www.samajalive.in
Monday, December 8, 2025
13.1 C
Bhubaneswar

ମେସିନ କରୁଛି ମନରେଗା କାମ; କାମଧନ୍ଦା ନପାଇ ଦାଦନ ଖଟିବାକୁ ଯାଉଛନ୍ତି ଶ୍ରମିକ

ଦେବଗଡ଼: ଗ୍ରାମାଞ୍ଚଳର ଶ୍ରମିକମାନଙ୍କୁ କର୍ମ ନିଯୁକ୍ତି ପ୍ରଦାନ ଲକ୍ଷ୍ୟରେ କେନ୍ଦ୍ର ସରକାର ସମଗ୍ର ଦେଶରେ କାର୍ଯ୍ୟକାରୀ କରୁଛନ୍ତି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା। ମାତ୍ର କେତେକ ଅସାଧୁ ଗ୍ରାମ ରୋଜଗାର ସେବକ, ପଂଚାୟତ ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ଦୁର୍ନୀତିଖୋର ମନୋଭାବ, ରାଜନେତାଙ୍କ ପ୍ରତି ଅନୁକମ୍ପା ଓ ଠିକାଦାର ପ୍ରୀତି ଯୋଗୁଁ ରାଜ୍ୟର ଅନ୍ୟତମ ଅନୁନ୍ନତ ତଥା ଶ୍ରମିକ ବହୁଳ ଦେବଗଡ଼ ଜିଲ୍ଲାରେ ଏହି ଯୋଜନା ପ୍ରହସନରେ ପରିଣତ ହୋଇଛି। ଏହି କ୍ରମରେ ଦେବଗଡ଼ ଜିଲାର ରିଆମାଳ ବ୍ଲକ ବୁଢାପାଳ ଗ୍ରାମପଂଚାୟତର ଗମ୍ଭାରୀପାଳ ଖେଳପଡ଼ିଆର ଉନ୍ନତିକରଣ କାର୍ଯ୍ୟରେ ମଧ୍ୟ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଛି। ସରକାରୀ ନୀତି ନିୟମର ଖୋଲାଖୋଲି ଉଲ୍ଲଂଘନ କରାଯାଇ ଶ୍ରମିକ ବଦଳରେ ଦିନ ଦ୍ୱିପ୍ରହରେ ମେସିନ ବ୍ୟବହାର କରାଯାଇ ଉକ୍ତ ଖେଳପଡ଼ିଆର ଉନ୍ନତିକରଣ କରାଯାଉଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଉପରୋକ୍ତ ଗମ୍ଭାରୀପାଳ ଖେଳପଡ଼ିଆର ଉନ୍ନତିକରଣ ନିମନ୍ତେ ସରକାର ୨୦୨୧-୨୨ ଆର୍ଥିକ ବର୍ଷରେ ମନରେଗା ଯୋଜନାରୁ ମୋଟ ୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ ଶ୍ରମିକମାନଙ୍କ ଦ୍ୱାରା ଉକ୍ତ ଖେଳପଡ଼ିଆର ଉନ୍ନତିକରଣ କରାଯିବା କଥା। ମାତ୍ର ବିଡମ୍ବନାର ବିଷୟ ଏହା ଯେ, ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରି ଦିନ ଦ୍ୱିପ୍ରହରେ ମାଟିଖୋଳା ମେସିନ ସାହଯ୍ୟରେ ଏହି କାର୍ଯ୍ୟ କରାଯାଉଛି। ଫଳରେ କାମଧନ୍ଦା ଅଭାବରୁ ହାତବାନ୍ଧି ବସିଥିବା ଶ୍ରମିକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ନୈରାଶ୍ୟ ଭାବ ପ୍ରକାଶ ପାଇଛି। ଶ୍ରମିକମାନେ ଉକ୍ତ ମନରେଗା କାର୍ଯ୍ୟରେ ମେସିନ ନିୟୋଜନ ସମ୍ପର୍କରେ ଗ୍ରାମ ରୋଜଗାର ସହାୟିକା ଓ ପଂଚାୟତ ନିର୍ବାହୀ ଅଧିକାରୀଙ୍କଠାରୁ ଆରମ୍ଭ କରି ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଂଚଳବାସୀ ଅଭିଯୋଗ କରୁଛନ୍ତି। ତେବେ ଏ ସମ୍ପର୍କରେ ମତାମତ ପାଇଁ ବୁଢାପାଳ ଗ୍ରାମପଂଚାୟତର ଗ୍ରାମ ରୋଜଗାର ସହାୟିକା ଲଜିତା ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ଏହା ସମ୍ଭବ ହୋଇନାହିଁ।

- Advertisement -

ସେହିପରି ପଂଚାୟତ ନିର୍ବାହୀ ଅଧିକାରୀ ତୁଲନ ସିଂ ନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ଏନେଇ ସେ କୌଣସି ଉତ୍ତର ଦେବାକୁ ଉଚିତ ମଣିନାହାନ୍ତି। ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ରିଆମାଳ ବ୍ଲକର କନିଷ୍ଠ ଯନ୍ତ୍ରୀ ବୁଦ୍ଧଦେବ ଜେନା ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଜଉରୁ ଏକ୍କାଙ୍କ ମତାମତ ଲୋଡିବାରୁ ଏ ବିଷୟରେ ବୁଝିବା ପରେ କହିବେ ବୋଲି ଉଭୟେ ଉତ୍ତର ଦେଇଛନ୍ତି। ତେବେ ସେ ଯାହା ହେଉନା କାହିଁକି ଦିନ ଦ୍ୱିପ୍ରହରରେ ସର୍ବସମ୍ମୁଖରେ ମେସିନ ସହାୟତାରେ ମନରେଗା କାର୍ଯ୍ୟ କରାଯାଉଥିବାରୁ ଏହାକୁ ସାଧାରଣରେ ନାପସନ୍ଦ କରାଯାଇଛି। ଅନ୍ୟ ପକ୍ଷରେ କାମ ଧନ୍ଦା ଅଭାବରୁ ଜିଲ୍ଲାର ଶହଶହ ଶ୍ରମିକ କାମଧନ୍ଦା ଅନ୍ୱେଷଣରେ ରାଜ୍ୟ ବାହାରକୁ ଯାଉଥିବା ବେଳେ ଏହି ଯୋଜନାରେ ହେଉଥିବା ନିର୍ମାଣ କାର୍ଯ୍ୟରେ ମେସିନ ବ୍ୟବହାର ଓ ଏଭଳି ଅନିୟମିତତାକୁ ଯନ୍ତ୍ରୀମାନଙ୍କ ସମର୍ଥନ ଜନସାଧାରଣଙ୍କୁ ଚକିତ କରିଛି। ଏଣୁ ଦେବଗଡ଼ ଜିଲ୍ଲାପାଳ ନିଜେ ଏ ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ରିଆମାଳ ବ୍ଲକରେ ମନରେଗା ଯୋଜନାରେ ବଢ଼ିଚାଲିଥିବା ଦୁର୍ନୀତିକୁ ରୋକାଯାଇ ପାରିବ ଓ ଶ୍ରମିକମାନେ ନିୟମିତ କାମଧନ୍ଦା ପାଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories