www.samajalive.in
Monday, December 8, 2025
17.1 C
Bhubaneswar

କୋହଲିଙ୍କ ଶତକ ସତ୍ତ୍ବେ ଭାରତ ପରାସ୍ତ

ପୁଣେ : ୱେଷ୍ଟଇଣ୍ଡିଜ୍‍ ବିପକ୍ଷ ଦିନିକିଆ ସିରିଜ୍‍କୁ ଏକତରଫା ଭାବେ ଘରୋଇ ଭାରତ ଜିତିବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା; ତାହା ଭୁଲ୍‍ ପ୍ରମାଣିତ ହୋଇଛି। ଅଧିନାୟକ ବିରାଟ କୋହଲି କ୍ରମାଗତ ୩ୟ ମ୍ୟାଚ୍‍ରେ ଶତକ ଅର୍ଜନ କରିଥିଲେ ହେଁ ଶନିବାର ୩ୟ ଦିନିକିଆ ମ୍ୟାଚ୍‍ରେ ଭାରତକୁ ୪୩ ରନ୍‍ରେ ୱେଷ୍ଟଇଣ୍ଡିଜ୍‍ ପରାସ୍ତ କରିଛି। ସାଇ ହୋପ୍‍ଙ୍କ ୯୫ ଓ ଆସ୍‍ଲେ ନର୍ସଙ୍କ ୪୦ ରନ୍‍ ବଳରେ ପ୍ରଥମେ ବ୍ୟାଟିଂକରି ୱେଷ୍ଟଇଣ୍ଡିଜ୍‍ ୯ ୱିକେଟ ହରାଇ ୨୮୩ ରନ୍‍ କରିଥିଲା। କୋହଲି ୧୦୭ ରନ୍‍ କରିଥିଲେ ହେଁ ଭାରତ ୪୭.୪ ଓଭରରେ ୨୪୦ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ଯଶପ୍ରୀତ ବୁମ୍‍ରା ଓ ଭୁବନେଶ୍ୱର କୁମାର ଖେଳିବା ସତ୍ତ୍ବେ ଭାରତ ପରାଜୟରୁ ବଞ୍ଚି ପାରିନାହିଁ। ୱେଷ୍ଟଇଣ୍ଡିଜ୍‍ର ଏହି ବିଜୟ ଫଳରେ ୫ ମ୍ୟାଚ୍‍ର ଦିନିକିଆ ସିରିଜ୍‍ ଏବେ ୧-୧ ସ୍ଥିତିରେ ପହଞ୍ଚି ଯାଇଛି। ସୋମବାର ୪ର୍ଥ ଦିନିକିଆ ମ୍ୟାଚ୍‍ ଖେଳାଯିବ।
ଭାରତ ୨୮୪ ରନ୍‍ର ପିଛା କରିଥିବା ବେଳେ ରୋହିତ ଶର୍ମା ପୁଣି ବିଫଳ ହୋଇ ୮ ରନ୍‍କରି ଆଉଟ ହୋଇଥିଲେ। ତେବେ ଶିଖର ଧାୱନ ଓ ବିରାଟ କୋହଲି ୨ୟ ୱିକେଟ ପାଇଁ ୭୯ ରନ୍‍ ଯୋଡ଼ି ସ୍ଥିତି ସୁଧାରିଥିଲେ। ୪୫ ବଲ୍‍ରୁ ୫ଟି ଚୌକା ସହ ୩୫ ରନ୍‍କରି ଧାୱନ ଆଉଟ ହୋଇଥିଲେ। ପରେ ୩ୟ ୱିକେଟ ପାଇଁ କୋହଲି ଓ ଅମ୍ବତି ରାୟୁଡୁ ଆଉ ୪୭ ରନ୍‍ ଯୋଡ଼ିଥିଲେ। ପ୍ଲେଏଡ୍‍ ଅନ୍‍ ହେବା ପୂର୍ବରୁ ରାୟୁଡୁ ୨୭ ବଲ୍‍ରୁ ୨୨ ରନ୍‍ କରିଥିଲେ। ୧୩୫ ରନ୍‍ରେ ୩ଟି ୱିକେଟ ପଡ଼ିଯିବା ପରେ କୋହଲି ଓ ଋଷଭ ପନ୍ତ୍‍ ସ୍କୋର୍‍କୁ ୧୭୨ ରନ୍‍ରେ ପହଞ୍ଚାଇଥିଲେ। ପନ୍ତ୍‍ ୧୮ ବଲ୍‍ରୁ ୨୪ ରନ୍‍କରି ଆଉଟ ହୋଇଥିଲେ। ପରେ ଗୋଟିଏ ପଟେ କୋହଲି ଲଢ଼ିଥିବା ବେଳେ ଅନ୍ୟପଟୁ ନିୟମିତ ୱିକେଟ ପଡ଼ି ଚାଲିଥିଲା। ମହେନ୍ଦ୍ର ସିଂହ ଧୋନି ୭ ଓ ଭୁବନେଶ୍ୱର କୁମାର ୧୦ ରନ୍‍ କରିଥିଲେ। ୩୮ତମ ଦିନିକିଆ ଶତକ ହାସଲ କରିଥିବା କୋହଲି ୧୧୯ ବଲ୍‍ରୁ ଗୋଟିଏ ଛକା ଓ ୧୦ଟି ଚୌକା ସହ ୧୦୭ ରନ୍‍କରି ଆଉଟ ହେବା ସହ ଭାରତର ବିଜୟ ଆଶା ମଉଳି ଯାଇଥିଲା। ମାର୍ଲନ୍‍ ସାମୁଏଲ୍‍ସ ୩ଟି ଏବଂ ଆସ୍‍ଲେ ନର୍ସ, ଜେସନ୍‍ ହୋଲ୍‍ଡର ଓ ଓବେଦ୍‍ ମ୍ୟାକ୍‍କୟ ୨ଟି ଲେଖାଏଁ ୱିକେଟ ପାଇଥିଲେ। ଅଲ୍‍ରାଉଣ୍ଡ ସଫଳତା ପାଇଁ ନର୍ସ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।
ଭାରତ ଟସ୍‍ ଜିତି ଫିଲ୍‍ଡିଂ ନେବା ପରେ ଯଶପ୍ରୀତ ବୁମ୍‍ରା ୱେଷ୍ଟଇଣ୍ଡିଜ୍‍ର ଉଭୟ ଓପ୍‍ନରଙ୍କୁ ଆଉଟ କରି ଦେଇଥିଲେ। ଚନ୍ଦ୍ରପଲ ହେମରାଜ ୧୫ ରନ୍‍କରି ମହେନ୍ଦ୍ର ସିଂହ ଧୋନିଙ୍କ ଦର୍ଶନୀୟ କ୍ୟାଚ୍‍ରେ ଆଉଟ ହୋଇଥିଲେ। ବୁମ୍‍ରା ତାଙ୍କ ୨ୟ ସ୍ପେଲ୍‍ରେ କୈରନ୍‍ ପୱେଲ (୨୧)ଙ୍କୁ ଆଉଟ କରି ଦେଇଥିଲେ। ଅଭିଜ୍ଞ ମାର୍ଲନ୍‍ ସାମୁଏଲ୍‍ସ ୯ ରନ୍‍କରି ବିଦାୟ ନେଇଥିଲେ। ପରେ ଚଳିତ ସିରିଜ୍‍ରେ ଇଣ୍ଡିଜ୍‍ର ଦୁଇ ସଫଳ ବ୍ୟାଟ୍‍ସମ୍ୟାନ ସାଇ ହୋପ୍‍ ଓ ସିମ୍ରନ୍‍ ହେତ୍‍ମାୟର ୪ର୍ଥ ୱିକେଟ ପାଇଁ ଦ୍ରୁତ ୫୬ ରନ୍‍ ଯୋଗ କରିଥିଲେ। ହେତ୍‍ମାୟର ୨୧ ବଲ୍‍ରୁ ୩ଟି ଛକା ଓ ୨ଟି ଚୌକା ସହ ୩୭ ରନ୍‍ କରିଥିଲେ। ରୋଭ୍‍ମ୍ୟାନ୍‍ ପୱେଲ ୪ ରନ୍‍କରି ଆଉଟ ହୋଇଥିଲେ। ୬ଷ୍ଠ ୱିକେଟ ପାଇଁ ହୋପ୍‍ ଓ ଅଧିନାୟକ ଜେସନ୍‍ ହୋଲ୍‍ଡର ୭୬ ରନ୍‍ ଯୋଡ଼ି ସ୍ଥିତି ସୁଧାରିଥିଲେ। ୩୯ ବଲ୍‍ରୁ ୩୨ ରନ୍‍ କରିଥିବା ହୋଲ୍‍ଡର ଛକାମାରିବା ପ୍ରୟାସରେ ଆଉଟ ହୋଇଥିଲେ। ଜୀବନର ପ୍ରଥମ ଦିନିକିଆ ଖେଳିଥିବା ଫାବିଏନ୍‍ ଆଲେନ୍‍ ୫ ରନ୍‍କରି ବିଦାୟ ନେଇଥିଲେ। ୨୧୭ ରନ୍‍ରେ ଇଣ୍ଡିଜ୍‍ ୭ଟି ୱିକେଟ ହରାଇବା ପରେ ଆସ୍‍ଲେ ନର୍ସଙ୍କ ପ୍ରୟାସ ଯୋଗୁଁ ଏହା ୨୮୩ ରନ୍‍ରେ ପହଞ୍ଚି ପାରିଥିଲା। ଚମତ୍କାର ବ୍ୟାଟିଂ କରୁଥିବା ସାଇ ହୋପ୍‍ ମାତ୍ର ୫ ରନ୍‍ ପାଇଁ କ୍ରମାଗତ ୨ୟ ମ୍ୟାଚ୍‍ରେ ଶତକରୁ ବଞ୍ଚିତ ହୋଇଥିଲେ। ବୁମ୍‍ରାଙ୍କ ମାରାତ୍ମକ ୟର୍କରରେ ବୋଲ୍‍ଡ ହେବା ପୂର୍ବରୁ ହୋପ୍‍ ୧୧୩ ବଲ୍‍ରୁ ୩ଟି ଛକା ଓ ୬ଟି ଚୌକା ସହ ୯୫ ରନ୍‍ କରିଥିଲେ। ୯ମ ୱିକେଟ ପାଇଁ ଆସ୍‍ଲେ ନର୍ସ ଓ କିମାର ରୋଚ୍‍ ୩୬ ବଲ୍‍ରୁ ମୂଲ୍ୟବାନ ୫୬ ରନ୍‍ ଯୋଡ଼ିଥିଲେ। ନର୍ସ ୨୨ ବଲ୍‍ରୁ ୨ଟି ଛକା ଓ ୪ଟି ଚୌକା ସହ ୪୦ ରନ୍‍ କରିଥିଲେ। ବୁମ୍‍ରା ୪ଟି ଓ କୁଲଦୀପ ୨ଟି ୱିକେଟ ପାଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories