www.samajalive.in
Sunday, December 7, 2025
15.1 C
Bhubaneswar

ପାହାଡ଼ ଉପରୁ ମିଳିଲା ନାବାଳକର ମୃତଦେହ: ସଂକ୍ରାନ୍ତିରେ ଶିଶୁବଳି ସନ୍ଦେହ

ବଲାଙ୍ଗିର/ପାଟଣାଗଡ଼଼/ଖପ୍ରାଖୋଲ : ବଲାଙ୍ଗିର ଜିଲା ଲାଠୋର ଥାନା ଅନ୍ତର୍ଗତ ଜଲପାଙ୍କେଲ ଗାଁର ଜଣେ ନାବାଳକକୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି। ଗୁରୁବାର ଅପରାହ୍ଣରୁ ସଂପୃକ୍ତ ନାବାଳକ ନିଖୋଜ ଥିଲେ। ଆଜି ଗ୍ରାମ ନିକଟସ୍ଥ ଏକ ପାହାଡ଼ରୁ ଶବ ମିଳିବା ପରେ ତାଙ୍କୁ ବଳି ଦିଆଯାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଗତକାଲି ସଂକ୍ରାନ୍ତି ଥିବାବେଳେ ତାକୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି। ତେବେ ପୂର୍ବ ଶତ୍ରୁତାରୁ ତାକୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ଅପରପକ୍ଷେ ଅଭିଯୁକ୍ତକୁ ଗିରଫ ଦାବିରେ ଗ୍ରାମବାସୀ ଲାଠୋରରୁ ସୀମାନ୍ତ ନୂଆପଡ଼ା ଜିଲାକୁ ଯାଇଥିବା ରାସ୍ତା ଅବରୋଧ କରିଥିଲେ। ପୁଲିସ ସନ୍ଧାନୀ କୁକୁର, ସାଇଣ୍ଟିଫିକ୍‍ ଦଳ ସହ ତଦନ୍ତ କରିଛି। ଏହି ଘଟଣାରେ ଜଣକୁ ଅଟକ ରଖି ପୁଲିସ ପଚରା ଉଚୁରା ଚଳାଇଛି। ଜଲପାଙ୍କେଲ ଗାଁର ତପନ ବେମାଲଙ୍କ ପୁଅ ସୋମନାଥ ବେମାଲ ଗୁରୁବାର ଅପରାହ୍ନ ୩ଟାରୁ ଘରୁ ବାହାରିଥିଲେ ହେଁ ସନ୍ଧ୍ୟା ଯାଏଁ ଘରକୁ ଫେରି ନଥିଲେ। ପରିବାର ଲୋକ ଅନେକ ଖୋଜାଖୋଜି କରିଥିଲେ ହେଁ ତାଙ୍କୁ ପାଇ ନଥିଲେ। ଏଥିପାଇଁ ଲାଠୋର ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଶୁକ୍ରବାର ସକାଳେ ଗାଁ ନିକଟ ଝଲିଆଲିଟି ପାହାଡ଼ରେ ନିଖୋଜ ସୋମନାଥଙ୍କ ଶବ ପଡ଼ିଥିବା ଦେଖିଥିଲେ। କଳାହାଣ୍ଡି ଜିଲା ଭବାନୀପାଟଣାରୁ ଆସିଥିବା ସାଇଣ୍ଟିଫିକ୍‌ ଦଳ ସହ ସନ୍ଧାନୀ କୁକୁର ନେଇ ଲାଠୋର ପୁଲିସ ଘଟଣାସ୍ଥଳରେ ତଦନ୍ତ କରିଥିଲେ। ସନ୍ଧାନୀ କୁକୁର ଗାଁର ଡୋଳାମଣି ରଣାଙ୍କ ଘର ଯାଏଁ ଯାଇଥିଲା। ଡୋଳାମଣି ନାବାଳକକୁ ବଳି ଦେଇଥିବା ଅଭିଯୋଗ କରି ପରିବାର ଓ ଗାଁ ଲୋକେ ଲାଠୋରରୁ ନୂଆପଡ଼ା ଜିଲାକୁ ଯାଉଥିବା ମୁଖ୍ୟ ରାସ୍ତା ଅବରୋଧ କରିବା ସହ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି ଉଠାଇଥିଲେ। ପୁଲିସ ଅଭିଯୁକ୍ତକୁ ଅଟକ ରଖି ଜେରା କରୁଛି। ଅନ୍ୟପଟେ ମୃତକର ଶବ ପାଟଣାଗଡ଼ ପଠାଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ସମ୍ପର୍କରେ ପାଟଣାଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ (ଏସ୍‌ଡିପିଓ) ସଦାନନ୍ଦ ପୂଜାରୀ କହିଛନ୍ତି ଯେ, ପୂର୍ବ ଶତ୍ରୁତାରୁ ନାବାଳକକୁ ହତ୍ୟା କରାଯାଇଥିବା ଆଶଙ୍କା କରି ପୁଲିସ ପଚରା ଉଚୁରା ଚଳାଇଛି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହା ଖୋଳତାଡ଼ ଜାରି ରହିଥିବା ସେ କହିଛନ୍ତି। ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରତିଶ୍ରୁତି ଦେବା ପରେ ଗାଁ ଲୋକେ ରାସ୍ତା ଅବରୋଧରୁ ହଟିଛନ୍ତି। ଅନ୍ୟପଟେ ଗାଁ ଲୋକେ ୯ ବର୍ଷ ପୂର୍ବେ ମଧ୍ୟ ଅଭିଯୁକ୍ତ ଡୋଳାମଣି ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ତଦନ୍ତକାରୀ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ମୃତକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ବଳି ଦେବାର କୌଣସି ଲକ୍ଷଣ କି ପାରିପାର୍ଶ୍ବିକ ସ୍ଥିତି ଘଟଣାସ୍ଥଳରେ ନାହିଁ। ତଦନ୍ତ ଜାରି ରହିଛି। ସବିଶେଷ ରିପୋର୍ଟ ପରେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories