କଟକସିଟି: ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରକୁ ମଙ୍ଗଳବାର ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଡ. ଜୟନ୍ତୀ ରଥ ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାସହ ପାଠାଗାରରେ ରହିଥିବା କମ୍ପ୍ୟୁଟରଗୁଡ଼ିକରେ ଇଣ୍ଟରନେଟ ପୁନଃ ସଂଯୋଗ ପାଇଁ ଆବଶ୍ୟକ ଅର୍ଥ ପଇଠ କରିବା ପରେ ଆଜିଠାରୁ ଇ-ପାଠାଗାର କାର୍ଯ୍ୟକ୍ଷମ େହାଇଛି। ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ ସମସ୍ୟାଗୁଡ଼ିକର ସମାଧାନ କରାଯିବ ବୋଲି ଅଧୀକ୍ଷକ ସୂଚନା ଦେଇଛନ୍ତି।
ଏହି ଅବସରରେ ସେ ସଂଗ୍ରହାଳୟର ଭିତ୍ତିଭୂମି ଦେଖିଥିଲେ। ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ଟ୍ରଷ୍ଟ ଗଠନ କରାଯିବ। ଏହି ଟ୍ରଷ୍ଟରେ ବିଭାଗୀୟ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ, ନିର୍ଦେଶକ ପ୍ରମୁଖ ରହିବେ। ଖୁବ୍ଶୀଘ୍ର ଏ ନେଇ ଏକ ବୈଠକ ଆହୂତ କରାଯାଇ ଟ୍ରଷ୍ଟ ସଂକ୍ରାନ୍ତରେ ଆଲୋଚନା କରାଯିବ। ଏହା ସହ ଆନନ୍ଦଭବନ ପରିଚାଳନାରେ କଟକ ଜିଲା ପ୍ରଶାସନକୁ ସାମିଲ କରାଯିବ ବୋଲି ଅଧୀକ୍ଷକ ସୂଚନା ଦେଇଥିଲେ। ଏତଦ୍ବ୍ୟତୀତ ନୂତନ ଦୁଇଟି ଗ୍ୟାଲେରି, ଉଦ୍ୟାନର ସାଜସଜ୍ଜା, ନୂତନ ଅଡ଼ିଟୋରିୟମ ଓ ସଂଗ୍ରହାଳୟ ସଂପ୍ରସାରଣ ଯୋଜନା ରହିଛି ବୋଲି ଅଧୀକ୍ଷକ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ, ୫ ତାରିଖ ଦୈନିକ ‘ସମାଜ’ରେ ‘ସଂକଟରେ ଆନନ୍ଦ ଭବନ ସଂଗ୍ରହାଳୟ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଉଦ୍ଘାଟନର ମାତ୍ର ୯ମାସ ମଧ୍ୟରେ ଏହା ସ୍ଥିତି ଦୋହଲି ଯାଇଛି। କର୍ମଚାରୀଙ୍କୁ ଦରମା ମିଳି ମିଳିପାରିନାହିଁ। ଅର୍ଥ ପଇଠ ନହେବାରୁ ଇ-ପାଠାଗାର ସହିତ ସଂଯୋଗ ଥିବା ଇଣ୍ଟରନେଟ୍ ସଂଯୋଗ କାଟି ଦିଆଯାଇଥିଲା। ସେହିପରି ପାଠାଗାରକୁ ଆସୁଥିବା ଦୈନିକ ଓ ମାସିକ ଖବରକାଗଜ ଓ ଅନ୍ୟାନ୍ୟ ପତ୍ରପତ୍ରିକା ବନ୍ଦ ହୋଇଯାଇଥିଲା। ଫଳରେ ଇ- ପାଠାଗାର ଉପରେ ନିର୍ଭର କରୁଥିବା ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏ ସଂକ୍ରାନ୍ତ ଖବର ପ୍ରକାଶ ପରେ ୫ ତାରିଖରେ ଭୁବନେଶ୍ବରରେ ସଚିବସ୍ତରୀୟ ବୈଠକ ବସି ତ୍ବରିତ ସମାଧାନ ଦିଗରେ ପଦକ୍ଷେପ ନିଆଯାଇଥିଲା। ତେବେ ଏପରି ପରିଚାଳନାଗତ ଅବ୍ୟବସ୍ଥା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା।
ଆନନ୍ଦଭବନ ପାଇଁ ଗଠନ ହେବ ଟ୍ରଷ୍ଟ, ସାମିଲ ହେବ ଜିଲା ପ୍ରଶାସନ
Popular Categories



