www.samajalive.in
Wednesday, December 10, 2025
18.1 C
Bhubaneswar

ଛାଡ଼ିଲେ ବନ୍ଧୁକ, ଧରିଲେ ଅଟୋ

ମାଲକାନଗିରି: ଗଣତନ୍ତ୍ର ଦ୍ୱାରା ହିଁ ଆଦିବାସୀଙ୍କ ହକ୍‍ ପାଇ ହେବ। ଜଙ୍ଗଲରେ ଲୁଚି ହିଂସାତ୍ମକ ଲଢ଼େଇ ଦ୍ୱାରା ଏହା ଆଦୌ ସମ୍ଭବ ନୁହେଁ। ଏ ଚିନ୍ତାଧାରା ବଦଳାଇ ଦେଇଛି ଜଣେ ମାଓ କମାଣ୍ଡରଙ୍କ ଜୀବନରେଖା। ଏକଦା ଜଙ୍ଗଲରେ ରହି ଓଡିଶା, ଛତିଶଗଡ ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ନିଦ ହଜାଇ ଦେଇଥିବା ମୋଷ୍ଟ ୱାଣ୍ଟେଡ ମାଓ କମାଣ୍ଡର ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି। କେବଳ ସେତିକି ନୁହେଁ ସ୍ୱାଭିମାନର ସହ ବଞ୍ଚିବା ପାଇଁ ସେ ଜଙ୍ଗଲରୁ ବନ୍ଧୁକ ଛାଡ଼ି ଏବେ ପେଟ ପୋଷିବା ପାଇଁ ଅଟୋ ଚଳାଇବା ଆରମ୍ଭ କରିଛନ୍ତି। ହିଂସା ପଥରେ ଥିବା ଏହି ମାଓ କମାଣ୍ଡର ଏବେ ମୁଖ୍ୟସ୍ରୋତକୁ ଫେରି ଅନ୍ୟମାନଙ୍କ ଆଗରେ ଉଦାହରଣ ସୃଷ୍ଟି କରିଛନ୍ତି। ମୋଷ୍ଟ ୱାଣ୍ଟେଡ ମାଓ ନେତା ରାମା କବାସୀ ଦୀର୍ଘ ୧୫ ବର୍ଷ ଧରି ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜୋନାଲ କମିଟି ଅନ୍ତର୍ଗତ କାଲିମେଳା ଦଳମ୍‍ ର ଏ.ସି.ଏମ୍‍. ରାମା କବାସୀ ଓରଫ ସୂର୍ଯ୍ୟମ୍‍ ଗତ ୨୦୧୭ ଜୁନ୍‍ ମାସରେ ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ପୂର୍ବରୁ ସଙ୍ଗଠନରେ ଥିବା ନୀତି ଆଦର୍ଶ ଆଉ ନ ଥିବା ବିପ୍ଲବ ନାମରେ ଯୁବ ପିଢ଼ିକୁ ପଥଭ୍ରଷ୍ଟ କରି ଲାଲ୍‍ ବାହିନୀ ଏହି ଅଞ୍ଚଳର ଆଦିବାସୀଙ୍କୁ ବେଆଇନ ସଙ୍ଗଠନରେ ସାମିଲ୍‍ କରି ଅପରାଧୀ ବନାଉଥିବା ଭାବି ସେ ଲାଲ୍‍ ସଙ୍ଗଠନ ଓ ନିଜର କମାଣ୍ଡର ପଦ ଛାଡ଼ି ମାଲକାନଗିରି ତତ୍କାଳୀନ ଏସ୍‍.ପି. ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ତେବେ ସେତେବେଳେ ତାଙ୍କୁ ସରକାରଙ୍କ ପକ୍ଷରୁ ୫ଲକ୍ଷ ଟଙ୍କା ଓ ତାଙ୍କ ପତ୍ନୀ ରୁକ୍ମିଣୀଙ୍କୁ ୪ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା। ସରକାରୀ ଅର୍ଥକୁ ଆଶା ନ କରି କିଭଳି ସ୍ୱାଭିମାନ ସହ ବଞ୍ଚିବେ ସେ ନେଇ ପ୍ରୟାସ ଆରମ୍ଭ କରିଛନ୍ତି ରାମା। ପ୍ରଥମେ ନିଜର କିଛି ବନ୍ଧୁଙ୍କ ସହ ମିଶି ଗୌଡ଼ଗୁଡ଼ାରେ ଭାଗଚାଷ ଆରମ୍ଭ କରିଥିବା ବେଳେ ଚାଷ କାର୍ଯ୍ୟ ସରିବା ପରେ କର୍ମ ନିୟୋଜନ ପାଇଁ ସ୍ଥାନୀୟ ଏସ୍‍.ବି.ଆଇ.ରୁ ଋଣ ଆଣି ଏକ ଅଟୋ କିଣିଲେ ଏବଂ ଅଟୋ ଚଲାଇ ନିଜ ପରିବାର ପ୍ରତିପୋଷଣ କରିବାକୁ ମନ ବଳାଇଛନ୍ତି। ସକାଳୁ ଉଠି ନିଜ ଅଟୋ ଧରି ଷ୍ଟାଣ୍ଡକୁ ଯାଇ ଲୋକଙ୍କୁ ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାରେ ଆନନ୍ଦ ମିଳେ ବୋଲି କହିଛନ୍ତି ରାମା।
ରାମାଙ୍କ ଘର କାଲିମେଳା ବ୍ଲକ ଅନ୍ତର୍ଗତ ବଡିଗେଟା। ପିଲାଟି ବେଳୁ ତାଙ୍କ ଗ୍ରାମରେ ମାଓବାଦୀ ଆସି ତାଙ୍କୁ ସଙ୍ଗଠନରେ ସାମିଲ ହେବାକୁ ପ୍ରଭାବିତ କରିଥିଲେ। ବିପ୍ଲବ ଦ୍ୱାରା ହିଁ ନିଜର ହକ୍‍ ଏବଂ ମୌଳିକ ସୁବିଧା ମିଳିପାରିବ ବୋଲି କହିବା ପରେ ସେ ସଙ୍ଗଠନରେ ସାମିଲ ହେଲେ। ଲାଲ୍‍ ବାହିନୀରେ ଜଣେ ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରିବା ପରେ ତାଙ୍କୁ ଏ.ସି.ଏମ୍‍. ର୍ୟାଙ୍କରେ ପଦ ଦିଆଯାଇଥିଲା। ଘଞ୍ଚ ଜଙ୍ଗଲରେ ହାତରେ ବନ୍ଧୁକ ଧରି ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଇ ପୁଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲେ ରାମା। ଆତ୍ମ ସମର୍ପଣକାରୀ ମାଓବାଦୀ ସୁକଦେବଙ୍କ ପ୍ରୋତ୍ସାହନରେ ସେ ସଙ୍ଗଠନ ଛାଡିଥିଲେ। ପରେ ପୁଲିସ ପକ୍ଷରୁ ଇଗ୍ନୋ ପାଠ୍ୟକ୍ରମରେ ସାମିଲ୍‍ ହୋଇ ଶିକ୍ଷା ଗ୍ରହଣ କରି ଡ୍ରାଇଭିଂ ତାଲିମ ଗ୍ରହଣ କରିଥିଲେ। ତେବେ ନିଜର ପୁରସ୍କାର ରାଶି ଅର୍ଥରେ ବଞ୍ଚିବାକୁ ଇଚ୍ଛା ନ କରି ସ୍ୱତଃପ୍ରବୃତ୍ତ ଭାବେ ସ୍ୱାବଲମ୍ବୀ ହୋଇ ବଞ୍ଚିବା ପାଇଁ ଅଟୋ ଚାଳନା କରିବାକୁ ମନ ବଳାଇ ବ୍ୟାଙ୍କରୁ ଋଣ ଆଣି ଏକ ଅଟୋ କ୍ରୟ କରି ବର୍ତ୍ତମାନ ଏହାକୁ ପେସା ଭାବେ ଗ୍ରହଣ କରିଛନ୍ତି। ଯେଉଁ ଯୁବକମାନେ ପଥଭ୍ରଷ୍ଟ ହୋଇ ବେଆଇନ ସଙ୍ଗଠନରେ ସାମିଲ ହୋଇଛନ୍ତି ସେମାନଙ୍କୁ ମଧ୍ୟ ବେଆଇନ ମାଓ ସଙ୍ଗଠନ ଛାଡ଼ି ସାମାଜିକ ମୁଖ୍ୟସ୍ରୋତରେ ସାମିଲ୍‍ ହୋଇ ସ୍ୱାଭିମାନ ସହ ବଞ୍ଚିବାକୁ ରାମା ଆହ୍ୱାନ ଦେଇଛନ୍ତି। ୫୦ବର୍ଷ ଧରି ପଡୋଶୀ ରାଜ୍ୟର ମାଓ ନେତା ମାନେ ନିରୀହ ଆଦିବାସୀଙ୍କୁ ପ୍ରଭାବିତ କରି ଲାଲ ସଙ୍ଗଠନରେ ସାମିଲ୍‍ କରି ହାତରେ ବନ୍ଧୁକ ଧରାଇଛନ୍ତି। ନିଶ୍ଚିତ ଭାବେ ଏ.କେ. ୪୭ ଛାଡି ଅଟୋ ଷ୍ଟେରିଙ୍ଗ ଧରି ଏକ ସ୍ୱାଧୀନ ଜୀବନ ବଞ୍ଚିବାରେ ଯେଉଁ ଆନନ୍ଦ ଏବେ ମିଳୁଛି ତାହା ପୂର୍ବରୁ ମିଳୁ ନ ଥିଲା ବୋଲି ରାମା କହନ୍ତି। ରାମାଙ୍କ ଏହି ଚିନ୍ତାଧାରା ବିପଥଗାମୀ ହେଉଥିବା ଯୁବପିଢ଼ିଙ୍କ ପାଇଁ ଆଦର୍ଶ ମନେ ହେଉଛି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories