ନୂଆଦିଲ୍ଲୀ: ଶ୍ରୀକୃଷ୍ଣ ଜନ୍ମଭୂମିକୁ ନେଇ ଆହ୍ଲାବାଦ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ଶାହୀ ଈଦଗାହ ମସ୍ଜିଦ୍ର ଏଏସଆଇ ସର୍ବେକ୍ଷଣକୁ ଅଦାଲତ ଅନୁମୋଦନ କରିଛନ୍ତି। ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହୀ ଈଦଗାହ ମସ୍ଜିଦ୍ ବିବାଦ ମାମଲାରେ ବିବାଦୀୟ ପରିସରର ସର୍ବେକ୍ଷଣ ଆଡଭୋକେଟ କମିଶନରଙ୍କ ଜରିଆରେ କରିବା ଦାବିରେ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରାଯାଇଥିଲା, ଯାହା ଉପରେ ଗୁରୁବାର ଶୁଣାଣି ହୋଇଛି। ଜଷ୍ଟିସ ମୟଙ୍କ କୁମାର ଜୈନଙ୍କ ଏକକ ଖଣ୍ଡପୀଠ ମାମଲା ଶୁଣାଣି କରି ଶାହୀ ଈଦଗାହ ମସ୍ଜିଦ୍ର ଏଏସଆଇ ସର୍ବେକ୍ଷଣକୁ ଅନୁମୋଦନ କରିଛନ୍ତି। ତେବେ କୋର୍ଟ କମିଶନର କିଏ ହେବେ ଏବଂ ଆଗାମୀ କାର୍ଯ୍ୟାନୁଷ୍ଠାନ କ’ଣ ଗ୍ରହଣ କରାଯିବ ସେନେଇ ଅଦାଲତ ଡିସେମ୍ବର ୧୮ରେ ନିଷ୍ପତ୍ତି ନେବେ।
ହିନ୍ଦୁ ପକ୍ଷ ମଥୁରା ଅଦାଲତରେ ପ୍ରଥମେ ଏହି ଦାବି ଉଠାଇଥିଲେ। ୨୦୨୨ ମସିହା ଡିସେମ୍ବର ମାସରେ ମଥୁରା ଅଦାଲତ ଅମିନ ସର୍ବେକ୍ଷଣକୁ ଅନୁମୋଦନ କରିଥିଲେ, କିନ୍ତୁ ମୁସଲିମ ପକ୍ଷଙ୍କ ଦ୍ବାରା ଉପର କୋର୍ଟରେ ଆପତ୍ତି ଦାଖଲ ପରେ ଅମିନ ସର୍ଭେ ହୋଇପାରି ନ ଥିଲା। ଏବେ ହାଇକୋର୍ଟଙ୍କ ରାୟ ପରେ ମୁସଲିମ୍ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇପାରନ୍ତି।



