ପିତୃହନ୍ତା ପୁତ୍ରକୁ ଆଜୀବନ କାରାଦଣ୍ଡ
ଆଠଗଡ: ଆଠଗଡ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଏକ ହତ୍ୟା ମାମଲାର ବିଚାର କରି ଜଣେ ପିତୃହନ୍ତା ପୁତ୍ରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି । ବିବରଣୀରୁ ପ୍ରକାଶ ଆଠଗଡ ଥାନା ଅନ୍ତର୍ଗତ ବେଣ୍ଟପଦା ଗ୍ରାମରେ ଗତ ୨୦୨୩ ମସିହା ଏପ୍ରିଲ ୩୦ ତାରିଖ ଭୋର ସମୟରେ ପୁତ୍ର ଅପର୍ତ୍ତି ମହାନ୍ତି ଓରଫ ହାଡିଆ ନିଜ ବାପା ବାଲୁଙ୍କେଶ୍ଵର ମହାନ୍ତିଙ୍କୁ ଲୁହା ଛଡରେ ଆକ୍ରମଣ କରି ହତ୍ୟା କରିଥିଲା । କୌଣସି କାମଧନ୍ଦା ନକରି ଅଭିଯୁକ୍ତ ଅପର୍ତ୍ତି ସବୁବେଳେ ବାପା ବାଲୁଙ୍କେଶ୍ଵରଙ୍କୁ ପଇସାପତ୍ର ମାଗି ନିଜ ଖର୍ଚ୍ଚ ତୁଲାଇବା ସହ ନିଶା ସେବନ ମଧ୍ୟ କରୁଥିଲା।
ଘଟଣାର ପୂର୍ବଦିନ ଅର୍ଥାତ ୨୦୨୩ ଏପ୍ରିଲ ୨୯ ତାରିଖରେ ବାପାଙ୍କୁ ଟଙ୍କା ମାଗିବା ଓ ବାପା ନଦେବାରୁ ରାଗ ରଖି ୩୦ ତାରିଖ ଭୋର ସମୟରେ ବାଲୁଙ୍କେଶ୍ଵର ଘର ବାହାରେ ଫୁଲ ତୋଳୁଥିବାବେଳେ ଅପର୍ତ୍ତି ଏକ ଲୁହା ଛଡରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣା ସମ୍ପର୍କରେ ବାଲୁଙ୍କେଶ୍ଵରଙ୍କ ଜ୍ୱାଇଁ ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ସହ ଅଭିଯୋଗ ଫର୍ଦ୍ଦ ଅଦାଲତରେ ଦାଖଲ କରିଥିଲେ। ପୁଲିସର ଅଭିଯୋଗ ଫର୍ଦ୍ଦ, ସମସ୍ତ ସାକ୍ଷ୍ୟ ପ୍ରମାଣକୁ ବିଚାରକୁ ନେଇ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରାଜକୁମାର ଦାସ ଅଭିଯୁକ୍ତ ଅପର୍ତ୍ତିକୁ ଦୋଷୀସାବ୍ୟସ୍ତ କରି ସୋମବାର ତାଙ୍କ ରାୟ ପ୍ରକାଶ କରିଛନ୍ତି। ଦୋଷୀ ଆସାମୀକୁ ବିଚାରପତି ଶ୍ରୀ ଦାସ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦେବା ଅଥବା ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଶରତ କୁମାର ଦାଶ ଓ ଦେବାଶିଷ ସିଟ୍ ମାମଲାଟିକୁ ପରିଚାଳନା କରୁଥିଲେ।
Comments are closed.