ବିଧାୟକଙ୍କ ସମୀକ୍ଷା ବୈଠକ, ଛତୁଆର ମାନ ପରୀକ୍ଷା ପାଇଁ ନିର୍ଦ୍ଦେଶ

ଫୁଲବାଣୀ: ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ବିଭିନ୍ନ ସମୟରେ ଲୋକମାନଙ୍କ ପାଖରୁ ଅଭିଯୋଗ ପତ୍ର ଗ୍ରହଣ କରି ପତ୍ର ଆଧାରରେ କ୍ଷେତ୍ର ପରିଦର୍ଶନ କରିବା ପରେ କେତେଗୁଡ଼ିଏ ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଜିଲ୍ଲାର ବିଭିନ୍ନ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରିଛନ୍ତି। ଏଥିରେ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଭାଗର କାର୍ଯ୍ୟକ୍ରମ ସହିତ ବିଭାଗରେ ଥିବା ସମସ୍ୟା ଗୁଡ଼ିକୁ ବିଧାୟକଙ୍କ ଦୃଷ୍ଟିକୁ ଆଣିଥିଲେ। ଶ୍ରୀ ମଲ୍ଲିକ ମଧ୍ୟ ପାଇଥିବା ଅଭିଯୋଗଗୁଡ଼ିକୁ ସଂପୃକ୍ତ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ। ଯେପରିକି ଭତ୍ତା ପାଇବାରେ ବିଳମ୍ବ ହେବା, ଚେକ୍ ଡ୍ୟାମ୍ ଗୁଡ଼ିକ ସଠିକ୍ ସ୍ଥାନରେ ନହେବା ଫଳରେ ପାଣି ରହୁ ନଥିବା, ସଠିକ ଯାଗାରେ ଏଲ୍.ଆଇ.ପଏଣ୍ଟ ଓ ଚେକ୍ ଡ୍ୟାମ୍ ନ ହେବା ଦ୍ୱାରା ଚାଷୀଙ୍କ କାମରେ ଲାଗୁ ନଥିବା ଭଳି ଅନେକ ଅଭିଯୋଗ ସେ ପାଇଛନ୍ତି ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ସ୍ଥାନୀୟ ଲୋକ ଏବଂ ଜନ ପ୍ରତିନିଧିଙ୍କ ସହିତ ଆଲୋଚନା ପରେ କୌଣସି ପ୍ରୋଜେକ୍ଟ ନିର୍ମାଣ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସରକାର ଲୋକମାନଙ୍କ ମଙ୍ଗଳ ପାଇଁ ବିଭିନ୍ନ ପ୍ରକଳ୍ପ ତିଆରି କରୁଛନ୍ତି ଅଥଚ ସେମାନଙ୍କ କାମରେ ଲାଗୁନି। ସେଥିପାଇଁ ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେବା ଆବଶ୍ୟକ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅଙ୍ଗନୱାଡ଼ି ଗୃହ ପାଇଁ ସ୍ଥାନ ନିରୁପଣ, ବିଦ୍ୟୁତୀକରଣ, ଟଏଲେଟ୍ ନିର୍ମାଣ, ପାନୀୟ ଜଳ ବ୍ୟବସ୍ଥା, ପାଚେରୀ ନିର୍ମାଣ ଇତ୍ୟାଦି କାର୍ଯ୍ୟ ଆରମ୍ଭ ପୂର୍ବରୁ ବିଡିଓ, ସିଡିପିଓଙ୍କ ସହିତ ଆଲୋଚନା କରିବାକୁ ଶ୍ରୀ ଭୋଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ସେହିପରି ଯେଉଁ ଛତୁଆ ପିଲାମାନଙ୍କୁ ଦିଆଯାଉଛି ସେହି ଛତୁଆକୁ ମାନ ପରୀକ୍ଷା ପାଇଁ ପଠାଇବାକୁ ବିଧାୟକ କହିଥିଲେ। ଚୁକ୍ତି ହୋଇସାରିଥିବା ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟ ଆରମ୍ଭ ପୂର୍ବରୁ ସମୀକ୍ଷା କରାଯିବ ଏବଂ ଆବଶ୍ୟକ ପଡ଼ିଲେ ସରକାରଙ୍କ ଦୃଷ୍ଟିକୁ ନେବେବୋଲି ଶ୍ରୀ ମଲ୍ଲିକ କହିଥିଲେ। ଏହି ସମୀକ୍ଷା ବୈଠକରେ ସାମାଜିକ ସୁରକ୍ଷା, କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ, ସମାଜ ମଙ୍ଗଳ, ବେସାମରିକ ଯୋଗାଣ, ସମବାୟ ସମିତି, ମୋବାଇଲ୍ ନେଟ୍ ୱାର୍କ, ଉନ୍ନୟନ ବିଭାଗ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟମାନେ ସେମାନଙ୍କ ବିଭାଗ ତଥା ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

 

Comments are closed.