www.samajalive.in
Monday, December 8, 2025
14.1 C
Bhubaneswar

୭୮ ବର୍ଷରେ ନବୀନ : ଏବେ ବି ଅପ୍ରତିଦ୍ବନ୍ଦ୍ବୀ

ଭୁବନେଶ୍ବର : ଅପରାଜେୟ, ଅଦ୍ବିତୀୟ ଏବଂ ଅନନ୍ୟ ରାଜନେତା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଲୋକପ୍ରିୟତାର ଶୀର୍ଷରେ ରହିଥିବା ନବୀନ ସଫଳତାର ଗୋଟିକ ପରେ ଗୋଟିଏ ପାହାଚ ଚଢ଼ି ଚାଲିଛନ୍ତି। ଓଡ଼ିଶାରେ କ୍ରମାଗତ ୫ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ସେ ରେକର୍ଡ ସୃଷ୍ଟି କରିଛନ୍ତି। ଏପରିକି ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବାରେ ସେ ଏବେ ଦେଶରେ ଦ୍ବିତୀୟ। ବୟସ ତାଙ୍କ ସଫଳତାର ଶିଡ଼ିକୁ ଅଟକାଇ ପାରିନାହିଁ। ଏତେସବୁ ସାଫଲ୍ୟ ସହିତ ନବୀନଙ୍କ ସ୍ବଚ୍ଛ, ନିର୍ମଳ ଭାବମୂର୍ତ୍ତି ଆଜି ମଧ୍ୟ ବଜାୟ ରହିଛି। ତାଙ୍କର ନିରାଡ଼ମ୍ବର ଜୀବନଶୈଳୀ, ଦୃଢ଼ ନେତୃତ୍ବ ଏବଂ ଲୋକପ୍ରିୟତା ଏବେ ଗବେଷଣାର ବିଷୟ ହେଲାଣି। ୨୩ ବର୍ଷ ହେଲା ଓଡ଼ିଶାବାସୀଙ୍କୁ ନିରଙ୍କୁଶ ଶାସନ ଦେଇ ସେ ଜନତାଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସୋମବାର ସେ ୭୭ ବର୍ଷ ପୂରଣ କରି ୭୮ ବର୍ଷ ବୟସରେ ପଦାର୍ପଣ କରିବେ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସବୁଥର ପରି ଏଥର ମଧ୍ୟ ନିଜ ଜନ୍ମଦିନ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତି ଅନୁସାରେ, ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ବିୟୋଗ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ। ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶୁ‌େ‌ଭଚ୍ଛୁଙ୍କୁ ଅନୁରୋଧ କରିଛନ୍ତି। କେବଳ ଏବର୍ଷ ନୁହେଁ ୨୦୧୭ ମସିହା ପରଠାରୁ ବିଭିନ୍ନ କାରଣରୁ ନବୀନ ନିଜ ଜନ୍ମଦିନ ପାଳନ କରିନାହାନ୍ତି। ଗତବର୍ଷ ମଧ୍ୟ ନବୀନ ତାଙ୍କ ଜନ୍ମଦିନ ପାଳନ କରିନଥିଲେ। ଓଡ଼ିଶାକୁ ପୁଞ୍ଜି ଆଣିବାକୁ ସେ ତାଙ୍କ ଜନ୍ମଦିନରେ ହାଇଦରାବାଦ ଗସ୍ତରେ ଯାଇ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇଥିଲେ। ପ୍ରତିବର୍ଷ ଜନ୍ମଦିନ ଆସିଲେ ବିଜେଡି କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବାକୁ ଅପେକ୍ଷା କରିଥାନ୍ତି। ହେଲେ ମୁଖ୍ୟମନ୍ତ୍ରୀ ନିଜ ଜନ୍ମଦିନକୁ ସର୍ବଦା ନିରାଡ଼ମ୍ବର କରି ଉଦାହରଣ ସୃଷ୍ଟି କରିଛନ୍ତି। ଜନ୍ମଦିନରେ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହାକୁ ଭିନ୍ନ ଢ଼ଙ୍ଗରେ ପାଳନ କରାଯାଇଥାଏ। ଏଥର ମଧ୍ୟ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଉଥିବା ଜଣାପଡ଼ିଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକ ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ବିଗତ ୨୩ବର୍ଷ ଧରି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ରାଜନୀତିରେ ଏକଦା ଅପରିଚିତ ଥିବା ଚେହେରା ସମଗ୍ର ଦେଶରେ ସ୍ବତନ୍ତ୍ର ପରିଚିତି ହାସଲ କରିଛି। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା ରାଜ୍ୟର ଶାସନ ଡୋରି ତାଙ୍କ ପାଖରେ ରହିଛି। ବିରୋଧୀଙ୍କ କୌଣସି ଅସ୍ତ୍ର ଏପର୍ଯ୍ୟନ୍ତ ନବୀନଙ୍କୁ ପରାଜିତ କରିବାରେ ସଫଳ ହୋଇନାହିଁ। ଓଡ଼ିଶାବାସୀଙ୍କ ଭଲପାଇବା ଓ ଆଶୀର୍ବାଦରେ ସେ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଉଛନ୍ତି। ୨୦୨୪ ନିର୍ବାଚନରେ ମଧ୍ୟ ନବୀନଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଦଳ ସଂକଳ୍ପ ନେଇ କାର୍ଯ୍ୟ ଜାରି ରଖିଛି। ତାଙ୍କ ନେତୃତ୍ବରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଓଡ଼ିଶାରେ ଲୋକପ୍ରିୟ ହେବା ସହ ଅନ୍ୟ ରାଜ୍ୟ ଏବଂ ଦେଶକୁ ମାର୍ଗଦର୍ଶନ କରୁଛି।
ବିଜୁବାବୁଙ୍କ ପରଲୋକ ପରେ ରାଜନୀତିରେ ସମ୍ପୂର୍ଣ୍ଣ ନବାଗତ ଥିବା ନବୀନ ଏବେ ଭାରତବର୍ଷର ଆଗ ଧାଡ଼ିର ରାଜନେତା। ୧୯୯୭ରେ ଆସି ଲୋକସଭା ଆସନରୁ ବିଜୟ ଲାଭ କରିବା ପରେ ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ସେ କେନ୍ଦ୍ରରେ ଇସ୍ପାତ ଓ ଖଣିମନ୍ତ୍ରୀ ପଦରେ ଥିଲେ। ୨୦୦୦ ମସିହାରେ ବିଜେପି ସହ ମେଣ୍ଟ କରି ବିଜେଡି କ୍ଷମତାସୀନ ହେବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ। ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ଭାଙ୍ଗିବା ପରେ ମଧ୍ୟ ୨୦୦୯ରେ ବିଜେଡି ନବୀନଙ୍କ ନେତୃତ୍ବରେ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ନିରଙ୍କୁଶ କ୍ଷମତାର ଅଧିକାରୀ ହେବା ସହିତ ନବୀନଙ୍କ ମୁଖ୍ୟମନ୍ତ୍ରୀ ପଦ ଅକ୍ଷୂଣ୍ଣ ରହିଥିଲା। ୨୦୦୦ ମସିହାରୁ ଏଯାବତ ନବୀନ ପାଞ୍ଚଥର ନିର୍ବାଚନରେ ଅପ୍ରତିଦ୍ବନ୍ଦ୍ବୀ ନେତା ଭାବେ ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ରହି ଓଡ଼ିଶା ଇତିହାସରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।
୨୦୦୦ ମସିହାରୁ ୨୦୦୯ ପର୍ଯ୍ୟନ୍ତ ମେଣ୍ଟ ସରକାର ଏବଂ ୨୦୦୯ରୁ ଏପର୍ଯ୍ୟନ୍ତ ବିଜେଡିର ସର୍ବମାନ୍ୟ ନେତା ପଦରେ ଥିବା ନୀବନ ଏବଂ ତାଙ୍କ ସରକାର ପାଣି ଠାରୁ ଖଣି ପର୍ଯ୍ୟନ୍ତ ବହୁ ଅଭିଯୋଗର ଶରବ୍ୟ ହୋଇଛନ୍ତି। ମାତ୍ର ନବୀନଙ୍କ ନେତୃତ୍ବ ବିରୋଧରେ ଆସିଥିବା ଏକାଧିକ ଅଭିଯୋଗକୁ ପ୍ରସଙ୍ଗ କରି ଆଗକୁ ବଢ଼ିବାରେ କୌଣସି ବିକଳ୍ପ ଆଜିପର୍ଯ୍ୟନ୍ତ ତିଆରି ହୋଇପାରିନି। ପ୍ରତିଟି ନିର୍ବାଚନ ନବୀନ ଏବଂ ବିଜେଡି ପାଇଁ ନୂଆ ଆହ୍ବାନ, ହୋଇ ଠିଆ ହୋଇଛି। ଏପରିକି ୨୦୧୪ ଓ ୨୦୧୯ ଦୁଇ ଦୁଇଟି ସାଧାରଣ ଓ ବିଧାନସଭା ନିର୍ବାଚନାରେ ମୋଦି ହାୱା ଦେଶର ଅଧିକାଂଶ ରାଜ୍ୟରେ କ୍ଷମତାସୀନ ଅଣବିଜେପି ଦଳ ଓ ସେମାନଙ୍କ ନେତାଙ୍କୁ କ୍ଷମତାଚ୍ୟୁତ କରିଦେଇଛି। ମାତ୍ର ଓଡ଼ିଶାରେ ସେ ହାୱା କାମ ଦେଇନାହିଁ। ନବୀନଙ୍କ ଯାଦୁ ମୋଦୀ ହାୱାକୁ ପଛରେ ପକାଇ ସଫଳତାର ନୂଆ ରେକର୍ଡ ହାସଲ କରିଛି। ଓଡ଼ିଶାରେ ଏକଦା ଦୀର୍ଘ ବର୍ଷ ଧରି କ୍ଷମତାରେ ଥିବା କଂଗ୍ରେସ ୨୦୦୦ ପରଠୁ ଆଉ କ୍ଷମତାକୁ ଫେରିପାରିନି। ଘଟଣାକ୍ରମେ କଂଗ୍ରେସ ମୁଖ୍ୟ ବିରୋଧୀରୁ ଖସି ତୃତୀୟ ସ୍ଥାନକୁ ଚାଲିଯାଇଛି ଏବଂ ତୃତୀୟ ସ୍ଥାନରେ ଥିବା ବିଜେପି ଏବେ ମୁଖ୍ୟ ବିରୋଧୀ ଦଳ ଆସନ ଅକ୍ତିଆର କରିଛି। କିନ୍ତୁ ୨୦୧୯ରେ ୧୨୦ ପ୍ଲସ୍‌ ମିଶନ ନେଇ ବିଜେଡି ବିରୋଧରେ ଯୁଦ୍ଧଂ ଦେହି ଡକରା ଦେଇଥିବା ବିଜେପିର ରଣନୀତି ବିଜେଡି ଓ ଏହାର ନେତାଙ୍କୁ କ୍ଷମତାଚ୍ୟୁତ କରାଇବା ତ ଦୂରର କଥା ବିଜେଡି ରଣନୀତି ଆଗରେ ଫିକା ପଡ଼ିଯାଇଥିଲା। ଏସବୁ ଭିତରେ ଦୀର୍ଘ ବର୍ଷର କ୍ଷମତାସୀନ ନେତା ନବୀନ ଏବଂ ତାଙ୍କ ଦଳ ଆଗକୁ ଏକ ବଡ଼ ଆହ୍ବାନର ସାମ୍‌ନା କରିବାକୁ ଯାଉଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories