ସଂଶୟ ବଢ଼ାଉଛି ସୀମାଙ୍କ କାହାଣୀ

ରାଷ୍ଟ୍ରପତିଙ୍କୁ ବିବାହ ଫଟୋ ପଠାଇ ରାଜକ୍ଷମା ଆବେଦନ, ଗୁପ୍ତଚର ନୁହେଁ, ଭୟରେ ଲୁଚି ପଳାଇ ଆସିଥିବା ଦାବି

ନୂଆଦିଲ୍ଲୀ : ପ୍ରେମ ଆଳରେ ଭାରତ ଆସିଥିବା ସନ୍ଦିଗ୍ଧ ପାକିସ୍ତାନୀ ମହିଳା ସୀମା ହାଇଦରଙ୍କୁ ନେଇ ଯେତିକି କଳ୍ପନାଜଳ୍ପନା ପ୍ରକାଶ ପାଉଛି ସେତିକି ସଂଶୟ ବଢ଼ାଉଛି । ଭାରତୀୟ ଗୁଇନ୍ଦା ବ୍ୟୁରୋ(ଆଇବି) ଓ ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧୀ ବାହିନୀ(ଏଟିଏସ୍‌) ପକ୍ଷରୁ ଦୁଇ ଦିନର ପଚରାଉଚୁରାବେଳେ ସୀମାଙ୍କ ସମ୍ପର୍କରେ ସଂଗ୍ରହ କରିଥିବା ରୋମାଞ୍ଚକର ତଥ୍ୟ ସନ୍ଦେହ ବଢ଼ାଇ ଦେଇଛି। ସୀମାଙ୍କ ଭାରତ ଆଗମନ, ବିବାହ ଓ ହିନ୍ଦୁ ରୀତିନୀତିରେ ଚଳିବା ପଛରେ ବଡ଼ ରହସ୍ୟ ରହିଥିବା ଏଥିରୁ ସ୍ପଷ୍ଟ ହୋଇଛି। ଏପରିସ୍ଥଳେ ପାକିସ୍ତାନ ପକ୍ଷରୁ ସୀମାଙ୍କ ସହ କୂଟନୈତିକ ଯୋଗାଯୋଗ ସ୍ଥାପନ ପାଇଁ ଭାରତକୁ ନିବେଦନ କରାଯାଇଛି। ପାକିସ୍ତାନୀ ଗୁଇନ୍ଦା ଦେଶର ସରକାରଙ୍କୁ ଜଣାଇଛି ଯେ ସୀମା ପ୍ରସଙ୍ଗ ଏକ ପ୍ରେମ ବ୍ୟାପାର। ଏହା ସତ୍ତ୍ବେ ପାକିସ୍ତାନରେ ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେବା ସହ ଭୟର ବାତାବରଣ ସୃଷ୍ଟି କରିଛି। ଅପରପକ୍ଷରେ ସେ ନିଜ ବିବାହ ସମୟର ଫଟୋ ଭାରତର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ସହ ଆଦୌ ଗୁପ୍ତଚର ନୁହେଁ ; ପାକିସ୍ତାନୀଙ୍କ ଭୟରେ ଲୁଚି ପଳାଇ ଆସିଛନ୍ତି ବୋଲି ଦାବି କରିଛନ୍ତି। ତାଙ୍କୁ ରାଜକ୍ଷମା ପ୍ରଦାନ ସହ ଭାରତର ନାଗରିକତା ପ୍ରଦାନ କରିବାକୁ ସୀମା ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସେ ସମାନ ନିବେଦନ କରିଛନ୍ତି। ନେପାଳରେ ହିଁ ସେ ସଚିନଙ୍କୁ ବିବାହ କରିଥିବା ଏଥିରେ ଦର୍ଶାଇଛନ୍ତି।
ତଦନ୍ତରୁ ମିଳିଥିବା ସୂଚନାନୁସାରେ ସୀମାଙ୍କ ଘର ସିନ୍ଧୁ ପ୍ରଦେଶରେ ହୋଇଥିଲାବେଳେ ସେ କରାଚୀରେ ଗତ ତିନି ବର୍ଷ ଧରି ଭଡ଼ା ଘରେ ରହୁଥିଲେ। ସେଠାରୁ ପ୍ରାୟ ତିନି ମାସ ପୂର୍ବେ ନିଜର ୪ ସନ୍ତାନଙ୍କ ସହ ପାକିସ୍ତାନ ଛାଡ଼ିଥିଲେ। କାଠମାଣ୍ଡୁର ଏକ ହୋଟେଲରେ ଗତ ମାର୍ଚ୍ଚ ୧୦ରୁ ୧୭ ପର୍ଯ୍ୟନ୍ତ ସେ ପ୍ରଥମ ଥର ଏକାକୀ ପ୍ରେମିକ ସଚିନ ମୀଣାଙ୍କୁ ଭେଟିବା ସହ ତାଙ୍କ ସହିତ ୭ ଦିନ ବିତାଇଥିଲେ। ପରେ ମେ’ ମାସରେ ପାକିସ୍ତାନ ସରକାରଙ୍କଠାରୁ ପାଇଥିବା ଦୁଇ ସପ୍ତାହର ପର୍ଯ୍ୟଟକ ଭିସା ଜରିଆରେ ସେ ପ୍ରଥମେ ଦୁବାଇ ଯାଇ ସେଠାରୁ ପୁଣି କାଠମାଣ୍ଡୁ ଆସିଥିଲେ। ମେ’ ୧୦ରେ ସେ ଭାରତରେ ପ୍ରବେଶ କରିବା ସହ ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗର, ଲକ୍ଷ୍ନୌ ଓ ଆଗ୍ରା ଦେଇ ମେ’ ୧୨ରେ ଗ୍ରେଟର ନଏଡ଼ାରେ ପହଞ୍ଚିଥିଲେ। ସେ ଖୁବ୍‌ ଆଧୁନିକା ବୋଲି ଏଟିଏସ୍‌ ଅନୁଭବ କରିଛି। ତାଙ୍କଠାରୁ ଜବତ ୪ଟି ମୋବାଇଲ ଓ ୫ଟି ପାକିସ୍ତାନୀ ପାସପୋର୍ଟ ମଧ୍ୟରୁ ଗୋଟିଏ ପାସପୋର୍ଟ ବ୍ୟବହାର ହୋଇଛି। ସେ କାଠମାଣ୍ଡୁ ହୋଟେଲରୁ କାର୍‌ରେ ନେପାଳର ପୋଖରାକୁ ଆସିବା ପରେ ‘ପ୍ରୀତି’ ନାମରେ ସେଠାରୁ ବସ୍‌ ଯୋଗେ ୪ ପିଲାଙ୍କ ସହ ଭାରତରେ ପ୍ରବେଶ କରିଥିଲେ। ତାଙ୍କର ନକଲି ଆଧାର ପରିଚୟପତ୍ର ଥିଲା। ସେ ୪ଟି ସିଟ୍‌ ଅଧିକାର କରିଥିଲେ ଏବଂ ତାଙ୍କ ପାଖରେ ନେପାଳୀ ମୁଦ୍ରା ନଥିଲା ବୋଲି ସମ୍ପୃକ୍ତ ବସ୍‌ ମ୍ୟାନେଜର ପ୍ରସନ୍ନ ଗୌତମ୍ କହିଛନ୍ତି। ବସ୍ ଭଡ଼ା ବାବଦ ୩୭୫୦ ଟଙ୍କା ସେ ଭାରତୀୟ ପ୍ରେମିକ ସଚିନଙ୍କ ମାଧ୍ୟମରେ ୟୁପିଆଇରେ ପ୍ରଦାନ କରିଥିଲେ। ସେ ବସ୍‌ ଟିକଟ କିଣିବା ସମୟରେ ମୋବାଇଲ ଫୋନ୍‌ରେ ୱାଇଫାଇ ସଂଯୋଗ କରି ସଚିନଙ୍କ ସହ କଥା ହୋଇଥିଲେ। ପୁନଶ୍ଚ ପୋଖରାରୁ ନଏଡ଼ାରେ ପହଞ୍ଚିବା ପର୍ଯ୍ୟନ୍ତ ସେ ଭାରତୀୟ ମୁଦ୍ରାରେ ପ୍ରାୟ ୭ହଜାର ଟଙ୍କା ବ୍ୟୟ କରିଥିଲେ।
ଅଧିକ ତଥ୍ୟ ସଂଗ୍ରହ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ନେପାଳ ଯିବେ ବୋଲି ଏଟିଏସ୍‌ ପକ୍ଷରୁ କୁହାଯାଇଛି। ସୀମାଙ୍କୁ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ଦ୍ବାରା ବ୍ୟବହୃତ କେତେକ ସାଙ୍କେତିକ ଶବ୍ଦ ସମ୍ପର୍କରେ ପଚରା ଯାଇଥିଲା; କିନ୍ତୁ ସେ ନିରବ ରହିଥିଲେ। ତାଙ୍କ ଭାଇ ଓ ଜଣେ ସମ୍ପର୍କୀୟ ପାକିସ୍ତାନ ସେନାରେ ନିଯୁକ୍ତ ଥିବା ସେ ସ୍ବୀକାର କରିଛନ୍ତି ବୋଲି ଏଟିଏସ୍‌ ସ୍ବତନ୍ତ୍ର ମହାନିର୍ଦେଶକ ପ୍ରଶାନ୍ତ କୁମାର କହିଛନ୍ତି। ସୀମା ହାଇଦର ଏବେ ନିଜକୁ ସୀମା ମୀଣା ଭାବେ ପରିଚୟ ଦେବା ସହ ନିଜ ୪ ପିଲାଙ୍କ ନାମ ମଧ୍ୟ ହିନ୍ଦୁ ଧର୍ମାନୁସାରେ ପରିବର୍ତ୍ତନ କରିଛନ୍ତି।

Comments are closed.