www.samajalive.in
Monday, December 8, 2025
20.1 C
Bhubaneswar

ଓଡ଼ିଶାରେ ନିର୍ବାଚନ ପବନ

ଗୋଟିଏ ଦିନରେ ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମାବେଶ ରାଜ୍ୟରେ ନିର୍ବାଚନ ପବନ ଜୋର୍‌ରେ ବହିବା ଆରମ୍ଭ ହେବାର ସୂଚନା ଦେଇଛି। ଅବଶ୍ୟ ଏହି ଦୁଇଟି ସଭାରେ ବିଜେପି-ବିଜେଡି ପରସ୍ପରର ପ୍ରତିଦ୍ବନ୍ଦ୍ବୀ ଦଳ ହୋଇଥିଲେ ଏହି ଦୁଇ ନେତା ପରସ୍ପର ବିରୋଧରେ ସେଭଳି କିଛି କହିନଥିଲେ। ମିତଭାଷୀ ନବୀନଙ୍କ ପାଇଁ ଏହା ସ୍ବାଭାବିକ ହୋଇଥିଲେ ହେଁ ବାକ୍‌ପଟୁ ମୋଦୀ ବିଜେଡି ମୁଖିଆ ଓ ବିଜେଡି ସରକାର ବିରୋଧରେ କୌଣସି ବାକ୍ୟବାଣ ପ୍ରୟୋଗ ନକରିବା ବିଜେପି କର୍ମୀମାନଙ୍କୁ ନିରୁତ୍ସାହିତ କରିଥିବ ନିଶ୍ଚୟ। ଶ୍ରୀ ମୋଦୀ କୌଣସି ରାଜ୍ୟରେ ଶାସକ ଦଳ ବିରୋଧରେ ନକହିବା ଖୁବ୍ କମ୍ ଦେଖାଯାଏ। ଅନ୍ୟପକ୍ଷରେ ସେ କଂଗ୍ରେସକୁ ହିଁ ନିଜର ମୁଖ୍ୟ ନିଶାଣ କରିଥିଲେ, ଯେଉଁ ଦଳ ରାଜ୍ୟରେ ଏବେ ନିଜର ସ୍ଥିତି ବଞ୍ଚାଇବାକୁ ସଂଘର୍ଷରତ। ତେଣୁ ସ୍ବାଭାବିକ ଭାବେ ରାଜ୍ୟରେ ତାଙ୍କ ବକ୍ତୃତାର ବିଶେଷ ପ୍ରଭାବ ପଡ଼ିବାର ଆଶା କ୍ଷୀଣ। ତେବେ ଖୋର୍ଦ୍ଧା ପରେ ବାରିପଦା ଓ ଆଗକୁ ଅଳ୍ପଦିନ ଭିତରେ ବଲାଙ୍ଗିର, ପ୍ରଧାନମନ୍ତ୍ରୀଙ୍କ କ୍ରମାଗତ ଓଡ଼ିଶା ଗସ୍ତ କହିଦେଉଛି ଯେ ଏଠାରେ ପୂର୍ବୋଦୟ ହେଉ ନହେଉ, ବିଜେପିର ଉଦୟ ପାଇଁ ସେ ବେଶ୍ ଚେଷ୍ଟିତ। କେବଳ ସେ ନୁହନ୍ତି, ଓଡ଼ିଶାରେ ବିଜେପିର ମିଶନ ୧୨୦ର ସ୍ବପ୍ନ ଦେଖାଇଥିବା ବିଜେପି ମୁଖିଆ ଅମିତ ଶାହାଙ୍କ ଆଖି ମଧ୍ୟ ଓଡ଼ିଶା ଉପରେ ରହିଛି। ଏହାର ପ୍ରଭାବ ଓଡ଼ିଶାର ମତଦାତାଙ୍କ ଉପରେ କେତେ ପଡ଼ିବ, ତାହା ଏବେଠୁ ଆକଳନ କରିହେବ ନାହିଁ। କଂଗ୍ରେସ ଅବଶ୍ୟ ସବୁଥର ପରି ଏବେ ବି ଏ​‌ କ୍ଷେତ୍ରରେ ବିଜେପିଠାରୁ ପଛରେ ପଡ଼ିଛି ବୋଲି କୁହାଯାଇପାରେ।
ଅପରପକ୍ଷେ ବିଜେଡି ମୁଖିଆ ନବୀନ ଆଉ ଏକ ଗୋଟିଚାଳନା କରି ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି। ବାରିପଦା ସଭାରେ ନାଁ ନନେଇ ପ୍ରଧାନମନ୍ତ୍ରୀ ମୋଦୀ ପିପିଲି ବେବିନା ଗଣବଳାତ୍କାର ଓ ହତ୍ୟାକାଣ୍ଡ ମାମଲା ଉଠାଇଥିବାବେଳେ ନିକଟରେ ବିବାଦୀୟ ମନ୍ତବ୍ୟ ଦେଇ କୃଷିମନ୍ତ୍ରୀ ବିରୋଧୀ ବିଜେପି ଓ କଂଗ୍ରେସର ବିରୋଧର ସମ୍ମୁଖୀନ ହୋଇଥିଲେ। ରବିବାର ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। ଅତୀତରେ ଏହି ସମାନ ପ୍ରସଙ୍ଗରେ ସେ ଥରେ ଇସ୍ତଫା ଦେଇଥିଲେ। ସବୁଥର ପରି ଏଥରର ଇସ୍ତଫା ମଧ୍ୟ ନବୀନଙ୍କ ନିର୍ଦେଶରେ ହିଁ ହୋଇଥିବ, ତାହା ବୁଝିବା କଷ୍ଟକର ନୁହେଁ। ତାଙ୍କର ବିବାଦୀୟଙ୍କୁ ବହିଷ୍କାର ନୀତି ନୂଆ ନୁହେଁ ଏବଂ ଏହା ହିଁ ରାଜ୍ୟବାସୀଙ୍କ ସମ୍ମୁଖରେ ତାଙ୍କ ଉଜ୍ବଳ ଭାବମୂର୍ତ୍ତିର ଅନ୍ୟ ଏକ କାରଣ। ଏହା ସତ୍ୟ ଯେ ଜଣେ ଅତି ସମ୍ବେଦନଶୂନ୍ୟ ନହେଲେ ହିଁ ସେପରି କଥା କହିପାରେ, ଯାହା ମନ୍ତ୍ରୀ ଉପରୋକ୍ତ ପ୍ରସଙ୍ଗରେ ତାତ୍ସଲ୍ୟଭରା ସ୍ବରରେ କହିଥିଲେ। ତେଣୁ ଏପରି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପ୍ରଶ୍ନାତୀତ।
ନବୀନ କେବଳ ଏତିକିରେ ଅଟକିନାହାନ୍ତି। ପୁରୀରେ ମହିଳା ସଶକ୍ତୀକରଣ ପାଇଁ ଏକାଧିକ ଯୋଜନା ଘୋଷଣା କରିଥିବାବେଳେ ଚାଷୀଙ୍କ ସ୍ବାର୍ଥ ପାଇଁ ଲଢ଼ିବେ ବୋଲି ନିଜେ ବାହାରିଛନ୍ତି। ଆସନ୍ତା ୮ ତାରିଖରେ ଦିଲ୍ଲୀଠାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି ଦାବିରେ ହେଉଥିବା ବିଜେଡିର ପ୍ରତିବାଦ ସଭାରେ ସେ ବସିବେ ବୋଲି ସ୍ଥିର କରିଛନ୍ତି। ଏହା ପଛରେ ରାଜନୀତି ଥିଲେ ବି ଏହାକୁ ତାଙ୍କର ବିଜେପି କି ମୋଦୀବିରୋଧୀ ପଦକ୍ଷେପ ବୋଲି କୁହାଯାଇନପାରେ। ଏହାର କି ପ୍ରଭାବ ପଡ଼ୁଛି, ତାହା ଆଗକୁ ଜଣାପଡ଼ିବ। ତେବେ ନିର୍ବାଚନ ସମୟ ଉପଗତ ହେଲେ ହିଁ କାହିଁକି ଚାଷୀମୂଲିଆ, ଗରିବ, ମହିଳା ବା ଅବହେଳିତଙ୍କ ବିକାଶ କଥା ଆମ ନେତୃବର୍ଗଙ୍କ ମନକୁ ଆସେ?

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories