www.samajalive.in
Saturday, December 6, 2025
19.1 C
Bhubaneswar

୫-ଟି ସ୍କୁଲକୁ ବର୍ଷେ ପୁରିନି, ଖସିଲା ସିଲିଂ

ରେଙ୍ଗାଲିକ୍ୟାମ୍ପ: ପଦାକୁ ଆସିଲା ୫-ଟି ବିଦ୍ୟାଳୟର ଅସଲ ଚିତ୍ର। ବିଦ୍ୟାଳୟକୁ ୫-ଟି ରୂପାନ୍ତରିତ ହେବା ବର୍ଷେ ପୂରିନି, ଖସିପଡ଼ିଛି ବିଜ୍ଞାନଗାରର ସିଲିଂ। ପିଲାମାନେ ବିଜ୍ଞାନଗାରରେ ପରୀକ୍ଷା କରୁଥିବା ବେଳେ ନିମ୍ନ ମାନର କାମ ଯୋଗୁଁ ସିଲିଂ ଖସିପଡିଛି। ସୌଭାଗ୍ୟବଶତଃ କୌଣସି ଛାତ୍ରଛାତ୍ରୀ ଏଥିରେ ଆହତ ହୋଇ ନାହାନ୍ତି। ଅତାବିରା ବ୍ଲକ ଝିଲିମିଣ୍ଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏପରି ଘଟଣା। ସୋମବାର ଛାତ୍ରଛାତ୍ରୀ ବିଜ୍ଞାନଗାରରେ ପରୀକ୍ଷଣ କରୁଥିବା ସମୟରେ ହଠାତ୍ ଗୋଟିଏ ପଟର ସିଲିଂ ଧଡ୍ ଧାଡ ହୋଇ ଖସିଥିଲା। ସୌଭାଗ୍ୟବଶତଃ ପିଲାମାନେ ଯେଉଁ ପଟେ ଥିଲେ, ସେପଟେ ଖସି ନାହିଁ। କିନ୍ତୁ ପିଲାମାନେ ଭୟ କରୁଛନ୍ତି ବିଜ୍ଞାନଗାରକୁ ଯିବା ପାଇଁ। ଏହି ବିଦ୍ୟାଳୟଟି ୫-ଟି ରୂପାନ୍ତରଣ ହେବା ପରେ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ମନରେ ଖୁସିର ଲହରୀ ଖେଳିଥିଲା। ପିଲାମାନେ ସ୍ମାର୍ଟ ରୁମରେ ପଢ଼ିବେ, ବିଜ୍ଞାନ ଗାରରେ ପରୀକ୍ଷା କରି ଅନେକ ନୂତନ କଥା ଜାଣିବେ, ଜ୍ଞାନ ଆହରଣ କରିବେ ବୋଲି। କିନ୍ତୁ ଆଜିର ଏହି ଘଟଣା ପରେ କାଳେ ଆଉ କେଉଁ କୋଠରୀରୁ ସିଲିଂ ଖସି ପଡ଼ିବ ବୋଲି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଶ୍ରେଣୀ କୋଠରୀ ଭିତରେ ବସି ପଢିବା ପାଇଁ ମଧ୍ୟ ଭୟ କରୁଛନ୍ତି ଛାତ୍ରଛାତ୍ରୀ।

୪୫ ଲକ୍ଷ ଟଙ୍କା ସରକାରୀ ୫-ଟି ଅନୁଦାନ, ୧୦ ଲକ୍ଷ ବିଧାୟିକା ପାଣ୍ଠିରୁ, ୧୪ ଲକ୍ଷ ୪୯ ହଜାର ପଞ୍ଚାୟତ ତରଫରୁ ଓ ୩ ଲକ୍ଷ ଆର୍ ଏସ ଡବ୍ଲ୍ୟୁ ପକ୍ଷରୁ ମୋଟ ୭୨ ଲକ୍ଷ ୪୯ ହଜାର ଟଙ୍କାର ମୂଲ୍ୟରେ ୫-ଟିରେ ରୂପାନ୍ତରଣ ହୋଇଥିଲା ଏହି ବିଦ୍ୟାଳୟ। ହେଲେ କେତେ ନିମ୍ନ ମାନର କାମ ହୋଇଛି, ଯାହା ଫଳରେ ବର୍ଷେ ନ ପୁରୁଣୁ ଖସି ପଡୁଛି ସିଲିଂ। ଯଦି ଶ୍ରେଣୀ କୋଠରୀ ଭିତରେ ଛାତ୍ରଛାତ୍ରୀମାନେ ପଢୁଥିବା ସମୟରେ ଏହି ଘଟଣା ଘଟିଥାନ୍ତା, ତେବେ କଣ ହୋଇଥାନ୍ତା ପରିସ୍ଥିତି, ଆଉ ଭବିଷ୍ୟତରେ ଏହା ମଧ୍ୟ ନ ଘଟିବ, ତାହା କିଏ କହିବ ? ତେବେ ୫-ଟି ବିଦ୍ୟାଳୟ କେଉଁ ଉଦ୍ଦେଶ୍ୟରେ, କାହା ସ୍ୱାର୍ଥରେ ବୋଲି ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ପ୍ରଶ୍ନ ଉଠିଛି। ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଥମେ ସ୍କୁଲ୍ ପରିଚାଳନା କମିଟିକୁ ଡକାଇ ଅବଗତ କରିଥିଲେ। କିନ୍ତୁ କମିଟିର ସଭାପତି ଅନୁପସ୍ଥିତ ଥିବାରୁ ମୋ ସ୍କୁଲ୍ ଅଭିଯାନର ସଭାପତିଙ୍କୁ ଡକାଇ ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ବିଶଦ ଆଲୋଚନା କରିଥିଲେ। ତେବେ ୫-ଟି ବିଦ୍ୟାଳୟ ନିର୍ମାଣରେ କେତେ ସ୍ବଚ୍ଛତା ରହିଛି, ଏଥିରୁ ତାହା ବେଶ୍ ସ୍ପଷ୍ଟ ଅନୁମେୟ। ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ଉପରେ କଠୋର ପଦକ୍ଷେପ ନିଅନ୍ତୁ ବୋଲି କମିଟି ପକ୍ଷରୁ ଦାବୀ ହୋଇଛି। ତେବେ ବ୍ଲକର ସମସ୍ତ ୫-ଟି ସ୍କୁଲଗୁଡ଼ିକରେ ଆଜି ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories