www.samajalive.in
Wednesday, December 10, 2025
26.1 C
Bhubaneswar

ଅପ୍ରେଲ ଶେଷ ପର୍ଯ୍ୟନ୍ତ ବୌଦ୍ଧକୁ ଗଡିବ ରେଳ ଇଞ୍ଜିନ

ବୌଦ୍ଧ : ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗିର ରେଳପଥ କାର୍ଯ୍ୟ ବୌଦ୍ଧ ଜିଲାରେ ଦ୍ରୁତ ଗତିରେ ଚାଲିଛି। ବଲାଙ୍ଗିର ପଟରୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିବାବେଳେ ତେଲନଦୀ ଉପର ଦେଇ ପ୍ରଥମେ ବୌଦ୍ଧଜିଲାର ମନମୁଣ୍ଡା ପୁରୁଣାପାଣି ଷ୍ଟେସନ ଓ ଦ୍ବିତୀୟ ପର୍ଯ୍ୟାୟରେ ଜୁରାମୁଣ୍ଡା ପର୍ଯ୍ୟନ୍ତ ରେଳ ଇଞ୍ଜିନ ଗଡାଇ ପରୀକ୍ଷଣ ହୋଇସାରିଛି। ଜୁରାମୁଣ୍ଡାଠାରୁ ବୌଦ୍ଧ ପର୍ଯ୍ୟନ୍ତ ରେଳପଥ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବାବେଳେ ଅପ୍ରେଲ ଶେଷ ପର୍ଯ୍ୟନ୍ତ ବୌଦ୍ଧ ମୁଖ୍ୟ ଷ୍ଟେସନ ପର୍ଯ୍ୟନ୍ତ ରେଳ ଇଞ୍ଜିନ ଗଡାଇବା ଲକ୍ଷ୍ୟ ଥିବା ଜଣାଯାଇଛି।

ସୂଚନା ମୁତାବକ ଜୁରାମୁଣ୍ଡାରୁ ବୌଦ୍ଧ ମଧ୍ୟରେ ସାଲୁଙ୍କୀ ନଦୀ ପଡୁଥିବାବେଳେ ଏହି ନଦୀ ଉପରେ ରେଳ ବ୍ରିଜ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଚାଲିଥିବା ଜଣାଯାଇଛି। ବୌଦ୍ଧ ମୁଖ୍ୟ ଷ୍ଟେସନଠାରେ ରେଳଧାରଣା ବିଛା ସରିଥିବାବେଳେ ଦୁଇଗୋଟି ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପରେ ବୌଦ୍ଧ ଷ୍ଟେସନ ସବୁଠାରୁ ବଡ ରେଳ ଷ୍ଟେସନ ଓ ଭବିଷ୍ୟତରେ ରେଳ ଜଙ୍କସନ ହେବାକୁ ଯାଉଥିବାବେଳେ ତାହାକୁ ଲକ୍ଷ ରଖି ଏଠାରେ ଭିତିଭୂମି ନିର୍ମାଣ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲୁଅଛି।

- Advertisement -

ବୌଦ୍ଧ ମୁଖ୍ୟ ଷ୍ଟେସନରେ ୮ ଗୋଟି ଟ୍ରାକ ବିଛା ଯାଉଥିବାବେଳେ ୬ ଗୋଟି ପ୍ଲାଟଫର୍ମ ନିର୍ମାଣ ହେବ ବୋଲି ଜଣାଯାଇଛି। ଫଳରେ ଷ୍ଟେସନରେ ଏକ ସଙ୍ଗରେ ୮ ଗୋଟି ଟ୍ରେନକୁ ରଖାଯାଇପାରିବ। ସୂଚନା ମୁତାବକ ବୌଦ୍ଧଠାରେ ଏହି ମୁଖ୍ୟ ଷ୍ଟେସନ ନିର୍ମାଣ ପାଇଁ ରେଳ ବିଭାଗ ୪୫୦ ଏକର ଜମି ଅଧିଗ୍ରହଣ କରିଥିବାବେଳେ ଷ୍ଟେସନ ନିକଟରେ ୪୦ ଗୋଟି ଷ୍ଟାଫ କ୍ୱାର୍ଟର,ଅଧିକାରୀମାନଙ୍କ ପାଇଁ ସ୍ୱତନ୍ତ୍ର ବଙ୍ଗଳା, ୨୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ, ଯାନବାହାନ ପାର୍କିଂ,ଯାତ୍ରୀ ବିଶ୍ରାମାଗାର, ସ୍ୱତନ୍ତ୍ର ପାର୍ଶଲ ଗୋଦାମ ଆଦି ନିର୍ମାଣ କରାଯିବ ବୋଲି ଜଣାପଡିଛି।

ଆହୁରି ଅନେକ କାରଣରୁ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପରେ ବୌଦ୍ଧଜିଲାର ସ୍ୱାତନ୍ତ୍ର୍ୟତା ରହିଛି। ମୁଖ୍ୟ ଷ୍ଟେସନ ନିକଟରେ ଏକ ବିରାଟ ଜଳାଶୟ (ବାଘପାଲି ସାଗର) ରହିଥିବାବେଳେ ପରବର୍ତ୍ତି ସମୟରେ ଏହାକୁ ଯାତ୍ରୀମାନଙ୍କ ପାଇଁ ବିକଶିତ କରାଯିବାକୁ ରେଳ ବିଭାଗ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି। ଏହି ଜଳାଶୟରେ ଟ୍ରେନକୁ ଅପେକ୍ଷାରତ ଯାତ୍ରୀମାନଙ୍କ ପାଇଁ ସମୟ କାଟିବାକୁ ବୋଟିଂ ବ୍ୟବସ୍ଥା ସହିତ ଆହୁରି ଅନେକ ସୁବିଧା ସୁଯୋଗ ସୃଷ୍ଟି କରାଯିବାର ଲକ୍ଷ ରହିଥିବା ଜଣାଯାଇଛି।

ଏହା ବ୍ୟତୀତ ଏହି ରେଳ ପ୍ରକଳ୍ପରେ ବୌଦ୍ଧଜିଲାରେ ରାଜ୍ୟର ସର୍ବବୃହତ୍ତ ରେଳ ସୁଡଙ୍ଗ ନିର୍ମାଣ ହେବାକୁ ଯାଉଅଛି। ହରଭଙ୍ଗା ବ୍ଲକର ଆଡେଣୀଗଡଠାରୁ କୋରଡାକୋଠା ପର୍ଯ୍ୟନ୍ତ ନିର୍ମାଣାଧିନ ଏହି ସୁଡଙ୍ଗ ର ଲମ୍ବ ୪ କିଲୋମିଟର ୧୮୫ମିଟର ହେବ ବୋଲି ଜଣାପଡିଛି। ଏହି ରେଳପ୍ରକଳ୍ପରେ ୭ ଟି ସୁଡଙ୍ଗ ନିର୍ମାଣ ହେବାକୁଥିବାବେଳେ କେବଳ ବୌଦ୍ଧଜିଲାରେ ୪ ଟି ସୁଡଙ୍ଗ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଅନ୍ୟ ତିନିଗୋଟି ସୁଡଙ୍ଗ ୩୧୭ ମିଟର,୩୧୫ ମିଟର ଓ ୯୭୫ ମିଟର ଲମ୍ବ ହେବ ବୋଲି ଜଣାପଡିଛି। ଭାରି ମେସିନ ଦ୍ୱାରା ସମସ୍ତ ସତର୍କତା ଅବଲମ୍ବନ କରାଯାଇ ପ୍ରତିଦିନ ପ୍ରାୟ ୫ ରୁ ୬ ମିଟର ଟନେଲ ଖୋଳାଯାଉଥିବାବେଳେ ସର୍ବବୃହତ ସୁଡଙ୍ଗଟି ପ୍ରାୟ ୧ କିଲୋମିଟର ଖୋଳାକାର୍ଯ୍ୟ ସମାପ୍ତ ହୋଇଥିବା ଜଣାଯାଇଛି।

ଏହାବ୍ୟତୀତ ସଂରକ୍ଷିତ ଜଙ୍ଗଲ ମଧ୍ୟ ଦେଇ ରେଳପଥ ନିର୍ମାଣ କରାଯାଉଥିବାରୁ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଅଛି। ଜଙ୍ଗଲ ମଧ୍ୟରେ ବନ୍ୟଜନ୍ତୁମାନଙ୍କ ଚଲାପଥ ନିର୍ମାଣ କରାଯିବ ବୋଲି ଜଣାପଡିଛି। କେବଳ ବୌଦ୍ଧ ଜିଲାରେ ତିନୋଟି ସ୍ଥାନରେ ଏହି ରେଳପଥ ଜାତୀୟ ରାଜପଥକୁ ଅତିକ୍ରମ କରିବ ବୋଲି ଜଣାପଡିଛି। ତେବେ ସଂପୃକ୍ତ ସ୍ଥାନମାନଙ୍କରେ ଓଭର ବ୍ରିଜ ନିର୍ମାଣ କରାଯାଉଅଛି। ୨୦୨୬ ପର୍ଯ୍ୟନ୍ତ ଏହି ରେଳପଥ ଦେଇ ସ୍ୱାଭାବିକ ଯାତ୍ରୀସେବା ଆରମ୍ଭ କରାଯିବା ଲକ୍ଷ ରହିଥିବା ଜଣାଯାଇଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories