ଡେସ୍କ: ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦୀ ଏବଂ ନୂତନ କେନ୍ଦ୍ର ମନ୍ତ୍ରୀ ପରିଷଦକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ରାଷ୍ଟ୍ରପତି ନୂଆ ସରକାର ଗଠନ ପାଇଁ ମନୋନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ। ଆଜି ସନ୍ଧ୍ୟା ୭ଟା ୧୫ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।
ଶପଥ ଗ୍ରହଣ ସମାରୋହ ପୂର୍ବରୁ ମୋଦି ଆଜି ନୂଆଦିଲ୍ଲୀର ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଶୁକ୍ରବାର ମୋଦି ରାଷ୍ଟ୍ରପତିଙ୍କୁ ଭେଟି ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ଏନଡିଏର ଏକ ପ୍ରତିନିଧି ଦଳ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟି ଏକ ଚିଠି ପ୍ରଦାନ କରିଥିଲେ ଯେ ନରେନ୍ଦ୍ର ମୋଦୀ ବିଜେପି ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଏନଡିଏର ସହଯୋଗୀ ଦଳଗୁଡ଼ିକର ସମର୍ଥନ ପତ୍ର ମଧ୍ୟ ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରାଯାଇଥିଲା।
କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ପଡ଼ୋଶୀ ଦେଶରୁ ଅନେକ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ସମାରୋହରେ ଭାରତର ପଡ଼ୋଶୀ ଏବଂ ଭାରତ ମହାସାଗର ଅଞ୍ଚଳର ନେତାମାନେ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ, ମାଳଦ୍ୱୀପର ରାଷ୍ଟ୍ରପତି ଡ. ମହମ୍ମଦ ମୁଇଜୁ, ସେସେଲ୍ସର ଉପରାଷ୍ଟ୍ରପତି ଅହମ୍ମଦ ଆଫିଫ, ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ, ନେପାଳପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ଏବଂ ଭୁଟାନର ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବ୍ଗେ ଯୋଗଦେବେ।
ଏହି ସମାରୋହ ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଏବଂ ସେସେଲ୍ସର ଉପରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚି ସାରିଛନ୍ତି। କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଏହି ନେତାଙ୍କ ଗସ୍ତ ଅଞ୍ଚଳ-ସାଗର ଦୃଷ୍ଟିକୋଣରେ ଭାରତର ‘ପଡ଼ୋଶୀ ପ୍ରଥମ’ ନୀତି ଏବଂ ସମସ୍ତଙ୍କ ପାଇଁ ସୁରକ୍ଷା ଏବଂ ଅଭିବୃଦ୍ଧିକୁ ସର୍ବାଧିକ ପ୍ରାଥମିକତା ଦେଇଛି।
ଶପଥ ଗ୍ରହଣ ସମାରୋହରେ ଯୋଗଦେବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ରାଷ୍ଟ୍ରପତି ଭବନରେ ଆୟୋଜିତ ଭୋଜିରେ ମଧ୍ୟ ଯୋଗ ଦେବେ ଏହି ନେତା। ଏହି କାର୍ଯ୍ୟକ୍ରମ ସମୟରେ ସୁରକ୍ଷା କୁ ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀ ପୋଲିସ କଡା ପଦକ୍ଷେପ ନେଇଛି। ଶପଥ ଗ୍ରହଣ ସମାରୋହ ରେ ଦିଲ୍ଲୀ ଉପରେ ପାରାଗ୍ଲାଇଡର, ପାରାମୋଟର, ହ୍ୟାଙ୍ଗ ଗ୍ଲାଇଡର, ମାନବ ବିହୀନ ବିମାନ ଯାନ (ୟୁଏଭି) ଏବଂ ହଟ୍ ଏୟାର ବେଲୁନ୍ ସମେତ ଅଣପାରମ୍ପରିକ ଆକାଶମାର୍ଗରୁ ଉଡ଼ାଣ ଉପରେ ଦିଲ୍ଲୀ ପୁଲିସ ପ୍ରତିବନ୍ଧକ ଲଗାଇଛି। ଚଳିତ ମାସ ୯ ଓ ୧୦ ତାରିଖରେ ଏହି କଟକଣା ବଳବତ୍ତର ରହିବ।



