ଘଣ୍ଟା, କୋଚ୍ ସହିତ ପ୍ରଥମ ଭୋଟ୍ ବାକ୍ସ ତିଆରି କରିଥିଲା ଏହି କମ୍ପାନୀ; କିନ୍ତୁ ଏପରି ହୋଇଗଲା ବର୍ବାଦ
ସମାଜ ଡିଜିଟାଲ ଡେସ୍କ: ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏବେ ମାହୋଲ ସରଗରମ। ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଲୋକସଭା ନିର୍ବାଚନ ଏପ୍ରିଲ ୧୯ରୁ ଜୁନ୍ ୧ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଏବେ ଇଲେକ୍ଟ୍ରିକ୍ ଭୋଟିଂ ମେସିନରେ ମତଦାନ ହେଉଛି, କିନ୍ତୁ ପୂର୍ବରୁ ଏହା ବାଲାଟ୍ ପେପରରେ ହେଉଥିଲା। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଆସିବା ପୂର୍ବରୁ ବାଲାଟ ବକ୍ସରେ ବାଲାଟ ପେପର ପକାଇ ମତଦାନ କରାଯାଉଥିଲା।
୧୯୫୨ ରେ ଅନୁଷ୍ଠିତ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନରେ ବାଲାଟ୍ ବକ୍ସ ବ୍ୟବହାର କରାଯାଇଥିଲା, ଯାହା ୧୯୪୨ ମସିହାରେ ହାଇଦରାବାଦର ନିଜାମ ସରକାର ଏବଂ ମେସର୍ସ ଅଲୱିନ୍ ଆଣ୍ଡ କମ୍ପାନୀର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିଲା। କିଛି ଦଶନ୍ଧି ପୂର୍ବରୁ, ଏହି କମ୍ପାନୀର ନାମ ଭାରତର ପ୍ରତ୍ୟେକ ଘରେ ଜଣାଶୁଣା ଥିଲା। କମ୍ପାନୀ ବିଭିନ୍ନ କ୍ଷେତ୍ରରେ ନିଜ କାରବାର ବଢ଼ାଇଥିଲା ଯେଉଁଥିରେ ଘଣ୍ଟା, ଫ୍ରିଜ୍, ସ୍କୁଟର ଏବଂ ଟ୍ରେନ୍ କୋଚ୍ ଆଦି ସାମିଲ ଥିଲା। ପରିଚାଳନାଗତ ତ୍ରୁଟି ଯୋଗୁ କମ୍ପାନୀକୁ ୧୯୯୫ ମସିହାରେ ବନ୍ଦ କରିବାକୁ ପଡ଼ିଥିଲା। ଆସନ୍ତୁ ଜାଣିବା ସଫଳତାର ଶୀର୍ଷରେ ଥିବା ଏହି କମ୍ପାନୀ କିପରି ତଳିତଳାନ୍ତ ହୋଇଗଲା।
କିପରି ହୋଇଥିଲା ଆରମ୍ଭ ?
୧୯୪୨ରେ ହାଇଦରାବାଦର ନିଜାମ ସରକାର ଓ ମେସର୍ସ ଅଲୱିନ୍ ଆଣ୍ଡ କମ୍ପାନୀର ମିଳିତ ଉଦ୍ୟମରେ ଏହା ପ୍ରତିଷ୍ଠା ହୋଇଥିଲା। ପ୍ରଥମେ ଏହା ହାଇଦ୍ରାବାଦ ଅଲୱିନ୍ ମେଟାଲ୍ ୱାର୍କସ୍ ଭାବରେ ଜଣାଶୁଣା ଥିଲା ଏବଂ ଏହା ହାଇଦରାବାଦ ପାଇଁ ଇକ୍ଷଭସକ୍ଟଦ୍ଭ ଉଢ୯ ବସ୍ ଏକତ୍ର କରିବା କାମ କରୁଥିଲା। ୧୯୫୨ରେ ଦେଶର ପ୍ରଥମ ସାଧାରଣ ନିର୍ବାଚନ ପାଇଁ ଭୋଟ୍ ବାକ୍ସ ଏହି କମ୍ପାନୀ ତିଆରି କରିଥିଲା।
ବିଭିନ୍ନ କ୍ଷେତ୍ରରେ ବିସ୍ତାର କରିଥିଲା ବ୍ୟବସାୟ:
୧୯୬୯ ମସିହାରେ, ପରିଚାଳନାଗତ ତ୍ରୁଟି ଅଭିଯୋଗ ପରେ ରାଜ୍ୟ ସରକାର ଏହାକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଏହାପରେ ଅଲୱିନ୍ ଅନେକ କ୍ଷେତ୍ରରେ ତା’ର ବ୍ୟବସାୟ ବିସ୍ତାର କରିଥିଲା। କମ୍ପାନୀ ରେଫ୍ରିଜରେଟର ଉତ୍ପାଦନ ଆରମ୍ଭ କଲା ଏବଂ ଶୀଘ୍ର ଏଥିରେ ନିଜକୁ ପ୍ରତିଷ୍ଠିତ କଲା। ୧୯୮୧ ମସିହାରେ ଜାପାନର ସେଇକୋ ସହଯୋଗରେ ଅଲୱିନ୍ ଘଣ୍ଟା ବଜାରରେ ମଧ୍ୟ ପ୍ରବେଶ କରିଥିଲା। ଚମତ୍କାର ଡିଜାଇନ୍ ଏବଂ ନିର୍ଭରଯୋଗ୍ୟ ଯାନ୍ତ୍ରିକ କୌଶଳ ଯୋଗୁ କମ୍ପାନୀର ଘଣ୍ଟା ଖୁବ୍ କମ୍ ସମୟ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲା। କେବଳ ଏତିକି ନୁହେଁ, ଅଲୱିନ୍ ଅଟୋମୋବାଇଲ୍ ଏବଂ କୋଚ୍ ନିର୍ମାଣ କ୍ଷେତ୍ରରେ ମଧ୍ୟ ପାଦ ରଖିଥିଲା। ୧୯୮୩ ରେ ଅଲୱିନ୍ ଜାପାନର କମ୍ପାନୀ ନିସାନଙ୍କ ସହଯୋଗରେ ହାଲୁକା ବ୍ୟବସାୟିକ ଯାନ ଉତ୍ପାଦନ ଆରମ୍ଭ କରିଥିଲା, କିନ୍ତୁ ଏଥିରେ ତାକୁ ସଫଳତା ମିଳି ନଥିଲା। ସ୍କୁଟର ବଜାରରେ ମଧ୍ୟ କମ୍ପାନୀକୁ କିଛି ଖାସ୍ ସଫଳତା ମିଳି ନଥିଲା।
ଏଭଳି ହେଲା କମ୍ପାନୀର ପତନ:
ଅଲୱିନ୍ କମ୍ପାନୀ ଭିତରେ ଅନେକ ଅଶାନ୍ତି ଦେଖା ଦେଇଥିଲା। ଏହାର କାରଣ ହେଉଛି କୁପରିଚାଳନା ଏବଂ ଖରାପ ନିଷ୍ପତ୍ତି। ପରିବର୍ତ୍ତିତ ସମୟ ସହ କମ୍ପାନୀ ନିଜକୁ ଖାପ ଖୁଆଇ ପାରିଲା ନାହିଁ। ଏଥିସହ ସରକାରୀ ଅଧିକାରୀମାନଙ୍କ ଉଦାସୀନତା ଏବଂ ରାଜନୈତିକ ହସ୍ତକ୍ଷେପ ଯୋଗୁଁ କମ୍ପାନୀର କାର୍ଯ୍ୟକାରିତା ପ୍ରଭାବିତ ହୋଇଥିଲା। ୧୯୯୦ ମସିହା ବେଳକୁ କମ୍ପାନୀର ବହୁତ କ୍ଷତି ହୋଇଥିଲା ଏବଂ ଏହାର ନଗଦ ରାଶି ସରିବା ଆରମ୍ଭ ହୋଇଥିଲା। ଶେଷରେ ଏହା ୧୯୯୫ ମସିହାରେ ଏହି କମ୍ପାନୀ ବନ୍ଦ ହୋଇଗଲା। ଏହାର ବିଭିନ୍ନ ବିଭାଗ ବିଭିନ୍ନ କମ୍ପାନୀକୁ ବିକ୍ରି ହୋଇଗଲା। ରେଫ୍ରିଜରେଟର ବିଭାଗକୁ ଭୋଲ୍ଟାସ୍ କିଣି ନେଇଥିବାବେଳେ ଘଣ୍ଟା ବିଭାଗ ବନ୍ଦ କରିଦିଆ ଯାଇଥିଲା।
Comments are closed.