www.samajalive.in
Monday, December 8, 2025
13.1 C
Bhubaneswar

ଏଜେଣ୍ଟ ଗୁଡୁ କୁମାର ସହ ଆଇଟିଆଇ ଶିକ୍ଷକର ଥିଲା ସମ୍ପର୍କ

ଭୁବନେଶ୍ବର : ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆ‌ଇ ହାତରେ ଓଡ଼ିଶା ସିମକାର୍ଡ ଘଟଣାରେ ଗିରଫ ୩ ଓଡ଼ିଆ ଅଭିଯୁକ୍ତଙ୍କୁ ୫ ଦିନିଆ ଜିମାରେ ଆଣିବା ପାଇଁ ସୋମବାର ଅଦାଲତରେ ଆବେଦନ କରିଛି କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର କାର୍ଯ୍ୟବଳ (ଏସ୍‌ଟିଏଫ୍‌)। ତିନି ଅଭିଯୁକ୍ତଙ୍କ ନାମରେ ୬୩ଟି ବ୍ୟାଙ୍କ ଜମାଖାତା (ଆକାଉଣ୍ଟ) ରହିଛି। ଏହାର ଖୋଳତାଡ କରିବା ପାଇଁ ଏସଟିଏଫ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନ୍‌ପିସିଆଇ)କୁ ମେଲ ଯୋଗେ ତଥ୍ୟ ମାଗିଛି। ମୁଖ୍ୟ ଅଭିଯୁକ୍ତ ପଠାଣିସାମନ୍ତ ଲେଙ୍କାର ଗୁମର ଖୋଲିବାରେ ଲାଗିଛି। ୨୦୨୨ ଡିସେମ୍ବରରେ ସିଲିଗୁଡିରୁ ଗିରଫ ହୋଇଥିବା ଆଇଏସଆଇ ଏଜେଣ୍ଟ ଗୁଡୁ କୁମାର ସହ ତା’ ସମ୍ପର୍କର ପ୍ରମାଣ ମିଳିଛି ବୋଲି ଏସଟିଏଫ ଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଏହି ଘଟଣାରେ ସମ୍ପୃକ୍ତ ନୟାଗଡ଼ ଜିଲା ଇଟାମାଟି ଅଞ୍ଚଳର ପଠାଣିସାମନ୍ତ ଲେଙ୍କା (୩୫), ନୟାଗଡ ଆଇଟିଆଇ କଲେଜ ଅଞ୍ଚଳର ସରୋଜ କୁମାର ନାୟକ (୨୬) ଓ ଯାଜପୁର ଜିଲା ବରୀ ଥାନା ସୁଜନପୁର ଅଞ୍ଚଳର ସୌମ୍ୟ ପଟ୍ଟନାୟକ (୧୯)ଙ୍କୁ ଏସଟିଏଫ ଗତକାଲି ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତ ପଠାଣିସାମନ୍ତ ପୂର୍ବରୁ ଏକ ଘରୋଇ ଆଇଟିଆଇରେ ଶିକ୍ଷକ ଥିଲା।
ଓଟିପି ସେୟାର କରି ପଠାଣିସାମନ୍ତ ଅନଲାଇନରେ ଟଙ୍କା ନେଉଥିଲେ। ଗତ ବର୍ଷ ହନିଟ୍ରାପ ମାମଲାରେ ରାଜସ୍ଥାନରୁ ଗିରଫ ମହିଳା ପାକିସ୍ତାନୀ ଗୁଇନ୍ଦା (ପିଆଇଓ) ଏଜେଣ୍ଟଙ୍କ ମଧ୍ୟସ୍ଥି ସାଜିଥିଲେ। ଠାବ ହୋଇଥିବା ୬୩ ଆକାଉଣ୍ଟରେ ଅଭିଯୁକ୍ତମାନେ ଏହି ଅର୍ଥ କାରବାର କରୁଥିଲେ। ମୋଟା ଅଙ୍କର ଟଙ୍କା ସେମାନେ ପାଉଥିଲେ। ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟଙ୍କ ଠାରୁ ସେମାନେ ଟଙ୍କା ନେଉଥିବା ସ୍ପଷ୍ଟ ହୋଇଛି। ଟଙ୍କା କାରବାରର ମାଷ୍ଟରମାଇଣ୍ଡ ଥିଲା ପଠାଣିସାମନ୍ତ। କେବେଠାରୁ ପାକିସ୍ତାନ ଆଇଏସଆଇ ଏଜେଣ୍ଟଙ୍କ ଠାରୁ ଟଙ୍କା ଆସୁଥିଲା, ଏବେସୁଦ୍ଧା କେତେ ଟଙ୍କାର କାରବାର ହୋଇଛି, ଏହାର ସବିଶେଷ ତଥ୍ୟ ପାଇବା ପାଇଁ ତଦନ୍ତକାରୀ ସଂସ୍ଥା ଏନପିସିଆଇକୁ ତଥ୍ୟ ମାଗିଛି।
ସାମାଜିକ ଗଣମାଧ୍ୟମ ଜରିଆରେ ଅଭିଯୁକ୍ତମାନେ ଭାରତରେ ଲୁଚିଥିବା ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସମ୍ପର୍କରେ ଆସିଥିଲେ ବୋଲି ଏସଟିଏଫ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପ୍ରାୟ ୨ ବର୍ଷ ହେବ ଅଭିଯୁକ୍ତମାନେ ସେମାନଙ୍କ ସମ୍ପର୍କରେ ଥିଲେ।‌ ‌ଗୁଇନ୍ଦାଗିରିରେ ପାକିସ୍ତାନୀ ଏଜେଣ୍ଟଙ୍କୁ ସହଯୋଗ କରୁଥିଲେ। ଗ୍ରାମାଞ୍ଚଳର ନିରୀହ ଲୋକଙ୍କୁ ଅଳ୍ପ କିଛି ଅର୍ଥ ଦେଇ ସେମାନଙ୍କ ପରିଚୟପତ୍ରରେ ଅଭିଯୁକ୍ତମାନେ ବିଭିନ୍ନ ଅଞ୍ଚଳରୁ ପୁଳାପୁଳା ସିମ୍‌କାର୍ଡ କିଣୁଥିଲେ। ସେହି ନମ୍ବରର ଓଟିପିକୁ ପାକିସ୍ତାନୀ ଏଜେଣ୍ଟଙ୍କୁ ବିକ୍ରି କରି ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ଓଡ଼ିଆ ଯୁବକଙ୍କ ହାତରେ ସିମକାର୍ଡ ରହୁଥିବା ବେଳେ ସେହି ନମ୍ବରରେ ପାକିସ୍ତାନୀ ଏଜେଣ୍ଟ ହ୍ବାଟ୍ସଆପ୍‌, ଟେଲିଗ୍ରାମ, ଇନଷ୍ଟାଗ୍ରାମ, ଫେସ୍‌ବୁକ୍‌ ଭଳି ସାମାଜିକ ଗଣମାଧ୍ୟମରେ ‌ଆକାଉଣ୍ଟ ଖୋଲି କାରବାର କରୁଥିଲେ। ଏପରିକି ସେମାନେ ଉକ୍ତ ନମ୍ବରରେ ଅନଲାଇନ ସପିଂ କରୁଥିଲେ। ଅନ୍ୟପଟେ ଓଡ଼ିଶାକୁ ନିଶାଣ କରିବା ପାକିସ୍ତାନୀ ଏଜେଣ୍ଟଙ୍କ ପାଇଁ ସହଜ ହେଉଛି। ସାଇବର ସୁରକ୍ଷାକୁ ନେଇ ଗ୍ରାମାଞ୍ଚଳ ଲୋକ ଏତେ ସଚେତନ ନାହାନ୍ତି। ସେମାନେ ଏହାର ଫାଇଦା ଉଠାଉଛନ୍ତି ବୋଲି ଜଣାପଡ଼ିଛି।
କିଏ ସେହି ଗୁଡୁ କୁମାର
ଗଣିତ ଶିକ୍ଷକରୁ ଆଇଏସଆଇ ଏଜେଣ୍ଟ ସାଜିଥିଲା ଗୁଡୁ କୁମାର। ପଶ୍ଚିମବଙ୍ଗରେ ବିଏସଫ କ୍ୟାମ୍ପ ନିକଟରେ ସେ ଅଟୋ ଚଳାଇବା ସହ ସେଠାରୁ ଗୁପ୍ତ ତଥ୍ୟ ପାକିସ୍ତାନକୁ ପଠାଉଥିଲା। ୨୦୨୨ ରେ ସିଲିଗୁଡିରୁ ତାକୁ ପଶ୍ଚିମବଙ୍ଗ ଏସଟିଏଫ ଗିରଫ କରିଥିଲା। ଗୁଡୁ ସହ ନୟାଗଡରୁ ଗିରଫ ପଠାଣୀ ସାମନ୍ତର ସମ୍ପର୍କ ଥିବା ପ୍ରମାଣ ମିଳିବା ପରେ ମାମଲା ଜଟିଳ ହୋଇଛି। କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ପାକିସ୍ତାନୀ ଗୁଇନ୍ଦା ଲୁଚିଛପି ରହି ସ୍ଥାନୀୟ ଯୁବକଙ୍କୁ ନିଜ ଜାଲରେ ଫସାଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories