www.samajalive.in
Saturday, December 6, 2025
16.1 C
Bhubaneswar

ରାସ୍ତାରେ ଗଡୁଛି ୭୪୪୨ ଖତରା ଗାଡ଼ି, ପରିବହନ ମନ୍ତ୍ରଣାଳୟର ଖୋଳତାଡ଼

ଭୁବନେଶ୍ୱର: ପ୍ରଦୂଷଣ ମାତ୍ରା ହ୍ରାସ ଓ ସରକାରୀ କାର୍ଯ୍ୟାଳୟରେ ବୈଦ୍ୟୁତିକ ଯାନ(ଇଭି)ର ବହୁଳ ବ୍ୟବହାର ଲାଗି ସରକାରଙ୍କ ପକ୍ଷରୁ ସ୍କ୍ରାପ୍ ନୀତି ପ୍ରଣୟନ ହେଲା। ରାଜ୍ୟ ପରିବହନ ବିଭାଗର ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ୨୦୨୩ ଡିସେମ୍ବର ୫ରେ ମୋହର ମାରିଲା। ହେଲେ ରାଜଧାନୀ ସମେତ ରାଜ୍ୟସାରା ଖତରା ଓ ଭଙ୍ଗା ସରକାରୀ ଗାଡ଼ି ବୁଲୁଛି। ପରିବେଶ ପ୍ରଦୂଷଣ ସହିତ ସରକାର ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି, ହେଲେ ବିଭାଗୀୟ ଅଧିକାରୀମାନେ ପୁରୁଣା ଗାଡ଼ିର ମୋହ ତୁଟାଇ ପାରୁ ନାହାନ୍ତି।

୬ମାସରୁ ଊର୍ଦ୍ଧ୍ବ ସମୟ ଧରି ପରିବହନ ବିଭାଗ ପକ୍ଷରୁ ୭୪୪୨ ଗାଡ଼ିକୁ ସ୍କ୍ରାପ୍ ଘୋଷଣା କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲେ ହେଁ ତାହା କେବଳ ନଥିରେ ବନ୍ଧା ରହିଛି ବୋଲି ଅଭିଯୋଗ ହୋଇଛି। କିଛି ଅସାଧୁ କର୍ମଚାରୀ ଓ ଚାଳକଙ୍କ ସଲାସୁତୁରା ଯୋଗୁଁ ସରକାରଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରୁନାହିଁ। ଦେଶରେ ୮ଟି ରାଜ୍ୟ ଗାଡ଼ି ସ୍କ୍ରାପ୍ ନୀତି ଆପଣାଇଛନ୍ତି। ଓଡ଼ିଶା ସେଥିରେ ଅନ୍ୟତମ। ଏବାବଦକୁ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ୨୦୦ କୋଟି ଟଙ୍କାର ସହାୟତା ମଧ୍ୟ ମିଳିଛି। ମନ୍ତ୍ରଣାଳୟର ପରାମର୍ଶକ୍ରମେ ପରିବହନ ବିଭାଗ ୧୫ ବର୍ଷରୁ ଊର୍ଦ୍ଧ୍ବ ଗାଡ଼ିକୁ ସ୍କ୍ରାପ୍ ଘୋଷଣା କରିବା ସହିତ ତଥ୍ୟ ପ୍ରଦାନ କରିବାକୁ ବିଭିନ୍ନ ବିଭାଗକୁ ପତ୍ର ଲେଖିଛି।

- Advertisement -

ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଚଳିତ ମାସ ୩ରେ ସବୁ ବିଭାଗକୁ ପତ୍ର ଲେଖି ଅବଗତ କରାଇଛନ୍ତି ଯେ, ୧୫ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ସରକାରୀ ଗାଡ଼ି ସ୍କ୍ରାପ୍ ଘୋଷଣା ହେବାକୁ ନିଷ୍ପତ୍ତି ହୋଇଛି। ଏନେଇ ଅର୍ଥ ବିଭାଗ ପକ୍ଷରୁ ୨୦୨୩ ଜାନୁଆରୀ ୩୦ ଏବଂ ପରିବହନ ବିଭାଗ ପକ୍ଷରୁ ଫେବୃଆରୀ ୩ରେ ପୃଥକ ନିର୍ଦେଶନାମା ଜାରି ହୋଇଛି। ସରକାରଙ୍କ ‘ବାହାନ’ ପୋର୍ଟାଲ ତଥ୍ୟ କହୁଛି ଯେ, ରାଜ୍ୟରେ ୭୪୪୨ଟି ଗାଡ଼ି ୧୫ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ରହିଛି। ଏହି ସମସ୍ତ ଗାଡ଼ିଗୁଡ଼ିକ ସ୍କ୍ରାପ୍ ଘୋଷଣା ହେବା କଥା। ହେଲେ ଏପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀମାନେ ଏହି ନୀତିକୁ ଠିକଣା ଭାବେ କାର୍ଯ୍ୟକାରୀ କରୁ ନାହାନ୍ତି।

ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଏକ୍ଷେତ୍ରରେ ଏକ ନମୁନା ରାଜ୍ୟ ଭାବେ ପରିଗଣିତ ହୋଇଥିବାରୁ ୨୦୦କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ପାଇଛି। ମନ୍ତ୍ରଣାଳୟ ପକ୍ଷରୁ ଏହି ନୀତି କେତେଦୂର ରାଜ୍ୟରେ କାର୍ଯ୍ୟକାରୀ ହେଲା ଏବଂ କେତେ ଗାଡ଼ି ସ୍କ୍ରାପ୍ ହେଲା ତା’ର ତଥ୍ୟ ବାରମ୍ବାର ଲୋଡ଼ାଯାଉଛି। ମାତ୍ର ବିଭାଗୀୟ ଅଧିକାରୀମାନେ ତଥ୍ୟ ଦେଉ ନଥିବାରୁ ମନ୍ତ୍ରଣାଳୟକୁ ଜବାବ ପ୍ରଦାନ କରାଯାଇପାରୁନାହିଁ। ମାର୍ଚ୍ଚ ୩୧ ସୁଦ୍ଧା ଯେଉଁସବୁ ଗାଡ଼ିକୁ ୧୫ବର୍ଷ ପୂରଣ ହେଉଛି ତୁରନ୍ତ ତା’ର ତଥ୍ୟ ବିଭାଗକୁ ପ୍ରଦାନ କରିବାକୁ ଶ୍ରୀମତୀ ପାଢ଼ୀ ପତ୍ରରେ ସବୁ ବିଭାଗୀୟ ମୁଖ୍ୟଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଅର୍ଥବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ସ୍କ୍ରାପ୍ ଗାଡ଼ିର ଯୁଗ ଶେଷ କରିବା ଏବଂ ବୈଦ୍ୟୁତିକ ଯାନର ବ୍ୟବହାର ନେଇ ଜାରି କରିଥିବା ମାର୍ଗଦର୍ଶିକାରେ ରାଜ୍ୟର ସରକାରୀ କର୍ମଚାରୀଙ୍କ ବୈଦ୍ୟୁତିକ ଯାନ କ୍ରୟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ। ୨୦୨୫ ଡିସେମ୍ବର ୩୧ ତାରିଖ ମଧ୍ୟରେ ଯେଉଁମାନେ ଗାଡ଼ି କିଣିବେ ତାଙ୍କୁ ସ୍ବତନ୍ତ୍ର ରିଆତି ଓ ଅଗ୍ରିମ ଯୋଗାଇ ଦିଆଯିବ ବୋଲି କହିଥିଲେ। ଇଲେକ୍ଟ୍ରିକ୍ ଅପରେଟେଡ୍ କାର କ୍ରୟ ପାଇଁ ଗ୍ରୁପ୍-କ’ ଏବଂ ଗ୍ରୁପ୍-ଖ’ ବର୍ଗକୁ ସୁଧମୁକ୍ତ ଅଗ୍ରିମ ପ୍ରଦାନ କରାଯିବ ।

ଅଗ୍ରିମ ପରିମାଣ ବୈଦ୍ୟୁତିକ ଯାନ (ଏକ୍ସ-ଶୋ’ରୁମ୍) ମୂଲ୍ୟର ୭୫ପ୍ରତିଶତ ମଧ୍ୟରେ ସୀମିତ ରହିବ , ଯାହା ସର୍ବାଧିକ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବ । ଦୁଇ ଚକିଆ ‘ଇଭି’ କ୍ରୟ ପାଇଁ ସୁଧମୁକ୍ତ ଅଗ୍ରିମ ଗ୍ରୁପ୍-ଗ’ ଏବଂ ଗ୍ରୁପ୍-ଘ’ ସରକାରୀ କର୍ମଚାରୀ ଏବଂ ତଦୁର୍ଦ୍ଧ୍ୱ ବର୍ଗଙ୍କ ପାଇଁ ଉପଲବ୍ଧ ହେବ । ଅଗ୍ରିମ ପରିମାଣ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକ୍ସ-ଶୋ’ରୁମ୍ ମୂଲ୍ୟର ୭୫ପ୍ରତିଶତ ମଧ୍ୟରେ ସୀମିତ ରହିବ । ପରବର୍ତ୍ତୀ ମାସରୁ କ୍ରମାଗତ ୧୦୦ କିସ୍ତିରେ ଅଗ୍ରିମ ପରିମାଣ ଅର୍ଥ ଫେରସ୍ତ ନିଆଯିବାକୁ ରହିଛି।

ଅବସର ତାରିଖର ୧ ବର୍ଷ ପୂର୍ବରୁ ଅଗ୍ରିମ ଫେରାଇବା ପ୍ରକ୍ରିୟା ଶେଷ ହେବ । ଯଦି କୌଣସି ସରକାରୀ କର୍ମଚାରୀ ସମ୍ପୂର୍ଣ୍ଣ ପରିମାଣର ଋଣ ପରିଶୋଧ ନକରି ଅବସର ଗ୍ରହଣ କରନ୍ତି କିମ୍ବା ତାଙ୍କର ମୃତ୍ୟୁ ଘଟେ, ଅବଶିଷ୍ଟ ଅର୍ଥ ସେମାନଙ୍କ ବକେୟା ବେତନ ବିଲ ଓ ପେନସନରୁ ଫେରସ୍ତ ହେବ। ଯଦି ସେ ସରକାରୀ ସେବାରୁ ଇସ୍ତଫା ଦିଅନ୍ତି ତେବେ ‘ଓପିଡିଆର’ ଅଧିନିୟମ ଅନୁଯାୟୀ ଋଣ ଅର୍ଥ ଆଦାୟ କରାଯିବ ବୋଲି ଦର୍ଶାଯାଇଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories