www.samajalive.in
Wednesday, December 10, 2025
18.1 C
Bhubaneswar

ଧନ୍‌ତେରାସ୍‌: ଦରବୃଦ୍ଧି ସତ୍ତ୍ବେ ଚମକିଲା ସୁନା ବଜାର

ଭୁବନେଶ୍ୱର : ଆଜି ଥିଲା ସୁଖ ଆଉ ସମୃଦ୍ଧିର ଦିନ ଧନ୍‍ତେରାସ୍‍। ଏଥିପାଇଁ ଚମକୁଛି ସୁନା ବଜାର। ବିଶ୍ୱାସ ରହିଛି ଏହି ଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ଏହି ଆଧାରରେ ସୁନା କିଣିବା ଲାଗି ବର୍ଷ ତମାମ୍‍ ଲୋକେ ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି। ଏଥିଲାଗି ଆଜି ରାଜଧାନୀ ସମେତ ରାଜ୍ୟର ସମସ୍ତ ପ୍ରମୁଖ ସହରଗୁଡିକର ସୁନା ଗହଣା ଦୋକାନରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ। ଧନ୍‍ତେରାସ୍‍ ଅବସରରେ ସବୁଆଡେ ଚଳଚଞ୍ଚଳ ରହିଥିଲା ସୁନାଗହଣା କାରବାର। ଦିନସାରା ଶୋ’ ରୁମଗୁଡିକରେ ଲାଗି ରହିଥିଲା ଗ୍ରାହକଙ୍କ ଭିଡ। ଫଳରେ ଏଥର ଧନ୍‍୍‍ତେରାସ୍‍ରେ ରାଜଧାନୀରେ ୮୦ କୋଟିରୁ ଅଧିକ ଟଙ୍କାର ସୁନା ବିକ୍ରି ହୋଇଛି।
ସୋମବାର ଧନ୍‍ତେରାସ୍‍ ଅବସରରେ ରାଜଧାନୀର ଶୋ’ ରୁମ୍‍ଗୁଡିକରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ସନ୍ଧ୍ୟା ବେଳକୁ ଏହି ଭିଡ ଅସମ୍ଭାଳ ହୋଇଥିଲା। ଏହି ଶୁଭ ଦିନଟିରେ ମୂଲ୍ୟବାନ ଧାତବ ସାମଗ୍ରୀ କିଣିବା ସୁଯୋଗକୁ କେହି ହାତ ଛଡା କରିବାକୁ ଚାହିଁ ନ ଥିଲେ। ସପରିବାରେ ସମସ୍ତେ ଦୌଡିଥିଲେ ସୁନା ଦୋକାନକୁ। କେବଳ ବଡ କାହିଁକି ଛୋଟ ଶୋ’ ରୁମ୍‍ଗୁଡିକରେ ମଧ୍ୟ ଲାଗି ରହିଥିଲା ନାହିଁ ନ ଥିବା ଭିଡ। ବିଭିନ୍ନ ଶୋ ରୁମ୍‍ ପକ୍ଷରୁ ଘୋଷଣା ହୋଇଥିବା ଆକର୍ଷଣୀୟ ଅଫରବର୍ଷା ଗ୍ରାହକଙ୍କୁ ଟାଣି ଆଣିଥିଲା ଶୋ ରୁମ୍‍କୁ। କେଉଁ ଶୋ ରୁମ୍‍ ସୁନା ମୂଲ୍ୟ ଉପରେ ତ କିଏ କଏନ୍‍ ଆଉ କିଏ ଲକି ଡ୍ର ଅଫର ଦେଇଥିଲା। ଏଥିରେ ସୁନା ଏବଂ ହୀରା ଗହଣାର ଗଢାମଜୁରିରେ ମଧ୍ୟ ମନ ଛୁଆଁ ରିଆତି ରହିଥିଲା। ଏସବୁର ସୁଯୋଗ ନେବା ପାଇଁ ସୁନା ଦୋକାନର କ୍ୟାଶ କାଉଣ୍ଟରରେ ଲମ୍ବା ଧାଡିରେ ଛିଡା ହୋଇ ଗ୍ରାହକ କିଣୁଥିଲେ ସୁନା। ଏଥର ଅନୁକୂଳ ପାଗ ମଧ୍ୟ ଏଥିପାଇଁ ଅଧିକ ସୁହାଇଥିଲା। ଦଶହରା ଓ ଦୂର୍ଗାପୂଜାରେ ସେତେଟା ଭଲ କାରବାର କରି ନ ଥିବା ଜୁଏଲେରୀ ବ୍ୟବସାୟୀ ଧନ୍‍ତେରାସ୍‍ରେ ଭଲ ବ୍ୟବସାୟ ଆଶା ରଖିଛନ୍ତି। ଚଳିତଥର ଭୁବନେଶ୍ୱରରେ ୨୨ କ୍ୟାରେଟ୍‍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୩୧,୮୩୦ ଟଙ୍କା ରହିଥିବାବେଳେ ୨୪ କ୍ୟାରେଟ୍‍ର ମୂଲ୍ୟ ୩୩,୪୬୦ ଟଙ୍କା ଥିଲା। ସେହିଭଳି ରୁପା ୪୦,୫୦୦ ଟଙ୍କା ରହିଥିଲା। ଗତବର୍ଷ ଏହି ସମୟରେ ୨୨ କ୍ୟାରେଟ୍‍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୩୦,୧୩୦ ଟଙ୍କା ରହିଥିବାବେଳେ ୨୪ କ୍ୟାରେଟ୍‍ର ମୂଲ୍ୟ ୩୦,୩୬୦ ଟଙ୍କା ଥିଲା। ତେବେ ଗତବର୍ଷ ରୁପା ମୂଲ୍ୟ ୪୧,୫୦୦ ଟଙ୍କା ରହିଥିଲା। ତେବେ ଗତବର୍ଷ ତୁଳନାରେ ସୁନା ମୂଲ୍ୟ ସାମାନ୍ୟ ଅଧିକ ରହିଥିବାବେଳେ ରୁପା ମୂଲ୍ୟ କମ୍‍ ରହିଛି। ଅନ୍ୟପକ୍ଷରେ ସୁନା ମୂଲ୍ୟ କୌଣସି ଭାବେ ଗ୍ରାହକଙ୍କ ସୁନା କିଣିବା ଟ୍ରେଣ୍ଡ୍‍କୁ ଅଟକାଇପାରି ନ ଥିଲା। ସଂନ୍ଧ୍ୟା ୬ଟାଠାରୁ ରାଜଧାନୀରେ ଟ୍ରାଫିକ୍‍ ସମସ୍ୟା ଦେଖିବାକୁ ମିଳିଥିଲା। ଏଥିରେ ରୁପା କାରବାର ମଧ୍ୟ ପଛରେ ପଡି ନ ଥିଲା। ସୁନା କଏନ୍‍ ଛାଡିଦେଲେ ରୁପାର ବିଭିନ୍ନ ଉତ୍ପାଦ ସହ ମା’ ଲକ୍ଷ୍ମୀଙ୍କ ପ୍ରତିମା ବହୁ ମାତ୍ରାରେ ବିକ୍ରି ହୋଇଥିଲା। ବାଣୀବିହାରଠାରୁ ରାଜମହଲ ଛକ, ଜୟଦେବ ବିହାରଠାରୁ ପଟିଆ ଏବଂ ରସୁଲଗଡଠାରୁ କଳ୍ପନାଛକ ଯାଏ ଧନ୍‍ତେରାସ୍‍ ଲାଗି ଅଧିକ ଭିଡ ପରିଲକ୍ଷିତ ହୋଇଥିଲା। ରାଜଧାନୀର ଜନପଥରେ ଅଧିକାଂଶ ସୁନା ଦୋକାନ ରହିଥିବାଯୋଗୁ ଏହି ରାସ୍ତାରେ ଅଧିକ ଟ୍ରାଫିକ୍‍ ଭିଡ ହୋଇଥିଲା। ଏ ସମ୍ପର୍କରେ ନୂଆପଲ୍ଲୀର ଗ୍ରାହକ ଅନନ୍ୟା ମହାପାତ୍ର କୁହନ୍ତି, ସୁନା କିଣିବା ଲାଗି ଧନ୍‍ତେରାସ୍‍ ହେଉଛି ସବୁଠାରୁ ଶୁଭଦିନ। ମୁଁ ଏହି ଦିନ କିଛି ନା କିଛି ସୁନା ଜିନିଷ କିଣିଥାଏ। ଏଥର ଭଲ ଡିଜାଇନ୍‍ ସୁନା ଗହଣା ଆସିଛି। ଏହାଛଡା ଭଲ ରିଆତି ରହିଛି। ତେଣୁ ଆଗକୁ ବିବାହ ଋତୁ ଲାଗୁ ଲାଗି ଆମେ ଆଗୁଆ ସୁନା କିଣାକିଣି କରିଦେଇଛୁ। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଏଥର ଧନ୍‍ତେରାସ୍‍ରେ ରାଜଧାନୀରେ ଦୁଇ କୁଇଣ୍ଟାଲରୁ ଅଧିକ ଅର୍ଥାତ୍‍ ପାଖାପାଖି ୮୦ କୋଟି ଟଙ୍କାର ସୁନା ବିକ୍ରି ହୋଇଛି। ପୂର୍ବବର୍ଷ ପାଖାପାଖି ୭୦ କୋଟି ଟଙ୍କାର ସୁନା ବିକ୍ରି ହୋଇଥିଲା। ଚଳିତବର୍ଷ ମୌସୁମୀ ଭଲ ରହିବା ବଜାରରେ ଉତ୍ସାହ ଭରିଦେଇଛି।
ଏ ସମ୍ପର୍କରେ ଖିମ୍‍ଜୀର ଡାଇରେକ୍ଟର ମିତେଶ ଖିମ୍‍ଜୀ କୁହନ୍ତି, ଆଗକୁ ବିବାହ ଋତୁୁ ଅଧିକ ରହିଥିବା ଯୋଗୁ ଏଥର ଲୋକେ ଅଧିକ ସୁନା କିଣାକିଣି କରୁଛନ୍ତି। ଏଥର ବିକ୍ରି ଭଲ ରହିଛି। ଏଥର ଆମେ ଗତବର୍ଷ ତୁଳନାରେ ୧୫% ଅଧିକ ବିକ୍ରି ଆଶା କରୁଛୁ। ଆନୁମାନିକ ଭାବେ ଏଥର ରାଜ୍ୟରେ ଧନ୍‍ତେରାସ୍‍ରେ ୨୫୦ କୋଟି ଟଙ୍କାର ସୁନାରେ କାରବାର ହୋଇଛି।
ଅନ୍ୟପକ୍ଷରେ ରାଜଧାନୀରେ ୭୫ କୋଟିରୁ ଅଧିକ ଟଙ୍କାର କାରବାର ହୋଇଛି। ତେବେ ତିତ୍‍ଲି ବାତ୍ୟା ପାଇଁ ବ୍ରହ୍ମପୁରରେ ସୁନା ବଜାରରେ କାରବାର ସାମାନ୍ୟ ମାନ୍ଦା ରହିଛି। ତେବେ ମୋଟାମୋଟି ଭାବେ ଏଥର ଧନ୍‍ତେରାସ୍‍ରେ ଭଲ କାରବାର ହୋଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories