www.samajalive.in
Sunday, December 7, 2025
16.1 C
Bhubaneswar

ଆଉ ୪ ଦିନ ଅସମ୍ଭାଳ ତାତି

ଭୁବନେଶ୍ବର : ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆଗକୁ ଆହୁରି ବଢ଼ିବ ତାପମାତ୍ରା ଏବଂ ଭୟଙ୍କର ରୂପ ଧାରଣ କରିବ ଗ୍ରୀଷ୍ମପ୍ରବାହ। ଉପକୂଳ, ଆଭ୍ୟନ୍ତରୀଣ, ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର ଅନେକ ଅଞ୍ଚଳରେ ତାପମାତ୍ରା ୪୫ରୁ ୪୬ଡିଗ୍ରୀ ଅତିକ୍ରମ କରିବ। ଦିନରେ ଗ୍ରୀଷ୍ମପ୍ରବାହ ଏବଂ ରାତିରେ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ। ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଏଥିପାଇଁ କେତେକ ଜିଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବୃଦ୍ଧି ସହ ପରବର୍ତ୍ତୀ ସମୟରେ ଏଥିରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ଆଗାମୀ ୫ ଦିନ ସ୍ୱାଭାବିକ ଠାରୁ ୩ରୁ ୬ ଡିଗ୍ରୀ ଅଧିକ ରହିବ। ଭୀଷଣ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଲାଗି ରହିବ। ଶୁକ୍ର ଓ ଶନିବାର ସର୍ବାଧିକ ତାପମାତ୍ରା ୪୫ ରୁ ୪୬ଡିଗ୍ରୀ ଅତିକ୍ରମ କରିବ ସମ୍ଭାବନା ରହିଛି। ମେ’ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ତାତି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ମେ’ ୩ରୁ ୯ତାରିଖ ମଧ୍ୟ୍ୟରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବା ସହ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହ ଲାଗି ରହିବ। ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ପାରଦ ୪୨ ରୁ ୪୪ଡିଗ୍ରୀ ମଧ୍ୟରେ ରହିବ। ଗୁରୁବାର ରାଜ୍ୟର ସବୁଠୁ ଅଧିକ ତାପମାତ୍ରା ୪୩.୮ ଡିଗ୍ରୀ ଝାରସୁଗୁଡ଼ାରେ ରେକର୍ଡ଼ ହୋଇଥିଲା । କେନ୍ଦ୍ରାପଡା, ନୂଆପଡା, ବୌଦ୍ଧ, ବଲାଙ୍ଗୀର, ତାଳଚେର, ବାରିପଦା ଏବଂ କଟକରେ ପାରଦ ୪୩ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ଝାଞ୍ଜିପବନ ଯୋଗୁଁ ଲୋକେ ଘରୁ ପଦାକୁ ବାହାରି ପାରିନାହାନ୍ତି। ୩୩ ସହରରେ ପାରଦ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ଏଥିମଧ୍ୟରୁ ୨୨ଟି ସ୍ଥାନରେ ପାରଦ ୪୨ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଛି। ଗୁରୁବାର ସର୍ବାଧିକ ତାପମାତ୍ରାରେ ଭୁବନେଶ୍ବର ସହରକୁ ଟପିଛି କଟକ। ରାଜଧାନୀରେ ଦିନ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ୪୩ ଡିଗ୍ରୀ ଛୁଇଁଛି। ଦେବଗଡ, କୋରାପୁଟ, ଦାରିଙ୍ଗବାଡି, ପୁରୀ, ଗୋପାଳପୁର ଏବଂ ପାରାଦ୍ବୀପ ସହରକୁ ଛାଡିଦେଲେ ଅନ୍ୟ ସବୁଠି ପାରଦ ୪୦ ଡିଗ୍ରୀ ଉପରେ ରହିଛି। ଶୁକ୍ରବାର ମୟୂରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, ଝାରସୁଗୁଡ଼ା, ଗଞ୍ଜାମ, ଗଜପତି, କଳାହାଣ୍ଡି, ବଲାଙ୍ଗିର ଏବଂ ନୂଆପଡ଼ା ଜିଲାରେ ଭୟଙ୍କର ଗ୍ରୀଷ୍ମପ୍ରବାହ ହେବା ସମ୍ଭାବନା ରହିଛି। ସେଥିପାଇଁ ଉକ୍ତ ଜିଲାଗୁଡିକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ସୁବର୍ଣ୍ଣପୁର, ବୌଦ୍ଧ, ବରଗଡ଼, ସମ୍ୱଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ କେନ୍ଦୁଝରରେ ଗ୍ରୀଷ୍ମପ୍ରବାହ ହେବାର ସମ୍ଭାବନା ରହିଛି। ସେଥିପାଇଁ ଉପରୋକ୍ତ ଜିଲାଗୁଡିକୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ସତର୍କ ରହିବାକୁ ଏସଆରସି ସତ୍ୟବ୍ରତ ସାହୁ ଜନସାଧାରଣ ଏବଂ ଜିଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories