କଟକ : ସରଳ ଲୋକଙ୍କୁ ଠକିବାକୁ ଦଲାଲମାନେ ନୂଆ ଉପାୟ ବାହାର କରିଛନ୍ତି । ଗରିବଙ୍କୁ ସହାୟତା ଆଳରେ ଫୋନ୍ କରି ନିଜକୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପରିଚୟ ଦେଇ ଲୁଟୁଛନ୍ତି ଠକ । ସାଧାରଣ ଜନତାଙ୍କ ଚିକିତ୍ସା ଓ ଅନ୍ୟାନ୍ୟ ସହାୟତା ଆଳରେ ରାକେଟ୍ ସଦସ୍ୟମାନେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କୁ ଫୋନ୍ କରି ଅର୍ଥ ଆଦାୟ କରୁଛନ୍ତି। ‘ସମାଜ’ ସମ୍ପାଦକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ନାମରେ ଏଭଳି ଅର୍ଥ ଆଦାୟ ଅଭିଯୋଗ ନେଇ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦାୟର ହୋଇଛି। ନୟାଗଡ଼ ଜିଲାର ପୂର୍ବତନ ଜିଲାପାଳ ସରୋଜକାନ୍ତ ଚୌଧୁରୀଙ୍କଠାରୁ ଏହି ଦଲାଲମାନେ ଟଙ୍କା ଚଳୁ କରିଦେଇଥିବା ଜଣାପଡ଼ିଛି। ସେହିପରି ବଳରାମ କର ନାମକ ଜନୈକ ବ୍ୟକ୍ତିଙ୍କୁ ମଧ୍ୟ ଦଲାଲମାନେ ଫୋନ୍ କରି ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏହି ଦଲାଲମାନେ କେତେବେଳେ ‘ସମାଜ’ର କର୍ମଚାରୀ, ସାମ୍ବାଦିକ, ସହ ସମ୍ପାଦକ ତ କେବେ ଏହାର ସମ୍ପାଦକ ଡ. ଆଚାର୍ଯ୍ୟଙ୍କ ନାମରେ ଅର୍ଥ ମାଗୁଛନ୍ତି ଓ ଏଭଳି ଘଟଣା ପ୍ରତିଦିନ ବଢ଼ିଚାଲିଛି। ‘ସମାଜ’ର ଗତ ବୁଧବାର ସଂସ୍କରଣରେ ‘ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମରେ ଟଙ୍କା ଆଦାୟ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଅଭିଯୋଗ ତାଲିକା ଲମ୍ବିବାରେ ଲାଗିଛି। କେବଳ ‘ସମାଜ’ ନୁହେଁ, ନିଜକୁ ନାଲକୋ ଏବଂ ଅନ୍ୟାନ୍ୟ ସଂସ୍ଥାର ବରିଷ୍ଠ ଅଧିକାରୀ ଭାବେ ନିଜକୁ ପରିଚୟ ଦେଇ ମଧ୍ୟ ଲୁଟିବାକୁ ଉଦ୍ୟମ କରାଯାଇଥିବା କଥା ସାମ୍ନାକୁ ଆସୁଛି ।
ଅଭିଯୋଗ ଅନୁଯାୟୀ, ସରୋଜକାନ୍ତ ଚୌଧୁରୀଙ୍କ ନିକଟରୁ କିଛି ନିର୍ଦ୍ଧିଷ୍ଟ ଠକ ‘ସମାଜ’ ନାମରେ ଟଙ୍କା ଠକେଇ କରିଛନ୍ତି। ଜଣେ ବ୍ୟକ୍ତିଙ୍କ ବୃକ୍କ ପ୍ରତିରୋପଣ ପାଇଁ ସହାୟତା ଆଳରେ ଦଲାଲ୍ମାନେ ଟଙ୍କା ଠକି ନେଇଥିବା ପୂର୍ବତନ ଜିଲାପାଳ ଶ୍ରୀ ଚୌଧୁରୀ ମର୍କତ ନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି। ସେହିଭଳି ବଳରାମ କରଙ୍କୁ ଗୁରୁବାର ସମ୍ପୃକ୍ତ ଦଲାଲଙ୍କ ମଧ୍ୟରୁ ଜଣେ ଫୋନ୍ ଯୋଗେ ନିଜକୁ ‘ସମାଜ’ କର୍ମଚାରୀ ଦର୍ଶାଇ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ ଯେ ଜୁନ୍ ୨୩ରେ ‘ସମାଜ’ର ଜଣେ କର୍ମଚାରୀଙ୍କ ନାମ ନେଇ ପୂର୍ବତନ ଜିଲାପାଳଙ୍କୁ ଟଙ୍କା ମଗାଯାଇଥିଲା। ସେ ଦେବାକୁ ଥିବା ଟଙ୍କା ‘ସମାଜ ରିଲିଫ କମିଟି’ ପକ୍ଷରୁ ରାଜ୍ୟର ଜଣେ ଦୁଃସ୍ଥ ଓ ଗରିବ ରୋଗୀଙ୍କୁ ଦିଆଯିବ ବୋଲି କହିଥିଲେ। ଏଥିନେଇ ଚୌଧୁରୀଙ୍କର ସନ୍ଦେହ ହେବାରୁ ସେ ‘ସମାଜ’ ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ସହ କଥା ହେବାକୁ କହିବାରୁ ଦଲାଲ୍ ତାଙ୍କୁ ଅନ୍ୟ ଏକ ଫୋନ୍ ନମ୍ବର ଦେଇଥିଲା। ଏହି ନମ୍ବରରେ ପୂର୍ବତନ ଜିଲାପାଳ ଯୋଗାଯୋଗ କରିବାରୁ ଠକ ଜଣଙ୍କ ନିଜକୁ ‘ସମାଜ’ ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ ବୋଲି ପରିଚୟ ଦେଇଥିଲେ। ଏମିତି କି ଟଙ୍କା କେଉଁଠାରେ ପୈଠ କରିବେ ତାହା ମଧ୍ୟ ବତାଇଥିଲେ। ଠକ ଏକ ଅଜଣା ଫୋନ୍ ନମ୍ବର ଦେଇ ଏହା ‘ସମାଜ ରିଲିଫ କମିଟି’ର ବୋଲି ଦର୍ଶାଇଥିଲେ। ଆହୁରି ମଧ୍ୟ ଏହି ଅର୍ଥ ଦାନ ସମ୍ପର୍କରେ ‘ସମାଜ’ରେ ବିଜ୍ଞାପନ ପ୍ରକାଶ ପାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଶ୍ବାସରେ ଚୌଧୁରୀ ୫ହଜାର ଟଙ୍କା ଜମା କରିଥିଲେ। ପରବର୍ତ୍ତୀ ସମୟରେ ବିଜ୍ଞାପନ ପ୍ରକାଶ ପାଇନଥିଲା କି ଠକମାନେ ଆଉ ଶ୍ରୀ ଚୌଧୁରୀଙ୍କ ଫୋନ୍ ଉଠାଇନଥିଲେ। ଥରେ ଅଧେ ଫୋନ୍ ଲାଗିବାରୁ ଭୁଲ୍ ହୋଇଯାଇଛି, ପରେ ଆପଣଙ୍କ ବିଷୟରେ ପ୍ରକାଶ ପାଇବ ବୋଲି ଭୂଆଁ ବୁଲାଇଥିଲେ। ‘ସମାଜ’ରେ ଏଭଳି ଠକେଇ ସମ୍ପର୍କରେ ଖବର ପ୍ରକାଶ ପରେ ଚୌଧୁରୀ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ସେ ‘ସମାଜ’ ସମ୍ପାଦକଙ୍କୁ ଜଣାଇବା ସହ ପୁଲିସର ସହଯୋଗ ଲୋଡ଼ିଛନ୍ତି।



