ସାମୂହିକ ବିବାହ ଉତ୍ସବରେ ନକଲି ଗହଣା ପ୍ରଦାନ ଅଭିଯୋଗ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ସାମୂହିକ ବିବାହ ଯୋଜନାରେ ଆୟୋଜିତ ବାହାଘର ସମୟରେ ଦମ୍ପତିଙ୍କୁ ନକଲି ଗହଣା ଓ ନିମ୍ନମାନର ଉପହାର ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି। ବାସ୍ତି ଜିଲାରେ ମଙ୍ଗଳବାର ଏକ ସାମୂହିକ ବିବାହ ଉତ୍ସବ ସମୟରେ ଏପରି ଘଟଣା ଲୋକଲୋଚନକୁ ଆସିବା ପରେ ଜିଲାପାଳ ତଦନ୍ତ ନିର୍ଦେଶ ଦେଇଛନ୍ତି। ମଙ୍ଗଳବାର ଆୟୋଜିତ ଉତ୍ସବରେ ୫୪୩ ଜଣଙ୍କ ବାହାଘର ହୋଇଥିଲା। ତେବେ କନ୍ୟାଙ୍କୁ ନକଲି ଗହଣା ସହ ନବଦମ୍ପତିଙ୍କୁ ନିମ୍ନମାନର ଘରକରଣା ଜିନିଷ ପ୍ରଦାନ ନେଇ ଅଭିଯୋଗ ଆସିଥିଲା। ନିୟମ ଅନୁଯାୟୀ ଆଇଏସ୍ଆଇ ମାର୍କା ଗହଣା ସହ ୫୧ ହଜାର ଟଙ୍କାର ଘରକରଣା ଜିନିଷ ପ୍ରଦାନ କରାଯିବା ବଦଳରେ ନକଲି ଗହଣା ଓ ନିମ୍ନମାନର ଗହଣା ପ୍ରଦାନ କରାଯିବାକୁ ବିଶ୍ବ ହିନ୍ଦୁ ମହାସଂଘ ତରଫରୁ ବିରୋଧ କରାଯାଇଥିଲା। ଏହାକୁ ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।
Comments are closed.