ବାଲିଯାତ୍ରାରୁ ବଟି ଆଦାୟ ; ବିଦାହେଲେ ଥାନାଧିକାରୀ
କଟକ : ବାଲିଯାତ୍ରାରେ ସାଇକଲ ଷ୍ଟାଣ୍ଡ କରିଥିବା ସ୍ମୃତିରଞ୍ଜନ ମିଶ୍ରଙ୍କଠାରୁ ୫୦ହଜାର ଟଙ୍କା ବଟି ମାଗି ବିବାଦରେ କ୍ୟାଣ୍ଟନମେଣ୍ଟ ଥାନାଧିକାରୀ ଦୀନକୃଷ୍ଣ ମିଶ୍ର। ବଟି ମାଗିବା ସହିତ ମିଥ୍ୟା ମାମଲାରେ ଫସାଇ ଦେବାକୁ ସେ ଧମକ ଦେଇଥିବା ସୋମବାର ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ପ୍ରଦେଶ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ତତ୍କାଳ ପଦକ୍ଷେପ ନେଇଛନ୍ତି। ଶ୍ରୀ ମିଶ୍ରଙ୍କୁ କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ପଦରୁ ଡିସିପି ଅଫିସକୁ ବଦଳି କରିଦିଆଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଡିସିପି ଅନୀଲ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଚଳିତବର୍ଷ ବାଲିଯାତ୍ରାରେ ସିଏମ୍ସି ତରଫରୁ ୨୧ଟି ପାର୍କିଂସ୍ଥଳ ପାଇଁ ଟେଣ୍ଡର କରାଯାଇଥିଲା। ତନ୍ମଧ୍ୟରୁ କାର୍ତ୍ତିକେଶ୍ବର ଗଡ଼ା (ପୂର୍ବ) ଷ୍ଟାଣ୍ଡ ପାର୍କିଂର ଦାୟିତ୍ୱ ଭବାନୀ ଶଙ୍କର ବେଉରାଙ୍କୁ ମିଳିଥିଲା। ଏହି ପାର୍କିଂଷ୍ଟାଣ୍ଡରେ ବିଜେପି ଯୁବମୋର୍ଚ୍ଚା ସଂଯୋଜକ ସ୍ମୃତିରଞ୍ଜନ ମିଶ୍ର ମଧ୍ୟ ସହଯୋଗୀ ଥିଲେ। ସ୍ମୃତିରଞ୍ଜନ ଅଭିଯୋଗ କରିଛନ୍ତି ଯେ ଥାନା ଅଧିକାରୀ ଶ୍ରୀ ମିଶ୍ର ଏବଂ ସହଯୋଗୀ ମୋତିଲାଲ ମାରାଣ୍ଡି ସେମାନଙ୍କୁ ଥାନାକୁ ଡାକି ପାର୍କିଂ ବାବଦକୁ ୫୦ହଜାର ଟଙ୍କା ଚାନ୍ଦା ଦାବି କରିଥିଲେ। ବିଭିନ୍ନ ସମୟରେ ଚାପ ପକାଇ ପୁଲିସ ସେମାନଙ୍କଠାରୁ ୪୦ହଜାର ଟଙ୍କା ନେଇଥିଲେ। ପୁଣି ଅଧିକ ଚାନ୍ଦା ଦେବା ପାଇଁ ଅସମର୍ଥ ହେବାରୁ ସେମାନଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହିତ ମିଥ୍ୟା ମକଦ୍ଦମାରେ ଫସାଇଦେବାର ଥାନାଧିକାରୀ ଧମକ ଦେଇଥିଲେ। ବାଲିଯାତ୍ରାରେ ଥିବା ଅନେକ ପାର୍କିଂ ଷ୍ଟାଣ୍ଡ୍, ଦୋଳିମାଲିକ, ସାଧାରଣ ବ୍ୟବସାୟୀ ମାନଙ୍କଠାରୁ ଅନୈତିକଭାବେ ଚାନ୍ଦା ଆଦାୟର ଦାୟିତ୍ୱ ଖୋଦ୍ ସବ୍ଇନ୍ସ୍ପେକ୍ଟର୍ ମୋତିଲାଲ ମାରାଣ୍ଡି ନେଇଥିଲେ। ଏହାର ସମ୍ପୂର୍ଣ୍ଣ ବିବରଣୀ ଥାନାଧିକାରୀ ଏକ ନୀଳ ଡାଇରୀରେ ଲେଖି ରଖୁଥିଲେ ବୋଲି ସ୍ମୃତିରଞ୍ଜନ ଅଭିଯୋଗ କରିଛନ୍ତି। ଆଇଆଇସି ଶ୍ରୀ ମିଶ୍ର ସମ୍ପୃକ୍ତ ସବ୍ଇନ୍ସପେକ୍ଟର ଟଙ୍କା ମାଗୁଥିବାର ଭିଡ଼ିଓ ଚିତ୍ରକୁ ଏହି ସାମ୍ବାଦିକ ସମ୍ମିଳନୀରେ ପରିବେଷଣ କରାଯାଇଥିଲା। ପୁଲିସ ପାଖାପାଖି କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ଚାନ୍ଦା ଆଦାୟ କରିଥିବା ଅଭିଯୋଗ ଆଣି ଏହାର ବିଭାଗୀୟ ତଦନ୍ତ ଦାବି କରିଥିଲେ ମହିଳାମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ଏଥିସହ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଡିଜିପିଙ୍କୁ ଭେଟି ଘଟଣା ସଂକ୍ରାନ୍ତରେ ଅବଗତ କରାଇଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ଶାକ୍ୟ ସିଂ ମିଶ୍ର, କାଳୀ ପ୍ରସନ୍ନ ମହାନ୍ତି, ନନ୍ଦ କିଶୋର ଜେନା, ଅନ୍ନଦା ପ୍ରସାଦ ଦାସ, ଧୀରେନ୍ ସେଠୀ, ସୁନୀଲ ଦ୍ୱିବେଦୀ, ପୂର୍ଣ୍ଣମାସୀ ମହାପାତ୍ର, ସଂଯୁକ୍ତା ମିଶ୍ର, ରୀତା ମହାପାତ୍ର, ସୁଜାତା ଭରଦ୍ୱାଜ, ସନତ ମହାର, ମୁକେଶ ଭୂୟାଁ ପ୍ରମୁଖ ଉପସ୍ଥିତଥିଲେ।
Comments are closed.