www.samajalive.in
Wednesday, December 10, 2025
18.1 C
Bhubaneswar

ସାକ୍ଷିଗୋପାଳ ମନ୍ଦିରରେ ଲାଗିବ ସିସିଟିଭି, ଭିଆଇପି ପାସ୍‍ ବନ୍ଦ

ପୁରୀ : ଅଁଳାନବମୀରେ ଭିଆଇପି ପାସ୍‍ ବ୍ୟବସ୍ଥା ଚଳିତବର୍ଷ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। କୌଣସି ବ୍ୟକ୍ତି ଅନଧିକାର ଭାବେ ଯଦି ଭିଆଇପି ପାସ୍‍ ମୁଦ୍ରଣ, ବିକ୍ରି କିମ୍ବା ବ୍ୟବହାର କରନ୍ତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗତବର୍ଷର ଦର୍ଶନ ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା କରାଯାଇଥିବା ରାଜ୍ୟ ଦେବୋତ୍ତର କମିଶନର ବିରଜା ପ୍ରସାଦ ଦତ୍ତ ପ୍ରକାଶ କରିଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସେ ଗୁରୁବାର ନିର୍ଦେଶନାମା ଜାରି କରିଛନ୍ତି। ସାକ୍ଷିଗୋପୀନାଥଙ୍କ ମନ୍ଦିରର ବିଭିନ୍ନ ସ୍ଥାନରେ ପୁନର୍ବାର କ୍ଲୋଜସର୍କିଟ କ୍ୟାମେରା ଲଗାଇବାକୁ ସେ ନିର୍ଦେଶ ଦେଇଛନ୍ତି। ଭକ୍ତଙ୍କ ଗହଳି ନିୟନ୍ତ୍ରଣ ସମେତ ବିଶୃଙ୍ଖଳାକାରୀଙ୍କ ଉପରେ ତୀକ୍ଷ୍‍ଣ ନଜର ରଖିବା ପାଇଁ ମନ୍ଦିରରେ କ୍ୟାମେରା ଲଗାଇବାର ଆବଶ୍ୟକତା ରହିଥିବା ସେ ଉଲ୍ଲେଖ କରିଛନ୍ତି। ଅଁଳାନବମୀ ଦିନ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ମନ୍ଦିର ଭିତରେ ୪ଗୋଟି ହୁଣ୍ଡିବାକ୍ସ ବସାଯିବ। ଭକ୍ତମାନେ ହୁଣ୍ଡିବାକ୍ସ ବ୍ୟତୀତ ଅନ୍ୟ କାହାରିକୁ ଦାନଦକ୍ଷିଣା ନଦେବାକୁ ଟ୍ରଷ୍ଟବୋର୍ଡ ପକ୍ଷରୁ ସୂଚନାଫଳକ ମାଧ୍ୟମରେ ଅନୁରୋଧ କରାଯିବ। ସ୍ୱତନ୍ତ୍ର ଦର୍ଶନ ପାଇଁ ମନ୍ଦିର ଟ୍ରଷ୍ଟବୋର୍ଡ କାହାରିକୁ ଟୋକନ ଦେଇପାରିବେ ନାହିଁ। ପାଳିଆ ସେବକ, ମନ୍ଦିର କର୍ମଚାରୀଙ୍କ ପାଇଁ ଦେବୋତ୍ତର କମିଶନରଙ୍କ ପକ୍ଷରୁ ଡ୍ୟୁଟି ପାସ୍‍ ପ୍ରଦାନ କରାଯିବ। କମିଶନରଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ ମନ୍ଦିର ଭିତରେ ଉପସ୍ଥିତ ରହି ଦର୍ଶନ ତଥା ଦାନଦକ୍ଷିଣା ଆଦାୟ ବ୍ୟବସ୍ଥା ଅନୁଧ୍ୟାନ କରିବେ। ଦିବ୍ୟାଙ୍ଗଙ୍କ ପାଇଁ ପୁଲିସ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବ। ସେବକ ପରିବାର ଲୋକେ ଅଁଳାନବମୀ ଦିନ ସକାଳ ୫ଟାରୁ ୬ଟା ମଧ୍ୟରେ ମନ୍ଦିରକୁ ଯାଇ ଗୋପୀନାଥଜୀଉଙ୍କ ସମେତ ରାଧାରାଣୀଙ୍କୁ ଦର୍ଶନ କରିବେ। ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଅଁଳାନବମୀ ଦିନ ମନ୍ଦିର ପରିସରରେ କୌଣସି ଦୋକାନ ରହିପାରିବ ନାହିଁ। ସେଗୁଡିକୁ ଉଚ୍ଛେଦ କରିବା ପାଇଁ ପୁଲିସ ଓ ଟ୍ରଷ୍ଟବୋର୍ଡ ଅଧିକାରୀଙ୍କୁ କମିଶନର ଶ୍ରୀ ଦତ୍ତ ନିର୍ଦେଶ ଦେଇଛନ୍ତି। ମନ୍ଦିର ଭିତର ବେଢାରେ କେତେକ ଦୋକାନ ରହିଥିବା ଯୋଗୁଁ ଭକ୍ତଙ୍କ ଦର୍ଶନ ତଥା ଗହଳି ନିୟନ୍ତ୍ରଣରେ ସମସ୍ୟା ଦେଖାଦେଉଥିବା କମିଶନର କହିଛନ୍ତି। ଶ୍ରଦ୍ଧାଳୁ ଭକ୍ତମାନେ ବ୍ୟାରିକେଡ ଦେଇ ମନ୍ଦିର ଗର୍ଭଗୃହକୁ ଯିବେ କିନ୍ତୁ ଠାକୁରଙ୍କୁ ସ୍ପର୍ଶ କରିପାରିବେ ନାହିଁ। ଦୁଇ ତିନିଫୁଟ ଦୂରରେ ଛିଡାହୋଇ ଦର୍ଶନ କରିବାକୁ ନିର୍ଦେଶ ଦିଆଯାଇଛି। ଅଁଳାନବମୀରେ ଶ୍ରୀରାଧାପାଦ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ବୃଦ୍ଧି ପାଉଥିବାରୁ ଚଳିତବର୍ଷ ଅନ୍ୟୁନ ୧୬ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜନ ନିମନ୍ତେ ଦେବୋତ୍ତର କମିଶନର ଶ୍ରୀ ଦତ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ପରାମର୍ଶ ଦେଇଛନ୍ତି। ଜିଲା ପ୍ରଶାସନ ଏବଂ ପୁଲିସ ବିଭାଗର ଅଧିକାରୀମାନେ ମନ୍ଦିର ଭିତରେ ଉପସ୍ଥିତ ରହି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ଗହଳି ନିୟନ୍ତ୍ରଣ ନିମନ୍ତେ ଚିଠିରେ କୁହାଯାଇଛି। ମନ୍ଦିର ପରିସରରୁ ଅନଧିକୃତ ବ୍ୟକ୍ତିଙ୍କୁ ବାହାର କରିଦେବା ପାଇଁ ଶ୍ରୀ ଦତ୍ତ ନିର୍ଦେଶ ଦେଇଥିବା ଜଣାପଡିଛି। ଗତବର୍ଷ ପରି ଚଳିତବର୍ଷ କୌଣସି ସଂଗଠନ କିମ୍ବା ବ୍ୟକ୍ତି ଅନଧିକାର ଭାବେ ଭିଭିଆଇପି ପାସ୍‍ ଛାପି ମନ୍ଦିର ଭିତରକୁ ଯେପରି କାହାକୁ ନ ଛାଡନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଟ୍ରଷ୍ଟବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।

Hot this week

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

Related Articles

Popular Categories