www.samajalive.in
Tuesday, December 9, 2025
17.1 C
Bhubaneswar

‘ମଣିଷ ରୂପୀ ଦେବତା ଥିଲେ ଗୋପବନ୍ଧୁ’

କଟକ : ମହାନ୍‍ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ମଣିଷ ରୂପୀ ଦେବତା ଥିଲେ। ଅନେକ ଅନୁଷ୍ଠାନ ତିଆରି କରି ସେ ନିଜେ ଏକ ଅନୁଷ୍ଠାନ ପାଲଟି ଯାଇଥିଲେ। ସର୍ବଜନାଦୃତ ‘ସମାଜ’ ଖବରକାଗଜର ପ୍ରତିଷ୍ଠାତା ଗୋପବନ୍ଧୁ ପୃଥିବୀର ମଣି ବୋଲି ଗୋପବନ୍ଧୁ ଜ୍ୟୋତିଯାତ୍ରାର ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟଅତିଥିଭାବେ ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ ମତବ୍ୟକ୍ତ କରିଛନ୍ତି।
ଗୋପବନ୍ଧୁ ଜ୍ୟୋତିଯାତ୍ରା ଗୁରୁବାର ପୂର୍ବାହ୍ଣରେ କଟକ ସହର ପରିକ୍ରମା କରିବା ପରେ ବିଜୁ ପଟ୍ଟନାୟକ ଛକସ୍ଥିତ ସାରସ୍ୱତପୀଠ ସାରଳାଭବନରେ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ବିଶିଷ୍ଟ ଅତିଥି ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ଇଂ ପ୍ରଭାକର ସ୍ୱାଇଁ କହିଲେ, ଓଡ଼ିଆ ସାହିିତ୍ୟ, ସଂସ୍କୃତି, ଜାତୀୟ ଚେତନା ଓ ଅସ୍ମିତାର ପ୍ରତୀକ ହେଉଛନ୍ତି ପଣ୍ଡିତ ଗୋପବନ୍ଧୁ। ତାଙ୍କର ୫୧ ବର୍ଷ ସାଧନାସିକ୍ତ ଜୀବନ ପାଇଁ ସେ ପ୍ରଣମ୍ୟ। ସେ ଥିଲେ ତ୍ୟାଗ, ତିତିକ୍ଷାର ମୂର୍ତ୍ତିମନ୍ତ ପ୍ରତୀକ। ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ଏକ ମଣିଷ ତିଆରି କାରଖାନା। ଓଡ଼ିଶା ଇତିହାସରେ ସତ୍ୟବାଦୀ ଯୁଗ ଥିଲା ଏକ ସୁବର୍ଣ୍ଣ ଯୁଗ ଓ ଉଜ୍ଜ୍ୱଳ ଅଧ୍ୟାୟ। ଜାତୀୟ ଚେତନାରେ ଗୋପବନ୍ଧୁଙ୍କ ସ୍ୱର ହିଁ ପ୍ରତିଫଳିତ ହୋଇଥିଲା। ଗୋପବନ୍ଧୁଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ଓଡ଼ିଆଙ୍କ ହୃଦୟ ବେଦନାର କଥା ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ। ସମ୍ମାନିତ ଅତିଥିଭାବେ କଟକ ମହାନଗର ଶାନ୍ତି କମିଟି ସମ୍ପାଦକ ଭିକାରୀ ଦାସ ଉତ୍କଳମଣିଙ୍କ ପ୍ରତିଷ୍ଠିତ ‘ସମାଜ’ ନିରପେକ୍ଷତାର ନିଦର୍ଶନ। ଗୋପବନ୍ଧୁ ଜ୍ୟୋତି ଯାତ୍ରା ମାଧ୍ୟମରେ ସମାଜର ବିଭିନ୍ନ ବର୍ଗରଲୋକଙ୍କୁ ସମ୍ବର୍ଦ୍ଧିତ କରିବା ଏକ ନିଆରା ପରମ୍ପରା ବୋଲି ସେ କହିଥିଲେ। ସଭାରେ ଅଧ୍ୟକ୍ଷତା କରି ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ କହିଲେ, ଗୋପବନ୍ଧୁଙ୍କ ଶରୀର ମାଟିରେ ମିଶିଯାଇଛି। ଦେଶବାସୀ ତାଙ୍କ ପିଠିରେ ଚାଲିଯିବା ବଦଳରେ ତାଙ୍କୁ ନିଜ ମସ୍ତକରେ ଥୋଇ ମଣି କରିଛନ୍ତି, ତାହା ଜ୍ୟୋତି ଯାତ୍ରାରୁ ପ୍ରମାଣିତ ହୋଇଛି ବୋଲି ସେ କହିଥିଲେ।
ଲୋକସେବକ ମଣ୍ଡଳ କଟକ ଶାଖା ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ‘ସମାଜ’ର ବାର୍ତ୍ତା ସମ୍ପାଦକ ସୁଶାନ୍ତ ମହାନ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରି କହିଲେ, ଚଳିତ ବର୍ଷର ପ୍ରସଙ୍ଗ ‘ଶିକ୍ଷା ଓ ଶିକ୍ଷାୟତନର ଉନ୍ନତି’ କ୍ରମରେ କୃତୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଉଥିବା ସୂଚନା ଦେଇଥିଲେ। ‘ସମାଜ’ର ବ୍ୟୁରୋ ମୁଖ୍ୟ ସମରେନ୍ଦୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କଟକ ଜିଲାର ୨୮ଜଣ କୃତୀ ଶିକ୍ଷକ, ପ୍ରବନ୍ଧ ଚିତ୍ରାଙ୍କନ ପ୍ରତିଯୋଗିତାର ଶ୍ରେଷ୍ଠ ୩ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ‘ସମାଜ’ର ବାର୍ତ୍ତା ସମ୍ପାଦକ ତପନ ମିଶ୍ର, କଟକ ବ୍ୟୁରୋ ମୁଖ୍ୟ ସୁରେନ୍ଦ୍ର ପଲାଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଜଗତସିଂହପୁର ଜିଲା ଶାରଳାପୀଠରୁ ଆସିଥିବା ମା’ ଶାରଳା ଘଟ ନୃତ୍ୟ ଓ କଳିକା ତାଣ୍ଡବ କଳା ପରିଷଦ ପକ୍ଷରୁ ଗୁରୁ ରମାକାନ୍ତ ରାଉଳଙ୍କ ପରିଚାଳନାରେ ମହିଷମର୍ଦିନୀ ନୃତ୍ୟ, ଘଟ ନୃତ୍ୟ, କାଳିକା ନୃତ୍ୟ ପରିବେଷିତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଅମୃତ ମଣୋହିପାଟଣା (ଆଠଗଡ଼)ର ରାସେଶ୍ୱରୀ ଧୁଡ଼ୁକି ନାଟ୍ୟ ସଂଗଠନ ପକ୍ଷରୁ ପରିବେଷିତ ଧୁଡ଼ୁକି ନୃତ୍ୟ ଅତ୍ୟନ୍ତ ମନୋମୁଗ୍ଧକର ହୋଇଥିଲା। ଏହାବାଦ୍‍ ଚାନ୍ଦପୁର (ନୟାଗଡ଼)ର ମା’ ରାମଚଣ୍ଡୀ ପଶୁ ନୃତ୍ୟ ଓ ପ୍ରସେସନ, ବାଙ୍କୀର ଶନିଶ୍ଚର ସଂକୀର୍ତ୍ତନ ମଣ୍ଡଳୀ, ରଘୁନାଥ ସଂକୀର୍ତ୍ତନ ମଣ୍ଡଳୀ, ମା’ ମଙ୍ଗଳା ସଂକୀର୍ତ୍ତନ ମଣ୍ଡଳୀ ଜ୍ୟୋତି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories