ପୋଷ୍ଟର ଲଗାଇ ପୁଣି ନିଜ ଉପସ୍ଥିତି ଜାହିର କଲା ଲାଲବାହିନୀ

ଫୁଲବାଣୀ :  ପୋଷ୍ଟର ଲଗାଇ ପୁଣି ନିଜର ସ୍ଥିତି ଜାହିର କଲା ଲାଲବାହିନୀ । କିଛି ଦିନର ନୀରବତା ପରେ ପୁଣି ପୋଷ୍ଟର ଲଗାଇ ନିଜର ସ୍ଥିତିକୁ ଜାହିର କରିଛି ସିପିଆଇ ମାଓବାଦୀ କେକେବିଏନ ଡିଭିଜନାଲ କମିଟି। କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର କତେରିଭଟା ଛକ, କାମ୍ବାରକିଆ ଛକ, ବାଲିଗୁଡାରୁ ଲଣ୍ଡାଗାଁ ୪୧ ନଂ ରାଜ୍ୟ ରାଜପଥର ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ଵ ଏବଂ ଏକାଧିକ ଗଛରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଗତ ଫେବୃୟାରୀ ୩ ତାରିଖ ସନ୍ଧ୍ୟା ସମୟରେ କାମ୍ବାରକିଆ ଗାଁରେ ମୁଖବିର ସୂଚନା ଦ୍ୱାରା ପୁଲିସ ରାତିରେ ଆସି ଘରୁ ଦଶୁରୁକୁ ଉଠେଇ ନେଲା। କିନ୍ତୁ ପୁଲିସ ଆଇନକୁ ଉଲ୍ଲଙ୍ଘନ କରି ଦଶୁରୁକୁ ଏବେ ପର୍ଯ୍ୟନ୍ତ କୋର୍ଟରେ ପେଶ କରିନି।

କମ୍ରେଡ୍ ଦଶୁରୁକୁ ପୁଲିସ ବହୁତ ନିର୍ଯାତନା କରି ମାନସିକ ଭାବେ ଦୁର୍ବଳ କରୁଛନ୍ତି। ଶୀଘ୍ର ଦଶୁରୁକୁ କୋର୍ଟକୁ ହାଜର କରାଯାଉ । ପୁଲିସ, ପ୍ରଶାସନ ମାଓବାଦୀଙ୍କୁ ଆରେଷ୍ଟ କରି ଜବରଦସ୍ତ ସରେଣ୍ଡର କରାଇବା ବନ୍ଦ କରାଯାଉ ବୋଲି ପୋଷ୍ଟର ଲଗାଇ ଚେତାବନୀ ଦିଆଯାଇଛି । ଗତ ୩ ତାରିଖରେ ହୋଇଥିବା ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ଡିଭିଏଫ୍ ଯବାନ ଆହତ ହୋଇଥିବାବେଳେ ଜଣେ ମାଓ ନେତା ଦଶୁରୁ ନିହତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରତିକ୍ରିୟା ରଖି ଆଜି ସକାଳୁ ସକାଳୁ ପୋଷ୍ଟର ଦେଖିବାକୁ ମିଳିଛି ।

 

Comments are closed.