ବାତଜ୍ୱର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆରତୀ ଷ୍ଟିଲ ପରିସରରେ ବାତଜ୍ୱର ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏହି ସଚେତନତା କାର୍ଯ୍ୟକ୍ରମକୁ ସଂଯୋଜନା କରି ବାତଜ୍ୱର ନିରାକରଣ ପାଇଁ ଆସନ୍ତା ଫେବୃଆରୀ ୧୦ରୁ ୧୯ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଓ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

ଏଥିରେ ପବ୍ଲିକ କନ୍‍ସଲ୍‍ଟାଣ୍ଟ ଅମୀୟ କୁମାର ପ୍ରଧାନ ଯୋଗଦେଇ ବାତଜ୍ୱରର କାରଣ, ଲକ୍ଷଣ ଓ ନିରାକରଣ ବିଷୟରେ ବୁଝାଇବା ସହ ସାମୁହିକ ଔଷଧ ସେବନ ନିମନ୍ତେ ଆରତୀ ଷ୍ଟିଲରେ କାର୍ଯ୍ୟରତ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ସାମୁହିକ ଔଷଧ ସେବନ ଅଭିଯାନରେ ଆରତୀ ଷ୍ଟିଲରେ କାର୍ଯ୍ୟରତ ୨୫୦୦ କର୍ମଚାରୀ ଅଂଶଗ୍ରହଣ କରି ଔଷଧ ସେବନ କରିବେ ବୋଲି ଅସଲମ କହିଥିଲେ । ଆରତୀ ଷ୍ଟିଲର ଜନସଚେତନତା ଦାୟିତ୍ୱରେ ଥିବା ଅଧିକାରୀ ରଜତ କୁମାର ନାୟକ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ସାମୁହିକ ଔଷଧ ସେବନ ଅଭିଯାନକୁ ସଫଳ କରିବା ଲାଗି ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

Comments are closed.