ଡାକ୍ତର ଇନ୍ଦ୍ରମଣି ନାଥଙ୍କ ସମେତ କପିଳାସ ହାତୀ ଉଦ୍ଧାର କେନ୍ଦ୍ରର ଡାକ୍ତରୀ ଦଳ ଆଠଗଡ ଆସି ଅସୁସ୍ଥ ହାତୀକୁ ଅନୁଧ୍ୟାନ କରିଥିଲେ । ହାତୀଟିର ଉପଯୁକ୍ତ ଚିକିତ୍ସା ଆବଶ୍ୟକ ବୋଲି ସେମାନେ ମତ ଦେଇଥିଲେ । ସେମାନଙ୍କ ପରାମର୍ଶ ଅନୁଯାୟୀ କପିଳାସ ସହିତ ନନ୍ଦନକାନନରୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ଦଳ ଓ ନିଶ୍ଚେତକ ଦଳ ଆସି ଦନ୍ତା ହାତୀଟିକୁ ନିଶ୍ଚେତକ ପ୍ରୟୋଗ କରିବା ପରେ ଅପରାହ୍ନରେ ଏକ ବଡ ଟ୍ରକରେ କପିଳାସ ଉଦ୍ଧାର କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସୁସ୍ଥ ହେବା ପରେ ତାକୁ ପୁଣି ଜଙ୍ଗଲରେ ଛାଡିଦିଆଯାଏ ବୋଲି ଡିଏଫଓ ପ୍ରକାଶ କରିଛନ୍ତି ।
ଏସିଏଫ ଡାକ୍ତର ଚଚିଲିଚି ବିଶ୍ବାଳ, ଖୁଣ୍ଟୁଣୀ ରେଞ୍ଜ ଦାୟୀତ୍ବରେ ଥିବା ଏସିଏଫ ନୀଳମାଧବ ସାହୁ, ବନପାଳ ସବିତା ରାଉତ ଓ ସୁଶୀଲ କୁମାର ଜେନାଙ୍କ ସମେତ ଅନ୍ଯ ବନ କର୍ମଚାରୀ ଏବଂ ହାତୀ ଜଗୁଆଳି ଦିନ ତମାମ୍ ହାତୀଟିର ଗତିବିଧି ନିରୀକ୍ଷଣ କରିବା ସହ କପିଳାସ ସ୍ଥାନାନ୍ତର ପ୍ରକ୍ରିୟାରେ ସହଯୋଗ କରିଥିଲେ । ତେବେ ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ଦେଶୀ ବୋମା ହାତୀର ପାଟି ଭିତରେ ଗଭୀର କ୍ଷତ ହୋଇଥିବା ଚର୍ଚ୍ଚା ହେଉଛି । ଡିଏଫଓ ଏ ବିଷୟରେ ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।
Comments are closed.