www.samajalive.in
Saturday, December 6, 2025
26.1 C
Bhubaneswar

ରାଜଧାନୀରେ ଆରମ୍ଭ ହେଲା ୱାଇଫାଇ ସେବା

ଭୁବନେଶ୍ୱର : ସ୍ମାର୍ଟ ସିଟି ମିଶନ୍‍ ପ୍ରକଳ୍ପ ଅଧିନରେ କାର୍ଯ୍ୟକାରୀ ହେଉଥିବା ‘ଭୁବନେଶ୍ୱର ମୋ ୱାଇଫାଇ’ ସେବା ସୋମବାର ଠାରୁ ଆରମ୍ଭ ହୋଇଛି। ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ରାସ୍ତାରେ ଲାଗିଥିବା ୧୦୦ଟି ହଟସ୍ପଟ୍‍ ଓ ୨୭୫ ଆକ୍ସେସ୍‍ ପଏଣ୍ଟ ଜରିଆରେ ୱାଇଫାଇ ସେବା ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମନ୍ଦିରମାଳିନୀ ଭୁବନେଶ୍ୱରରେ ବିଭିନ୍ନ ପ୍ରକାର ସେବାକୁ ସୂଚନା ପ୍ରଯୁକ୍ତି ସହ ଯୋଡ଼ିବା ପାଇଁ ପ୍ରୟାସ ଜାରି ରହିଛି। ଏହି କ୍ରମରେ ୱାଇଫାଇ ସେବା ଏକ ଅନନ୍ୟ ପଦକ୍ଷେପ। ବିଶ୍ୱର ଉନ୍ନତ ଦେଶମାନଙ୍କରେ ଏପରି ସେବା ବେଶ୍‍ ଲୋକପ୍ରିୟ ହୋଇଥିବା ବେଳେ ଏଥିରେ ଆଜି ଠାରୁ ଭୁବନେଶ୍ୱର ସାମିଲ ହୋଇଛି। ଏହା ଆମ ଯୁବପିଢ଼ୀଙ୍କ ମଧ୍ୟରେ ବୈଷୟିକ ଏବଂ ଅର୍ଥନୈତିକ ଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବ। ଡିଜିଟାଲ ଦୂରତ୍ୱ ହ୍ରାସ କରିବା ଦିଗରେ ଏହି ପ୍ରକଳ୍ପ ଉପାଦେୟ ସାବ୍ୟସ୍ତ ହେବ। ଅନୁରୂପ ଭାବେ କଟକ, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା ଓ ପୁରୀରେ ୱାଇଫାଇ ସେବା ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଆଜି ପ୍ରଥମ ଦିନରେ ଏଜି ଛକରୁ ରାଜଭବନ, ଆଚାର୍ଯ୍ୟ ବିହାରରୁ ଏଜି ଛକ, ଶିଶୁ ଭବନରୁ ବାଣିବିହାର ଛକ ତଥା ନାଲ୍‍କୋ ଛକରୁ ଆଚାର୍ଯ୍ୟ ବିହାର ମଧ୍ୟରେ ଲାଗିଥିବା ହଟ୍‍ସ୍ପଟ୍‍ରେ ୱାଇଫାଇ ଇଣ୍ଟରନେଟ୍‍ ଉପଲବ୍ଧ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୦୦ଟି ହଟ୍‍ସ୍ପଟ୍‍ରୁ ୱାଇଫାଇ ଇଣ୍ଟରନେଟ୍‍ ଉପଲବ୍ଧ ହେବ। ପର୍ଯ୍ୟାୟକ୍ରମେ ସହରରେ ୫୧୮ ହଟ୍‍ସ୍ପଟ୍‍ ସହ ୧୮୦୦ଟି ଆକ୍ସେସ୍‍ ପଏଣ୍ଟ ସ୍ଥାପନ କରାଯିବ। ପ୍ରତ୍ୟେକ ହଟସ୍ପଟ୍‍ରେ ଏକ ସଙ୍ଗରେ ୧୫୦ ଜଣ ଲୋକ ଇଣ୍ଟରନେଟ୍‍ ବ୍ୟବହାର କରି ପାରିବେ। ୨ ଏମ୍‍ବିପିଏସ୍‍ ସ୍ପିଡ୍‍ରେ ଇଣ୍ଟରନେଟ୍‍ ବ୍ୟବହାର କରିହେବ। ପ୍ରତ୍ୟେକ ବ୍ୟବହାରକାରୀଙ୍କୁ ପ୍ରଥମେ ୨୫୦ ଏମ୍‍.ବି ପର୍ଯ୍ୟନ୍ତ ଡାଟା ମାଗଣାରେ ମିଳିବ। ଏହା ପରେ ଇଣ୍ଟରନେଟ୍‍ ବ୍ୟବହାର ପାଇଁ ଅର୍ଥ ଦେବାକୁ ହେବ। ସାତଦିନ ପର୍ଯ୍ୟନ୍ତ ୧ ଜିବି ଡ଼ାଟା ବ୍ୟବହାର କରିବା ପାଇଁ ୭ ଟଙ୍କା ଦେବାକୁ ହେବ। ସେହିପରି ୨ ଜିବି ଡାଟା ପାଇଁ ସପ୍ତାହକୁ ୩୦ ଟଙ୍କା, ୧୪ ଦିନ ପର୍ଯ୍ୟନ୍ତ ୩ ଜିବି ଡ଼ାଟା ପାଇଁ ୪୦ ଟଙ୍କା, ଦୁଇ ସପ୍ତାହ ପର୍ଯ୍ୟନ୍ତ ୪ ଜିବି ଡ଼ାଟା ପାଇଁ ୫୦ ଟଙ୍କା ଏବଂ ୨୮ ଦିନ ପର୍ଯ୍ୟନ୍ତ ୫ ଜିବି ଡ଼ାଟା ବ୍ୟବହାର ମୂଲ୍ୟ ୬୦ ଟଙ୍କା ଧାର୍ଯ୍ୟ ହୋଇଛି। ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‍ ପକ୍ଷରୁ ଟପ୍‍ଅପ୍‍ ପ୍ଲାନ୍‍ ଉପଲବ୍ଧ କରାଯିବ। ୨୫୦ ଏମ୍‍ବି ମାଗଣା ଡ଼ାଟା ବ୍ୟବହାର କରିବେ ଏବଂ ପରେ ପୁନର୍ବାର ଉପଯୋଗ ପାଇଁ ବ୍ୟବହାରକାରୀ ନିଜକୁ ପଞ୍ଜିକୃତ କରି ଲଗ୍‍ ଇନ୍‍ କରିବାକୁ ହେବ। ପ୍ରାୟ ୮୦ କିଲୋମିଟର ଦୀର୍ଘ ମୁଖ୍ୟ ରାସ୍ତାରେ ଏହି ସେବା ଉପଲବ୍ଧ ହେବ ।
ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ହଟ୍‍ସ୍ପଟ୍‍ ଓ ଆକ୍ସେସ୍‍ ପଏଣ୍ଟ ସ୍ଥାପନ କରାଯାଇଛି। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‍ ଅନ୍ତର୍ଗତ ମାଷ୍ଟର ସିଷ୍ଟମ୍‍ ଇଣ୍ଟିଗ୍ରେଟର୍‍ (ଏମ୍‍ଏସ୍‍ଆଇ)ର ଅଂଶ ସ୍ୱରୂପ ସିଟି ୱାଇଫାଇ ବ୍ୟବସ୍ଥା ପରିଚାଳନା ଦାୟିତ୍ୱ ଘରୋଇ ସଂସ୍ଥା ହନି ୱେଲ୍‍ ଉପରେ ନ୍ୟସ୍ତ କରାଯାଇଛି। ସଚିବାଳୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ଉନ୍ନୟନ କମିଶନର ତଥା ସ୍ମାର୍ଟସିଟି ଲିମିଟେଡ୍‍ ଅଧ୍ୟକ୍ଷ ଆର ବାଲକ୍ରିଷ୍ଣନ୍‍, ପରିଚାଳନା ନିର୍ଦେଶକ କ୍ରିଷନ କୁମାର ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories