www.samajalive.in
Monday, December 8, 2025
24.1 C
Bhubaneswar

୪୬ ଡିଗ୍ରୀ ଟପିବ ତାତି

ଭୁବନେଶ୍ବର : ସାରା ରାଜ୍ୟରେ ପ୍ରଚଣ୍ଡ ରୌଦ୍ର ପ୍ରବାହ ଜାରି ରହିଛି। ପଶ୍ଚିମରୁ ଉପକୂଳ ଏବଂ ଦକ୍ଷିଣରୁ ଉତ୍ତର ଓଡ଼ିଶା ସବୁଠି ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି। ସକାଳ ୮ଟାରୁ ତାତି ମାଡ଼ି ଆସୁଥିବା ବେଳେ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିବା ହେତୁ ଭୀଷଣ ଗୁଳୁଗୁଳି ହେଉଛି। ତାତିରୁ ନିସ୍ତାର ମିଳୁ ନ ଥିବାବେଳେ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ, ଆଗାମୀ ୩ଦିନ ପର୍ଯ୍ୟନ୍ତ କିଛି ଜିଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ଲାଗି ରହିବ। ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ସାମାନ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି। ରବିବାର ବଲାଙ୍ଗୀର ଏବଂ ବରଗଡ଼ରେ ତାପମାତ୍ରା ସର୍ବାଧିକ ୪୪.୫ଡିଗ୍ରୀ ରେକର୍ଡ ହୋଇଛି। ଝାରସୁଗୁଡ଼ା ୪୪.୪ ଏବଂ ସୁବର୍ଣ୍ଣପୁରରେ ୪୪.୩ ଡିଗ୍ରୀ ଛୁଇଁଛି। ଉପରୋକ୍ତ ସହର ଗୁଡିକ ଉତ୍ତପ୍ତ ରହିଛି। ୩୦ଟି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି।
ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାତି ଅନୁଭୂତ ହେବାର ସମ୍ଭାବନା ରହିଛି। ଆଗାମୀ ସପ୍ତାହରେ ବି ତାପମାତ୍ରା ବଢ଼ିବା ଦ୍ବାରା ଭୀଷଣ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି କୁହାଯାଇଛି। ୧୬ ଓ ୧୭ ତାରିଖରେ ଭୁବନେଶ୍ବର ତାପମାତ୍ରା ୪୩ ଡିଗ୍ରୀ ଟପିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଏହାସହିତ ଆଭ୍ୟନ୍ତରୀଣ ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ ଏବଂ ପଶ୍ଚିମାଞ୍ଚଳର କେତେକ ସ୍ଥାନରେ ୪୬ ଡିଗ୍ରୀ ତାପମାତ୍ରା ଅତିକ୍ରମ କରିବ। ଉପକୂଳ ଓଡ଼ିଶାର ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ପାଇବା ଦ୍ବାରା ଭୀଷଣ ଗୁଳୁଗୁଳି ଅନୁଭୂତ ହୋଇପାରେ। ଏଥିସହିତ ଝାଞ୍ଜି ପବନ ବହିବାର ସମ୍ଭାବନା ଥିବାରୁ ଗରମ ଓ ଗୁଳୁଗୁଳି ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଇଛି। ଆଭ୍ୟନ୍ତରୀଣରେ ୨୦ତାରିଖ ପର୍ଯ୍ୟନ୍ତ ଗରମ ବଳବତ୍ତର ରହିବାକୁ ଥିବାବେଳେ ମୌସୁମୀ ଆସିବା ପରେ ପଶ୍ଚିମରେ ତାପମାତ୍ରା କମିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ଆଉ ଦୁଇଦିନ ପରେ ରଜ। ହେଲେ ଏପର୍ଯ୍ୟନ୍ତ ମୌସୁମୀ ବାୟୁ ଓଡ଼ିଶା ଆସିନାହିଁ। ମୌସୁମୀ ଆସିବାରେ ବିଳମ୍ବ ହେଉଥିବାରୁ ଅସହ୍ୟ ତାତି କଲବଲ କରୁଛି। ଅନେକ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକରୁ ୫ରୁ ୬ଡିଗ୍ରୀ ଅଧିକ ରହୁଛି। ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ସହିତ ତତଲା ପବନ ଅସ୍ତବ୍ୟସ୍ତ କରି ପକାଉଛି। ରବିବାର ହୀରାକୁଦ ୪୩.୧, ବୌଦ୍ଧ ୪୩.୫, ଟିଟିଲାଗଡ଼, ସୁନ୍ଦରଗଡ଼ ଏବଂ ଭବାନୀପାଟଣାରେ ୪୩, ସମ୍ବଲପୁର ୪୩.୬, ଭୁବନେଶ୍ବର ୪୨.୬ ଏବଂ କଟକରେ ୪୧.୬ ଡିଗ୍ରୀ ରେକର୍ଡ ହୋଇଛି।
ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର ଏବଂ କେନ୍ଦୁଝରକୁ ଗ୍ରୀଷ୍ମ ପ୍ରବାହ ନେଇ କମଳା ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼, ନୂଆପଡ଼ା, କନ୍ଧମାଳ ଏବଂ ମୟୂରଭଞ୍ଜକୁ ଗ୍ରୀଷ୍ମ ପ୍ରବାହ ପାଇଁ ହଳଦିଆ ସତର୍କ ସୂଚନା ଦିଆଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଏବଂ ମୟୂରଭଞ୍ଜକୁ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଅତି ଜରୁରୀ କାମ ନ ଥିଲେ ବାହାରକୁ ନ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୩ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ କିଛି ଅଞ୍ଚଳରେ ତାପମାତ୍ରା ସ୍ବାଭାବିକରୁ ୪ରୁ ୬ଡିଗ୍ରୀ ଅଧିକ ରହିବ। ତେଣୁ ତାପମାତ୍ରା ବୃଦ୍ଧିର ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ଜିଲାପାଳ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ସତ୍ୟବ୍ରତ ସାହୁ ନିର୍ଦେଶ ଦେଇଛନ୍ତି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଆରବ ସାଗର କିଛି ଅଞ୍ଚଳ, କର୍ଣ୍ଣାଟକର କିଛି ସ୍ଥାନ, ଗୋଆ, ତାମିଲନାଡୁ, ପୁଡୁଚେରୀ, ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳ, ଦକ୍ଷିଣ-ପଶ୍ଚିମ ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳକୁ ଅଗ୍ରସର ହୋଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ପଶୁପାଳକ କହିଛନ୍ତି, ଓଡ଼ିଶାରେ ମୌସୁମୀ କେବେ ଛୁଇଁବ ତାହା ବର୍ତ୍ତମାନ ଆକଳନ କରିବା କଷ୍ଟକର। ବିଭିନ୍ନ ଆକଳନରୁ ଜଣାପଡିଛି ଯେ, ୨୦ ତାରିଖ ପର୍ଯ୍ୟନ୍ତ ମୌସୁମୀ ରାଜ୍ୟକୁ ଆସିବା ସମ୍ଭାବନା କମ। ୧୮ରୁ ୨୦ ତାରିଖ ମଧ୍ୟରେ ରାଜ୍ୟରେ ହାଲୁକା ବର୍ଷା ହୋଇପାରେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories