www.samajalive.in
Monday, December 8, 2025
14.1 C
Bhubaneswar

କାନାଡ଼ା-ଦକ୍ଷିଣ ଆଫ୍ରିକା ମ୍ୟାଚ ଡ୍ର

ଭୁବନେଶ୍ୱର : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରବିବାର ପୁରୁଷ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟରେ କାନାଡା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପୁଲ୍‍-ସି ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ରହିଛି। ଫଳରେ ଉଭୟ ଦଳ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି। ଉଭୟ ଦଳ ଲିଗ୍‍ ପର୍ଯ୍ୟାୟରେ ସେମାନଙ୍କର ପ୍ରଥମ ମ୍ୟାଚ ହାରିସାରିଛନ୍ତି। ଏହି ପରିପ୍ରେକ୍ଷୀରେ କ୍ୱାର୍ଟର ଫାଇନାଲ ଆଶା ଉଜ୍ଜୀବିତ ରଖିବାକୁ ଏହି ମ୍ୟାଚରେ ବିଜୟୀ ହେବା ଲକ୍ଷ୍ୟରେ ଉଭୟ ଦଳ ପଡିଆକୁ ଓହ୍ଲାଇଥିଲେ।
ପ୍ରଥମ କ୍ୱାର୍ଟର ପ୍ରାରମ୍ଭରେ ଦକ୍ଷିଣ ଆଫ୍ରିକା ଦଳ ବଲକୁ ନିଜ ନିୟନ୍ତ୍ରଣରେ ରଖି ଗୋଲ ସୁଯୋଗ ସୃଷ୍ଟି କରିଥିଲା। ୧୧ ମିନିଟରେ କାନାଡା ଡି’ ଏରିଆରେ ନିକୋଲାସ ସ୍ପୁନରଙ୍କଠାରୁ ଚମତ୍କାର ପାସ୍‍ ପାଇଥିଲେ ସୁଦ୍ଧା ଡାୟାନ୍‍ କାସିଏମ ଗୋଲ ଦେବାରେ ବିଫଳତା ପ୍ରକାଶ କରିଥିଲେ। ୧୪ ମିନିଟରେ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲା। ତେବେ ଅଷ୍ଟିନ ସ୍ମିଥ୍‍ଙ୍କ ସଟ୍‍କୁ କାନାଡା ରକ୍ଷଣଭାଗ ଖେଳାଳି ଅଟକାଇବାରୁ ଏହି ସୁଯୋଗ ବେକାର ଯାଇଥିଲା। ଦ୍ୱିତୀୟ କ୍ୱାର୍ଟରର ୨୦ ମିନିଟରେ ଦକ୍ଷିଣ ଆଫ୍ରିକା ରକ୍ଷଣଭାଗର ତ୍ରୁଟିରୁ କାନାଡାକୁ ସୁଯୋଗ ମିଳିଥିଲେ ସୁଦ୍ଧା ଜେମ୍‍ସ କିର୍କପ୍ୟାଟ୍ରିକ୍‍ଙ୍କ ସଟ୍‍ ଅଳ୍ପକେ ପ୍ରତିପକ୍ଷ ଗୋଲପୋଷ୍ଟ ବାହାରକୁ ଚାଲିଯାଇଥିଲା। ୨୧ ମିନିଟରେ ଫାଉଲ ଗେମ ଯୋଗୁଁ କିର୍କପ୍ୟାଟ୍ରିକ୍‍ଙ୍କୁ ଅମ୍ପାୟାର ସବୁଜ କାର୍ଡ ପ୍ରଦର୍ଶନ କରିଥିଲେ। ଫଳରେ ପରବର୍ତ୍ତୀ ପାଞ୍ଚ ମିନିଟ ପାଇଁ କାନାଡା ଦଳକୁ ୧୦ ଜଣ ଖେଳାଳିରେ ସୀମିତ ରହିବାକୁ ପଡିଥିଲା। ୨୨ ମିନିଟରେ ଦକ୍ଷିଣ ଆଫ୍ରିକାକୁ ୩ୟ ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ଅଷ୍ଟିନ ସ୍ମିଥ୍‍ଙ୍କ ସଟ୍‍କୁ କାନାଡା ଗୋଲରକ୍ଷକ ଡେଭିଡ କାର୍ଟର ଅଟକାଇଥିଲେ। ଏହି କ୍ୱାର୍ଟର ଶେଷ ଆଡକୁ ବଲ ଅଧିକାଂଶ ସମୟ ମଝି ପଡିଆରେ ରହିଥିଲା। ଫଳରେ ମଧ୍ୟାନ୍ତର ସୁଦ୍ଧା ମ୍ୟାଚ ଗୋଲଶୂନ୍ୟ ରହିଥିଲା।
ବିରତି ପରେ ତୃତୀୟ କ୍ୱାର୍ଟରର ୩୧ ମିନିଟରେ ଦକ୍ଷିଣ ଆଫ୍ରିକା ଖେଳାଳି ଜୁଲିଆନ ହାଇକ୍‍ସ କାନାଡା ଗୋଲ ସମ୍ମୁଖରେ ଚମତ୍କାର କ୍ରସପାସ୍‍ ଦେଇଥିଲେ ସୁଦ୍ଧା ସ୍ପୁନର ବଲକୁ ଷ୍ଟିକ୍‍ ସହ ସଂଯୋଗ କରିପାରିନଥିଲେ। ୩୬ ମିନିଟରେ କାନାଡା ପ୍ରତିଆକ୍ରମଣରୁ ସୁଯୋଗ ସୃଷ୍ଟି କରିଥିଲା। ଲେନ୍‍ ସ୍ମିଥ୍‍ ଡାହାଣ ପାର୍ଶ୍ବରୁ ଦ୍ରୁତଗତିରେ ବଲ ନେଇ ଦକ୍ଷିଣ ଆଫ୍ରିକା ଡି’ ଅଞ୍ଚଳରେ କ୍ରସପାସ୍‍ ଦେଇଥିଲେ ସୁଦ୍ଧା ବଲ ସିଧାସଳଖ ସାଥି ଖେଳାଳି କିର୍କପ୍ୟାଟ୍ରିକ୍‍ଙ୍କ ଗୋଡରେ ବାଜିଥିଲା। ୩୭ ମିନିଟରେ କାନାଡାକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ଏହା ବେକାର ଯାଇଥିଲା। ୩୮ ମିନିଟରେ ଦକ୍ଷିଣ ଆଫ୍ରିକାକୁ କ୍ରମାଗତ ୩ଟି ପେନାଲଟି କର୍ଣ୍ଣର ମିଳିଥିବା ସତ୍ତ୍ବେ ଦଳୀୟ ଖେଳାଳିଙ୍କ ମଧ୍ୟରେ ବୁଝାମଣା ଅଭାବରୁ ଗୋଲ ସମ୍ଭବ ହୋଇନଥିଲା। ୪୩ ମିନିଟରେ ଅଧିନାୟକ ଡିମ୍‍ ଡ୍ରୁମଣ୍ଡ୍‍ଙ୍କ ନିକଟରୁ ପାଇଥିବା ପାସ୍‍ରୁ ଗୋଲ ସ୍କୋର କରି ଏନ୍‍କ୍ୱୋବାଇଲ ଏନ୍‍ଟୁଲି ଦକ୍ଷିଣ ଆଫ୍ରିକାକୁ ୧-୦ରେ ଆଗୁଆ କରିଥିଲେ। ତେବେ ଦଳର ଏହି ଖୁସି ବେଶି ସମୟ ତିଷ୍ଠିନଥିଲା। ୪୫ ମିନିଟରେ କାନାଡାକୁ ୨ୟ ପେନାଲଟି କର୍ଣ୍ଣର ମିଳିଥିଲା। କାନାଡା ଖେଳାଳିଙ୍କ ସଟ୍‍ ଦକ୍ଷିଣ ଆଫ୍ରିକାର ରେଟ୍‍ ହାଲ୍‍କେଟ୍‍ଙ୍କ ଗୋଡରେ ବାଜିବା ଫଳରେ ଅମ୍ପାୟାର ପେନାଲଟି ଷ୍ଟ୍ରୋକ୍‍ ନିର୍ଦେଶ ଦେଇଥିଲେ। ସ୍କଟ୍‍ ଟୁପର କୌଣସି ତ୍ରୁଟି ନ ଦର୍ଶାଇ ଏହାକୁ ଗୋଲରେ ପରିବର୍ତ୍ତନ କରିବା ସହ ମ୍ୟାଚକୁ ସମାନ ସ୍ଥିତିକୁ (୧-୧) ଆଣିଥିଲେ। ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଉଭୟ ଦଳ ଗୋଲ ଦେବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ୪୮ ମିନିଟରେ ଜୁଲିଆନ ହାଇକ୍‍ସ କାନାଡା ଡିଫେଣ୍ଡରଙ୍କୁ ଚକ୍‍ମା ଦେଇ ସଟ୍‍ ମାରିଥିଲେ ସୁଦ୍ଧା ଏହା ଗୋଲପୋଷ୍ଟ ସାଇଡ୍‍ ବାର୍‍ରେ ବାଜି ବାହାରକୁ ଚାଲିଯାଇଥିଲା। ୫୫ ମିନିଟରେ କାନାଡାକୁ ଓ ୫୮ ମିନିଟରେ ଦକ୍ଷିଣ ଆଫ୍ରିକାକୁ ଆଉ ଏକ ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ଗୋଲ ସ୍କୋର ହୋଇପାରିନଥିଲା। ଫଳରେ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ରହିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories