ପୁରୀ: କୋଠଭୋଗ ପିଠା ପାଇଁ ମହାପ୍ରଭୁଙ୍କ ସମ୍ମୁଖରେ ସେବକ ଓ କର୍ମଚାରୀ ଶୁକ୍ରବାର ପିଟାପିଟି ହୋଇଛନ୍ତି। ସେଥିରେ ଜଣେ ଆହତ ହୋଇଛନ୍ତି। କର୍ମଚାରୀଙ୍କ ମୁଥ ମାଡ଼ରେ ତାଙ୍କ ନାକ ଫାଟି ଯାଇଛି। ଶ୍ରୀମନ୍ଦିର ଗର୍ଭଗୃହ ଭିତରେ ରକ୍ତଛିଟା ପଡ଼ିଛି। ଏଥିଯୋଗୁଁ ଦାରୁବ୍ରହ୍ମଙ୍କୁ ମହାସ୍ନାନ କରାଯାଇଛି। ଠାକୁରଙ୍କ ନିତିକାନ୍ତି ପ୍ରାୟ ଦୁଇଘଣ୍ଟା ବିଳମ୍ବ ହେବା ସହ ଦର୍ଶନ ବାଧାପ୍ରାପ୍ତ ହୋଇଛି। ଆହତ ସେବକଙ୍କ ନାମ ବାବୁଲି ପ୍ରଧାନ। ସିଂହଦ୍ବାର ଥାନା ପୁଲିସ ଦୁଇଜଣଙ୍କୁ ଅଟକ ରଖିଛି। ସନ୍ଧ୍ୟା ସୁଦ୍ଧା ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।
ସୂଚନା ଅନୁଯାୟୀ ଅପରାହ୍ଣ ୩ଟା ୩୦ରେ ମଧ୍ୟାହ୍ନ ଧୂପ ଶେଷ ହୋଇଥିଲା। ସେଥିରେ ଦୁଇଟି କୋଠଭୋଗ ପିଠା ରହିଥିଲା। ପିଠା ନେବା ପାଇଁ ଜଣେ କର୍ମଚାରୀ ସେଠାକୁ ଯାଇଥିଲେ। ସେବକ ଜଣଙ୍କ ପିଠା ଧରିବା ମାତ୍ରେ କର୍ମଚାରୀ ତାଙ୍କଠାରୁ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ଗର୍ଭଗୃହ ଭିତରେ ଦୁଇଜଣ ମୁଥ ମରାମରି ହୋଇଥିଲେ। ଅନ୍ୟ ସେବକ ଏବଂ କର୍ମଚାରୀ ସେଠାରେ ଛିଡ଼ା ହୋଇ ଏହାକୁ ନିରବରେ ଦେଖୁଥିଲେ। କିଛି ସମୟ ପରେ କର୍ମଚାରୀ ଓ ସେବକ ସେଠାରୁ ଚାଲି ଯାଇଥିଲେ। ଗର୍ଭଗୃହ ଭିତରେ ସେବକଙ୍କ ରକ୍ତ ଛିଟା ପଡ଼ିବାରୁ ଶ୍ରୀଜୀଉଙ୍କୁ ମହାସ୍ନାନ କରାଯାଇଛି। ସନ୍ଧ୍ୟା ୬ଟା ୧୦ ରେ ମହାସ୍ନାନ ଶେଷ ହୋଇଛି। ଠାକୁରଙ୍କ ସମ୍ମୁଖରେ ସେବକ ପିଟାପିଟି ହେବା ଏବଂ ରକ୍ତ ଛିଟା ପଡ଼ିବା ଘଟଣା କିଛି ନୂଆନୁହେଁ। ମନ୍ଦିର ପ୍ରଶାସନର କଠୋର କାର୍ଯ୍ୟାନୁଷ୍ଠାନ ଅଭାବରୁ ବାରମ୍ବାର ଏଭଳି ଅଘଟଣ ଘଟୁଛି। ପୁଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।



