ରାୱଲପିଣ୍ଡି: ମୁସ୍ଫିକୁର ରହିମ୍ଙ୍କ ୧୯୧ ରନ୍ର ଇନିଂସ ପରେ ଚଳିତ ପ୍ରଥମ ଟେଷ୍ଟମ୍ୟାଚ୍ରେ ବାଂଲାଦେଶର ବୋଲର ଲଢ଼ୁଆ ପ୍ରଦର୍ଶନ କରିଛନ୍ତି। ୨ୟ ଇନିଂସରେ ପାକିସ୍ତାନ ମାତ୍ର ୧୪୬ ରନ୍ରେ ଅଲ୍ଆଉଟ୍ ହେବା ପରେ ବାଂଲାଦେଶ ଏହି ଟେଷ୍ଟକୁ ୧୦ ୱିକେଟ୍ରେ ଜିତିନେଇଛି। ଫଳରେ ଘରୋଇ ମାଟିରେ ପାକିସ୍ତାନ ଗତ ୯ଟି ଟେଷ୍ଟମ୍ୟାଚ୍ରେ ଗୋଟିଏ ବି ବିଜୟ ହାସଲ କରିନଥିବା ବେଳେ ୫ମ ପରାଜୟ ଭୋଗିଛି। ୨୦୨୧ ଫେବୃଆରୀ ପରଠାରୁ ପାକିସ୍ତାନ ଘରୋଇ ମାଟିରେ ଗୋଟିଏ ମଧ୍ୟ ଟେଷ୍ଟ ଜିତି ପାରିନାହିଁ। ଅନ୍ୟପକ୍ଷରେ ପାକିସ୍ତାନ ବିପକ୍ଷରେ ପ୍ରଥମଥର ଟେଷ୍ଟମ୍ୟାଚ୍ ଜିତି ବାଂଲାଦେଶ ଐତିହାସିକ ସଫଳତା ହାସଲ କରିଛି। ପୁଣି ଗତ ୭ ବର୍ଷରେ ବିଦେଶରେ ବାଂଲାଦେଶ ମାତ୍ର ୨ଟି ଟେଷ୍ଟମ୍ୟାଚ୍ ଜିତିପାରିଛି। ବାଂଲାଦେଶ ଏକମାତ୍ର ଦଳ ଭାବେ ପାକିସ୍ତାନ ମାଟିରେ ୧୦ ୱିକେଟ୍ରେ ଟେଷ୍ଟମ୍ୟାଚ୍ ଜିତିଛି।
ବାଂଲାଦେଶ ପ୍ରଥମ ଇନିଂସରେ ୫୬୫ ରନ୍ କରି ପ୍ରଥମ ଇନିଂସରେ ୧୧୭ ରନ୍ ଆଗରେ ରହିଥିଲା। ପରେ ପାକିସ୍ତାନ ୪ର୍ଥ ଦିନ ଶେଷରେ ୧ ୱିକେଟ୍ରେ ୨୩ ରନ୍ କରିଥିଲା। ରବିବାର ୫ମ ତଥା ଅନ୍ତିମ ଦିନରେ ପାକିସ୍ତାନ ଦୟନୀୟ ବ୍ୟାଟିଂକରି ମାତ୍ର ୧୪୬ ରନ୍ରେ ଅଲ୍ଆଉଟ୍ ହୋଇ ଯାଇଥିଲା। ଫଳରେ ୨ୟ ଇନିଂସରେ ବାଂଲାଦେଶକୁ ୩୦ ରନ୍ର ବିଜୟଲକ୍ଷ୍ୟ ମିଳିଥିଲା। କୌଣସି ୱିକେଟ୍ ନ ହରାଇ ଏହା ବାଂଲାଦେଶ ହାସଲ କରି ନେଇଥିଲା। ଏହି ବିଜୟ ଫଳରେ ୨ ମ୍ୟାଚ୍ର ଟେଷ୍ଟ ଶୃଙ୍ଖଳାରେ ବାଂଲାଦେଶ ୧-୦ରେ ଆଗୁଆ ରହିଛି। ୩୦ରୁ ୨ୟ ଟେଷ୍ଟମ୍ୟାଚ୍ ଆରମ୍ଭ ହେବ। ପାକିସ୍ତାନ ୨ୟ ଇନିଂସରେ ମାତ୍ର ୬୭ ରନ୍ରେ ୪ଟି ୱିକେଟ୍ ହରାଇଥିଲା। ପ୍ରଥମଦିନ ସୈମ୍ ଆୟୁବ ୧ ରନ୍କରି ଆଉଟ୍ ହୋଇଥିବା ବେଳେ ୨ୟ ଦିନରେ ଅଧିନାୟକ ସାନ୍ ମସୁଦ୍ ୧୪ ରନ୍କରି ବିଦାୟ ନେଇଥିଲେ। ଦଳର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବାବର ଆଜମ୍ ୨୨ ରନ୍ କରି ପାରିଥିଲେ।
ସୌଦ୍ ସକିଲ ଖାତା ଖୋଲି ପାରିନଥିଲେ। ୫ମ ୱିକେଟ୍ ପାଇଁ ଓପ୍ନର ଅବ୍ଦୁଲ୍ଲା ସଫିକ୍ ଓ ମହମ୍ମଦ ରିଜ୍ୱାନ ୩୭ ରନ୍ ଯୋଡ଼ିଥିଲେ। ସଫିକ୍ ୩ଟି ଚୌକା ସହ ୩୭ ରନ୍ କରିଥିଲେ। ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ମହମ୍ମଦ ରିଜ୍ୱାନ ୨ୟ ଇନିଂସରେ ଅର୍ଦ୍ଧଶତକ ହାସଲକରି ୬ଟି ଚୌକା ସହ ୫୧ ରନ୍ କରିଥିଲେ। ପରେ ୪୨ ରନ୍ରେ ପାକିସ୍ତାନ ଶେଷ ୬ଟି ୱିକେଟ୍ ହରାଇ ୧୪୬ ରନ୍ରେ ଅଲ୍ଆଉଟ୍ ହୋଇ ଯାଇଥିଲା। ଅଫ୍ସ୍ପିନର ମେହ୍ଦି ହାସନ୍ ମିରାଜ୍ ୪ଟି ଓ ବାମହାତି ସ୍ପିନର ସାକିବ୍ ଅଲ୍ ହାସନ୍ ୨ଟି ୱିକେଟ୍ ନେଇଥିଲେ। ମୁସ୍ଫିକୁର ରହିମ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।



