୨୦୧୯ରେ ଭାରତ ପାଇଁ ଅପରିହାର୍ଯ୍ୟ ନବମ କାର୍ଯ୍ୟ

0

ପଦ୍ମଚରଣ ନାଏକ

prayash

ନୂଆବର୍ଷର ଟାଇମସ୍ ଅଫ୍ ଇଣ୍ଡିଆର ସଂପାଦକୀୟ ପୃଷ୍ଠାରେ ବିତ୍ତୀୟ ପରିଚାଳନା ବିଶାରଦ ରଘୁରାମ ରାଜନ୍ ଓ ଅର୍ଥନୀତି ବିଶେଷଜ୍ଞ ଅଭିଜିତ୍ ବାନାର୍ଜୀଙ୍କ ଆଲୋଚନାର ସାରାଂଶ ‘ଏଇଟଥ୍ ଥିଙ୍ଗସ୍ ଇଣ୍ଡିଆ ମଷ୍ଟ୍ ଡୁ ଇନ୍ ୨୦୧୯’ ଲେଖାଟି ପଢିବାପରେ କିଛି ଲେଖିବାକୁ ମନ ଖୁଜ୍‌ବୁଜ୍‌ ହେଲା । ଦେଶ ଲାଗି ଗଭୀର ଭାବରେ ଚିନ୍ତା କରୁଥିବା ଏଭଳି ପଣ୍ଡିତମାନଙ୍କ ନିର୍ଣ୍ଣୟ ନିଶ୍ଚୟ ସରକାରଙ୍କ ବିଚାରକୁ ଆସିବ । ଏହି ଆଠଟି ନିର୍ଣ୍ଣୟ ମଧ୍ୟରେ ଦ୍ୱିତୀୟ କଥାଟି ମଧ୍ୟରେ ରହିଛି କୃଷି, ଶକ୍ତି ଓ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ।
ଭାରତବର୍ଷ ଭଳି ଦେଶରେ ବହୁ ବ୍ୟକ୍ତି କୃଷି ଅର୍ଥନୀତି ସହିତ ସଂପୃକ୍ତ ଥିବାରୁ ଏହି କ୍ଷେତ୍ରରେ କୁହୁଳୁଥିବା ବହୁ ବର୍ଷର ଅସନ୍ତୋଷ ଓ କ୍ରୋଧର ପରିଣାମ ୨୦୧୮ ନିର୍ବାଚନମାନଙ୍କରେ ପ୍ରତିଫଳିତ ହୋଇଛି । ଏଣୁ ଦେଶର ଦୁଇ ପ୍ରମୁଖ ରାଜନୀତିକ ଦଳ ଏବଂ ରାଜ୍ୟସ୍ତରୀୟ ଗରିଷ୍ଠ ଦଳଗୁଡିକ ଆଗାମୀ ନିର୍ବାଚନ ପୂର୍ବରୁ ଚାଷୀମାନଙ୍କ ଋଣ ଛାଡ ଓ ଅନ୍ୟାନ୍ୟ ସୁଯୋଗ ସଂପର୍କରେ ଘୋଷଣା ପ୍ରକାଶ ଦିଗରେ ପ୍ରତିଯୋଗିତା କଲେଣି । ଅତୀତରେ କୃଷି ଋଣ ଛାଡର ଅଭିଜ୍ଞତା ପ୍ରମାଣିତ କରିଛି ଯେ ଏହା ଫଳରେ କୃଷକର ସମସ୍ୟା ସମାହିତ ହୋଇଯିବ ନାହିଁ। ଏହାପରେ ବି କୃଷକକୁ ଋଣ ଉପରେ ନିର୍ଭର କରିବାକୁ ପଡିବ । ତା’ର ଆଧାର ନିଃଶେଷ ନ ହେଉ, ଏହି ଆଶଙ୍କା ବିଭିନ୍ନ ସ୍ତରରେ ପ୍ରକାଶିତ ହୋଇଛି । ଏହାର ସାମନାସାମନି ଯୁକ୍ତି ହେଉଛି ଶିଳ୍ପ ବାଣିଜ୍ୟ ଆଦି ଋଣ ଛାଡ ଓ ସରକାରୀ କର୍ମଚାରୀମାନଙ୍କ ବେତନ କମିସନର ସୁପାରିସ କାର୍ଯ୍ୟକାରୀ କଲାବେଳକୁ ତ ସରକାର ଇତସ୍ତତଃ ହେଉନାହାନ୍ତି। ଚାଷୀର ଋଣ ଛାଡ ବେଳକୁ କାହିଁକି କୁନ୍ଥୁକୁନ୍ଥୁ? ଯୋଗେନ୍ଦ୍ର ଯାଦବଙ୍କ ଭଳି ଯେଉଁମାନେ ଚାଷୀ ଆନ୍ଦୋଳନ ବହୁ କାଳ ଚଳାଇ ଆସିଛନ୍ତି ସେମାନେ ଏ ଦିଗରେ ମୂଲ୍ୟବାନ ପରାମର୍ଶ ଦେଇଛନ୍ତି, କିନ୍ତୁ ଚାଷ ଖାଲି ଆର୍ଥିକ ଦିଗରୁ ଚଳନୀୟ ହେଲେ ଚାଷପ୍ରତି ଲୋକେ ଆଗ୍ରହୀ ହେବେ ନାହିଁ । ଏବେ ଯେଉଁମାନେ ଚାଷ ସହିତ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ସେମାନେ ଅନ୍ୟ ଉତ୍କୃଷ୍ଟ ଧନ୍ଦା ନ ପାଇଥିବାରୁ ବାଧ୍ୟରେ ଏଥିରେ ଅଛନ୍ତି । ଏକ ସାର୍ଥକ ଓ ସ୍ପୃହଣୀୟ ବୃତ୍ତି ଭାବରେ ଗ୍ରହଣ କଲେ ହିଁ ଏହାକୁ ଅଧିକ ବୈଜ୍ଞାନିକ ଓ କୁଶଳୀ ଦୃଷ୍ଟିଭଙ୍ଗୀ ସହ ସଂପାଦନା କରିବାକୁ ସେମାନଙ୍କର ଆଗ୍ରହ ଆସିବ । ସେଥିଲାଗି ଜୀବନ-ଦର୍ଶନର ପ୍ରଚଳିତ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ଆବଶ୍ୟକ । କୃଷିକର୍ମ ଭଳି ସୃଜନଶୀଳ ତଥା ସାତ୍ତ୍ବିକ ଧନ୍ଦାରେ ଭୋଗ-ସର୍ବସ୍ୱ ଜୀବନର ଅସାରତା ଅନୁଭବ କଲେ, ଖୁବ ଅର୍ଥକରୀ ଧନ୍ଦା ନ ହେଲେ ବି ଚାଷ ସହିତ ସଂପୃକ୍ତ ଖରା ବର୍ଷା ଶୀତ କାକର ଅନୁଭବ ବାଧିବ ନାହିଁ; ବରଂ ଆତ୍ମସନ୍ତୋଷ ପ୍ରଦାନ କରିବ ।
ଏହି ପଣ୍ଡିତମାନେ ଶିକ୍ଷାର ଗୁରୁତ୍ୱ ସଂପର୍କରେ ନିଜର ପରାମର୍ଶ ଦେଇଛନ୍ତି, କିନ୍ତୁ ଗାନ୍ଧିଜୀଙ୍କ ପ୍ରୋତ୍ସାହିତ ମୌଳିକ ଶିକ୍ଷା ଏହି ଧନ୍ଦାମୂଳକ ଶିକ୍ଷାରେ ରହିଯିବାରୁ ହିଁ ତାର ପ୍ରସାର ଓ ବିକାଶ ଘଟିଲାନାହିଁ । ଅଳ୍ପ କେତେକଙ୍କୁ ଛାଡିଦେଲେ ଏ ଦିଗରେ ନିୟୋଜିତ ଶିକ୍ଷକମାନେ ମୌଳିକ ଶିକ୍ଷାର ଦାର୍ଶନିକ ଦିଗର ଗୁରୁତ୍ୱ ଉପଲବଧି କରିପାରିନଥିଲେ । ତେଣୁ କୃଷି ବିକାଶ କଥା କହିଲାବେଳେ ତାକୁ ପ୍ରୋତ୍ସାହନ ଦେଲାଭଳି ଯେଉଁ ଶିକ୍ଷାର ଅପରିହାର୍ଯ୍ୟତା ରହିଛି; ତାହା ହେଉଛି ଗାନ୍ଧିବାଦୀ ମୌଳିକ ଶିକ୍ଷା ।
ଶ୍ରୀ ରାଜନ୍ ଓ ବାନାର୍ଜୀ ଯୁକ୍ତରାଷ୍ଟ୍ର ଆମେରିକାର ବିଖ୍ୟାତ ବିଶ୍ୱବିଦ୍ୟାଳୟରେ କର୍ମରତ । ଏଣୁ ଭାରତବର୍ଷର ସାଧାରଣ ଜନଜୀବନର ଗୋଟିଏ ବଡ ସମସ୍ୟା ସହିତ ପରିଚିତ ନୁହନ୍ତି ଯାହା ହେଉଛି ମଦ, ଡ୍ରଗ୍ସ ଆଦି ନିଶା । ଆଜି ଚାଷୀ ଘରର ପିଲା ଓ କୃଷି ଶ୍ରମିକଙ୍କ ସମେତ ବିଭିନ୍ନ କର୍ମକ୍ଷେତ୍ରରେ ନିଯୁକ୍ତ ଅଧିକାଂଶ ବ୍ୟକ୍ତି ନିଶାରେ ଅଭ୍ୟସ୍ତ ହୋଇପଡିଥିବାରୁ ସେମାନଙ୍କର ସ୍ୱାସ୍ଥ୍ୟହାନି ସହିତ କର୍ମକ୍ଷମତା ମଧ୍ୟ ହ୍ରାସ ପାଉଛି । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭକରି ରାଜ୍ୟ ସରକାର ଦକ୍ଷତା ବୃଦ୍ଧି ଲାଗି ନାନା ଯୋଜନା, ଓ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି । ନିକଟରେ ଓଡିଶାର ୨୧ ଜଣ ସର୍ବଭାରତୀୟ କ୍ଷେତ୍ରରେ ଦକ୍ଷତା ଦିଗରେ କୃତିତ୍ୱ ହାସଲ କରିଥିବାର ଫଟୋ ସମ୍ବାଦପତ୍ରମାନଙ୍କରେ ବାହାରିଥିଲା । ଚାରିକୋଟି ଓଡିଆଙ୍କ ମଧ୍ୟରୁ ଯେତେ ନିୟୁତ ଧନ୍ଦା ଲାଗି ପ୍ରତିବର୍ଷ ବାହାରୁଛନ୍ତି ସେମାନଙ୍କ ମଧ୍ୟରୁ ୨୧ ଜଣ ଦକ୍ଷତା ଦିଗରେ କୃତିତ୍ୱ ଲାଭକରିବାକୁ ଅସ୍ୱୀକାର କରିହେବ ନାହିଁ; କିନ୍ତୁ ସେମାନଙ୍କର ଯେଉଁ ଫଟୋ ପ୍ରକାଶିତ ହୋଇଥିଲା ତହିଁରେ ଥିଲେ ଜଣେ ମାତ୍ର ଯୁବତୀ। ଏଣୁ ଦକ୍ଷତା ଲାଭ ଦିଗରେ ଆମେ କିଭଳି ବହୁ ପଛରେ ସେଇଥିରୁ ଏହା ଜାଣି ହୁଏ ।
୧୯୫୭ ମସିହାରେ ସୋଭିଏତ୍ ଇଉନିୟନ ଆନ୍ତଃମହାଦେଶୀୟ ଯାନରେ ମହାକାଶକୁ ‘ଲାଇକା’ ନାମକ ଏକ କୁକୁର ପଠାଇ ଚହଳ ପକାଇଥିଲା। ବିଜ୍ଞାନର ବିଭିନ୍ନ ଦିଗରେ ଅଗ୍ରଣୀ ଦେଶ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଚାଂଚଲ୍ୟ ସୃଷ୍ଟି କରିଥିଲା। ଏ ଦିଗରେ ଚାଲେଞ୍ଜକୁ ସାମନା କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଅଧିକ ସଂଖ୍ୟକ ଛାତ୍ର ଗଣିତ ଓ ବିଜ୍ଞାନ ପଢିଲେ, ଗବେଷଣା ପାଇଁ ରାଷ୍ଟ୍ର ଅଧିକ ଅର୍ଥ ବିନିଯୋଗ କଲେ ଏବଂ ମହାକାଶ ଯାନର ବିକାଶ ଦିଗରେ ବୈଜ୍ଞାନିକମାନେ ଲାଗିପଡିଲେ । ଫଳରେ ଚାରିବର୍ଷ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଏ ଦିଗରେ ଖାଲି ଆଗେଇ ଗଲାନାହିଁ; ପରେପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ଦିଗରେ ଅଗ୍ରଣୀ ହେଲା ।
ଆମ ପାରମ୍ପରିକ ଶ୍ରମବିମୁଖ ଶିକ୍ଷା ଖାଲିର ବିକାଶ ଦିଗରେ ନୁହେଁ, ସମଗ୍ର ଜାତିର ଅଗ୍ରଗତିର ବାଧକ ହୋଇପଡିଛି । ତା ସାଙ୍ଗକୁ ନିଶାର ପ୍ରସାର ଚାଲିଥିବାରୁ ଆମେ କୃଷି ସମେତ ​‌େ​‌କୗଣସି ଦିଗରେ ଆଗେଇ ପାରିବା ନାହିଁ । ଭାରତବର୍ଷରେ ମଦର ବନ୍ୟା ଛୁଟୁଥିବା ଯୋଗୁ ଯୁବକମାନେ ଅତ୍ୟଧିକ ମଦ ପିଇ ବହୁସଂଖ୍ୟାରେ ରାସ୍ତା ଦୁର୍ଘଟଣା ଛଡା ହୃଦ୍‌ଘାତରେ ମରୁଛନ୍ତି । ଆଉ ନିୟୁତନିୟୁତ ଯୁବକ ପ୍ରତିବର୍ଷ ନାନାପ୍ରକାର କର୍କଟ ରୋଗରେ ଅଧାବୟସରେ ମରୁଛନ୍ତି । ଏହାଫଳରେ ୩୦,୩୫ ବର୍ଷ ବୟସରୁ ଅସଂଖ୍ୟ ଝିଅ ଅକାଳରେ ବିଧବା ହେଉଛନ୍ତି । ରାଜନ ତଥା ମୁଖାର୍ଜୀ ସିନା ଏଭଳି ସମସ୍ୟା ସଂପର୍କରେ ଅବହିତ ନୁହନ୍ତି । ଓଡିଶା ତଥା ଭାରତବର୍ଷର ସବୁ ରାଜ୍ୟର ରାଜନୀତିକ ନେତାମାନେ ତ ନିଶାର ବିଷମୟ ଫଳ ସଂପର୍କରେ ଅବହିତ। ସେମାନେ ଚାଷୀର ଋଣ ଛାଡ ସଂପର୍କରେ ଘୋଷଣା କରିବାରେ ପ୍ରତିଯୋଗିତା ଚଳାଇଥିବାବେଳେ ନିଶାନିବାରଣ ଉପରେ ନିରବ ରହିବା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ।
କ୍ଷମତା ନିଶାରେ ଅନ୍ଧ ଏହି ନେତାମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ନିଜ ଲୋକଙ୍କ ନାମରେ ମଦ ଦୋକାନ ଅଛି । ଭାରତବର୍ଷର ଜଣେ କୁଖ୍ୟାତ ସାଂସଦ ତ ଥିଲେ ବିଖ୍ୟାତ ମଦ ବ୍ୟବସାୟୀ । ଏହାଛଡା ରାଜନୀତିକ ଦଳର ନେତା ଓ କର୍ମୀମାନଙ୍କ ମଧ୍ୟରୁ ଅଧିକାଂଶ ମଦାସକ୍ତ । ଟଙ୍କା ଛଡା ମଦ ବିନା ସେମାନେ ରାଜନୀତି କରିବା ଚିନ୍ତା କରିପାରନ୍ତି ନାହିଁ । ଆଉ ନିର୍ବାଚନ କାଳରେ ଲୋକଙ୍କୁ ଟଙ୍କା ଛଡା ମଦ ଯୋଗାଇଲେ ସହଜରେ ସେମାନଙ୍କ ଭୋଟ କରାୟତ୍ତ କରିହେଉଛି । ଏହା ନିର୍ବାଚନ କମିସନଙ୍କ ଠାରୁ ଆରମ୍ଭକରି ସମସ୍ତେ ଜାଣନ୍ତି । ଅବକାରୀ ଆୟ ଏ ଦିଗରେ ବଡ ବାଧକ ନୁହେଁ; ଦେଶର ରାଜନୀତିକୁ ମଦ ନିୟନ୍ତ୍ରଣ କରୁଥିବାରୁ ନେତାମାନେ ଏ ଦିଗରେ ମୁହଁ ଖୋଲୁନାହାନ୍ତି। ଏହା ସ‌ତ୍ତ୍ବେ ଦେଶର ନେତାମାନେ ଦେଶକୁ ଆଗେଇ ନେବାଲାଗି ଯେତେବେଳେ ଆହ୍ୱାନ ଦେଉଛନ୍ତି ସେସବୁକୁ କପଟାଚାର ଛଡା କ’ଣ କୁହାଯାଇପାରିବ? ସେଥିରେ କିଏ ବା କାହିଁକି ପ୍ରେରଣା ପାଇବ ବା ନିଜକୁ ଉତ୍ସର୍ଗ କରିବାକୁ ଆଗେଇ ଆସିବ? ଯୁକ୍ତରାଷ୍ଟ୍ର ଆମେରିକା ସହିତ ପୃଥିବୀର ବିଭିନ୍ନ ଅଗ୍ରଣୀ ଦେଶର ଦେଶପ୍ରେମର ବହୁ ପ୍ରମାଣ ଶ୍ରୀ ରାଜନ ଓ ବାନାର୍ଜୀଙ୍କ ସମେତ ଅନେକ ଜାଣନ୍ତି। ସେମାନେ ଯେଉଁ ଆଠଟି କଥା ଉଲ୍ଲେଖ କରିଛନ୍ତି ତାହାର ସୁଫଳ ମିଳିପାରିବ କେବଳ ସମଗ୍ର ଦେଶରେ ନିଶାନିବାରଣ ହେଲେ । ନିଶା ନିବାରଣ ଦିଗରେ ସାହସିକ ପଦକ୍ଷେପ ନେବା ଫଳରେ ବିହାରର ଜନଜୀବନରେ ଏକ ନୂତନ ଯୁଗର ସୃଷ୍ଟି ହୋଇଛି। ସମଗ୍ର ଭାରତବର୍ଷ ସେହି ପଛୁଆ ରାଜ୍ୟଠାରୁ କିଛି ଶିଖୁ । ରାଜନ ଓ ମୁଖାର୍ଜୀଙ୍କ ଭଳି ପଣ୍ଡିତମାନେ ଏ ଦିଗରେ ସ୍ୱର ଉତ୍ତୋଳନ କରନ୍ତୁ ।

kalyan agarbati
Leave A Reply